ଗୋପାଳପୁରରେ ବିଜୁ ଆଡ୍‌ଭେଞ୍ଚର ପାର୍କ

ଭୁବନେଶ୍ବର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଗୋପାଳପୁରଠାରେ ଆଡଭେଞ୍ଚର ପାର୍କର ଲୋକାର୍ପଣ କରିଛନ୍ତି। ଏହି ପାର୍କ ଗୋପାଳପୁରକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଯୁବ ବର୍ଗଙ୍କ ପାଇଁ ଆକର୍ଷଣୀୟ ସ୍ଥାନ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ବିମାନ ଚାଳନା ଦକ୍ଷତା ଏବଂ ରୋମାଞ୍ଚ ପ୍ରତି ଥିବା ଦୁର୍ବଳତାକୁ ଦୃଷ୍ଟିରେ ରଖି ଏହି ଆଡଭେଞ୍ଚର ପାର୍କକୁ ତାଙ୍କ ନାମରେ ନାମିତ କରାଯାଇଛି। ୨.୫ କୋଟି ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଛି। ଏଠାରେ ପ୍ରଥମ ଥର ପାଇଁ ରାଜ୍ୟରେ ରିଭର କ୍ରସିଂ ଜିପ୍‍ ଲାଇନ୍‍ ଆରମ୍ଭ କରାଯାଇଛି। ୨୫୦ ମିଟର୍‍ ଲମ୍ବର ଜିପ୍‍ ଲାଇନ୍‍ରେ ରହି ସୁଉଚ୍ଚରୁ ଗୋପାଳପୁର ବେଳାଭୂମିର ମନୋରମ ଦୃଶ୍ୟ ଉପଭୋଗ କରିହେବ। ଏହା ବ୍ୟତୀତ ଏଠାରେ ୪୦ ଫୁଟ୍‍ର ବିରାଟ ଦୋଳି, ଏୟାର ଗନ୍‍ ବନ୍ଧୁକ ଚାଳନା, ବଞ୍ଜି ଟ୍ରାମ୍ପୋଲିନ୍‍, ମେକାନିକାଲ୍‍ ବୁଲ୍‍ ରାଇଡ୍‍ (ଯନ୍ତ୍ର ଚାଳିତ ଷଣ୍ଢ), ନେଟ୍‍ ଭିତରେ କ୍ରିକେଟ୍‍ ଖେଳ, ଜଙ୍ଗଲ ଭିତରେ ଗାଡ଼ି ଚଳାଇବା ଭଳି ଅନେକ ବ୍ୟବସ୍ଥା ଉପଲବ୍ଧ ହୋଇଛି। ଆଡଭେଞ୍ଚର ପାର୍କରେ ପାହାଡ଼ ଚଢ଼ା, କାର୍‍ ଧକ୍କା, ରାପେଲିଂ, ଜୋରବିଂ ଆଦି ଭଳି କ୍ରୀଡ଼ା ଖୁବ୍‍ ଶୀଘ୍ର ଉପଲବ୍ଧ କରାଯିବ। କହିବାକୁ ଗଲେ ପର୍ୟ୍ୟଟକଙ୍କୁ ଗୋଟିଏ ସ୍ଥାନରେ ରୋମାଞ୍ଚକର କ୍ରୀଡ଼ାର ସମ୍ଭାର ମିଳିବ। ଗୋପାଳପୁର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି ପାଉଥିବା ବେଳେ ଆତିଥେୟତା ଶିଳ୍ପର ବିକାଶ ହେଉଛି। ଏପରିସ୍ଥଳେ ଆଡଭେଞ୍ଚର ପାର୍କ ଆଉ ଏକ ମାଇଲ୍‍ଖୁଣ୍ଟ ସାବ୍ୟସ୍ତ ହେବ।ବିଜୁ ଆଡ୍‌ଭେଞ୍ଚର ପାର୍କରେ ରହିଛି ଜିପ୍ ଲାଇନ୍, ଜିଆଣ୍ଟ୍ ସ୍ବିଙ୍ଗ୍, ମେକାନିକାଲ୍ ବୁଲ୍, କ୍ରିକେଟ୍ ନେଟ୍‌ସ୍, ଏୟାର୍ ଗନ୍, ବବଲ୍‌ ରାଇଡିଂ, ଡନ୍‌ଲପ୍ ଜମ୍ପିଂ, ରାପ୍ ସ୍ବିମିଂ ସମେତ ଆହୁରି ଅନେକ ଆକର୍ଷଣୀୟ ଓ ରୋମାଞ୍ଚକର ଉପକରଣ। ଗୋପାଳପୁର ଚିଲଡ୍ରେନସ୍ ପାର୍କ ପରିସରରେ ଏସବୁ ସ୍ଥାପିତ କରିଛି ମହାରାଷ୍ଟ୍ରର ଏକ ଘରୋଇ କମ୍ପାନୀ। ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ସହଯୋଗରେ ଏସବୁ ସ୍ଥାପିତ କରି ପର୍ୟ୍ୟଟକଙ୍କୁ ଆମୋଦପ୍ରମୋଦ, ରୋମାଞ୍ଚିତ ମନୋରଞ୍ଜନର ଭରପୁର ସୁଯୋଗ ଦେବାକୁ ଚେଷ୍ଟା କରାଯାଉଛି।ପାର୍କ ନିକଟରେ ପ୍ରବାହିତ ନଦୀ ମୁହାଣ ଉପରେ ତିଆରି ହୋଇଛି ଜିପ୍ ଲାଇନ୍। ଏହାଦ୍ୱାରା ପ୍ରାୟ ୨୩୦ ମିଟର ଲମ୍ବ ତାର ମାଧ୍ୟମରେ ଜ୍ୟାକେଟ୍‌ ପିନ୍ଧି ପାଣି ଉପରେ ପର୍ଯ୍ୟଟକମାନେ ରୋମାଞ୍ଚକର ମଜା ନେଇ ପାରିବେ। ସେହିପରି ରାପ୍ ସ୍ବିମିଂ ଜରିଆରେ ପ୍ରାୟ ୪୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଦୋଳିର ମଜା ନେଇହେବ।ଏଥି ସହିତ ବେଳାଭୂମି ସହର ଗୋପାଳପୁରରେ ସ୍ଥାୟୀ ଇକୋ ରିଟ୍ରିଟ୍‌ ଶିବିର, ବାଲୁକା ଶର୍ଯ୍ୟା ଉପରେ ସୁଦୀର୍ଘ କାଠ ପୋଲ, ମିନି ପାର୍କ, ଫାଉଣ୍ଟେନ୍, ଆଇ ଲଭ୍ ଗୋପାଳପୁର ଭଳି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ଶିଶୁଙ୍କ ପ୍ରମୋଦ ଉଦ୍ୟାନ ଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପନ୍ନ କରାଯାଇଛି।

Spread the love