ଦେଶରେ ବିକାଶରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ମୋଦୀ

ଡେସ୍କ:  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍‍ କରି କହିଛନ୍ତି, ସରକାର ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବାକୁ ଅହରହ କାର୍ଯ୍ୟ କରୁଛନ୍ତି କାରଣ ଦେଶର ବିକାଶରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣ ସମୟରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ୨୯ଟି ଶ୍ରମ ଆଇନର ସରଳୀକରଣ କରାଯାଇ ସରକାର ୪ଟି ଶ୍ରମ ସଂହିତା ଆଣିଛନ୍ତି। ୨୭ କୋଟି ଅଣସଂଗଠିତ କ୍ଷେତ୍ରର ଶ୍ରମିକ ଜାତୀୟ ସ୍ତରୀୟ ଡାଟାବେସ୍‍ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି। ୩୮ କୋଟି ଅଣସଂଗଠିତ କ୍ଷେତ୍ରର ଶ୍ରମିକ ସାମାଜିକ ସୁରକ୍ଷା ପାଣ୍ଠିରୁ ଉପକୃତ ହୋଇଛନ୍ତି। ‘ଏକ ଦେଶ ଏକ ରେସନ କାର୍ଡ’ ଯୋଜନା ଦ୍ୱାରା ସ୍ଥାନାନ୍ତରୀତ ଶ୍ରମିକମାନଙ୍କୁ ଖାଦ୍ୟସୁରକ୍ଷା ମିଳିଛି। ସେମାନେ ଦେଶର ଯେ କୌଣସି ସ୍ଥାନରୁ ଖାଦ୍ୟ ସାମଗ୍ରୀ ପାଇପାରୁଛନ୍ତି।

ଏଥିପାଇଁ ଦେଶରେ ୫ଲକ୍ଷରୁ ଅଧିକ ରାସନ ଦୋକାନ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା ଅଧୀନରେ ବୁଲାବିକାଳୀମାନଙ୍କୁ ସହଜରେ ଋଣ ମିଳିପାରୁଛି। ଏପର୍ଯ୍ୟନ୍ତ ୩୦ଲକ୍ଷ ବୁଲାବିକାଳୀ ଏହି ଯୋଜନାରେ ୩ ହଜାର କୋଟିରୁ ଅଧିକ ଟଙ୍କାର ଋଣ ପାଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅଧୀନରେ ୩ ହଜାର ଟଙ୍କା ଲେଖାଏଁ ମାସିକ ପେନସନ ପ୍ରଦାନ କରାଯାଉଛି। ଏପର୍ଯ୍ୟନ୍ତ ୪୬ ଲକ୍ଷ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ସରକାର କରୋନା ସମୟରେ ଶ୍ରମିକମାନଙ୍କୁ ୫ କିଲୋଗ୍ରାମ୍‍ ଲେଖାଏଁ ମାଗଣା ରେସନ ଦିଆଯାଇଥିଲା।

Spread the love