ୟୁକ୍ରେନର ନେପୁଚ୍ୟୁନ୍ ମିସାଇଲ ପ୍ଲାଣ୍ଟରେ ଆକ୍ରମଣ

ନୂଆଦିଲ୍ଲୀ:  ରୁଷର ଯୁଦ୍ଧ ଜାହାଜ ମୋସ୍କୋୱା ବୁଡିଯିବା ପରେ  କିଭ୍ ଉପରେ ବୋମା ବର୍ଷା କରୁଛି ରୁଷ। ଆଗାମୀ ଦିନରେ କିଭ୍ ଉପରେ ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ରୁଷର ରକ୍ଷା ମନ୍ତ୍ରାଳୟ କହିଛି। ଦୁଇ ସପ୍ତାହ ହେବ କିଭରୁ ରୁଷ ସୈନ୍ୟ ହଟି ଯାଇଥିଲେ। ତେବେ ଗତକାଲି କିଭ୍ ରେ ଥିବା ୟୁକ୍ରେନର ନେପଚ୍ୟୁନ୍ ମିଶାଇଲ ବନାଉଥିବା ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି ରୁଷ ।

ପୂର୍ବ ୟୁକ୍ରେନରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ଜାଗାକୁ ନେଇ ଯାଉଥିବା ଏକ ବସ ଉପରେ ରୁଷ ଆକ୍ରମଣ କରିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଚର୍ଣ୍ଣହିଭ୍ ରେ ମଧ୍ୟ ରଷ ସୈନ୍ୟ ଗୁଳିମାଡ଼ ଏବଂ ୟୁକ୍ରେନ ଯବାନଙ୍କ ଉପରେ ମୋର୍ଟାର ମାଡ କରିଛି।

ଏହାରି ଭିତରେ ରୁଷ ଆମେରିକାକୁ ଏକ ଚିଠି ପଠାଇ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନ ପଠାଇବାକୁ ଚେତାବନୀ ବି ଦେଇଛି। ରୁଷର କହିବା କଥା ଆମେରିକା ଏବଂ ନାଟୋ ପକ୍ଷରୁ ୟୁକ୍ରେନକୁ ଯୋଗାଇ ଦିଆଯାଉଥିବା ଅସ୍ତ୍ରଶସ୍ତ୍ର ନିଆଁରେ ଘିଅ ଢାଳିବା ପରି। ଏହାର ପରିଣତି ଭୟଙ୍କର ହେବ। ଆମେରିକା ୟୁକ୍ରେନକୁ ୮ଶହ ମିଲିୟନ ଡଲାର ଆର୍ଥିକ ସହାୟତା ସହ ଯୁଦ୍ଧାସ୍ତ୍ର ପଠାଇବାକୁ ଘୋଷଣା କରିଥିଲା।

ସ୍ବିଡେନ ଏବଂ ଫିନଲାଣ୍ଡ  ନାଟୋରେ ସାମିଲ ହେବାକୁ ଏହି ଦୁଇ ଦେଶ ପ୍ରସ୍ତୁତି ଚଳାଇଥିବାବେଳେ ରୁଷ ପରମାଣୁ ଧମକ୍ ଦେଇଛି। କିଛି ଦିନ ତଳେ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଏକ ନୀଳ ରଙ୍ଗର ସିକ୍ରେଟ ନ୍ୟୁକ୍ଲିୟର ବ୍ରିଫ କ୍ୟାସ ଦେଖିବାକୁ ମିଳିଥିଲା। ଫିନଲାଣ୍ଡ ସୀମାରେ ରୁଷ ଯୁଦ୍ଧାସ୍ତ୍ର ମୁତୟନ କରିଛି।

Spread the love