ଋଷ – ୟୁକ୍ରେନ ଯୁଦ୍ଧ ପାଇଁ ସମଗ୍ର ବିଶ୍ୱ ଦୁଇ ଖଣ୍ଡ

ନୂଆଦିଲ୍ଲୀ:ଋଷ – ୟୁକ୍ରେନ ଯୁଦ୍ଧ ସମଗ୍ର ବିଶ୍ୱକୁ ପୁଣି ଥରେ ଦୁଇଭାଗରେ ବିଭକ୍ତ କରିଦେଇଛି । ଗୋଟିଏ ପଟେ ରୁଷିଆ ଓ ଅନ୍ୟପଟେ ଆମେରିକା । ଦୁହେଁ ହେଉଛନ୍ତି ବିଶ୍ୱର ଦୁଇ ମହାଶକ୍ତି । ତେବେ ଆମେରିକା ସପକ୍ଷରେ ନାଟୋ ସହ ପଶ୍ଚିମ ଦେଶ ରହିଥିବା ବେଳେ ଋଷ ସପକ୍ଷରେ ଚୀନ ସହ କିଛି ରାଷ୍ଟ୍ର ରହିଛନ୍ତି ।ଏପରି କ୍ଷେତ୍ରରେ  ଋଷର ହାତ ଭାରତ କଦାପି ଛାଡ଼ିବ ନାହିଁ ବୋଲି କହିବା ଠିକ୍ ହେବ।କାରଣ ଦଶନ୍ଧି ଦଶନ୍ଧି ପୂର୍ବରୁ ଋଷ ଭାରତକୁ ଅନେକ କ୍ଷେତ୍ରରେ ସହାୟତା ପ୍ରଦାନ କରିଆସିଛି । ପାକିସ୍ତାନ ବିପକ୍ଷରେ ୧୯୭୧ର ଯୁଦ୍ଧ ହେଉ କି ୧୯୯୯ର କାର୍ଗିଲ ଯୁଦ୍ଧ ହେଉ ସବୁ ସମୟରେ ଋଷ୍ ଭାରତର ବଡ଼ ଭାଇ ପରି ଛିଡ଼ା ହୋଇଛି । ଆମେରିକା ସେତେବେଳେ ପାକିସ୍ତାନକୁ ସମର୍ଥନ କରି ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଥିଲା ।

ତେବେ ୟୁକ୍ରେନ-ରୁଷିଆ ଯୁଦ୍ଧ ପରେ ଏବେ ଆଣବିକ କ୍ଷେତ୍ରରେ ଦୁର୍ବଳ ଥିବା ବିଶ୍ୱର ଅନେକ ରାଷ୍ଟ୍ର ପୁଣି ଥରେ ନିଜକୁ ଆଣବିକ କ୍ଷେତ୍ରରେ ଶକ୍ତିଶାଳୀ କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି ।  ୟୁକ୍ରେନ ସାହାଯ୍ୟ ପାଇଁ ବିଶ୍ୱ ସମ୍ମୁଖରେ ଚିକ୍ରାର କରୁଥିବା ବେଳେ କିଏ ତାକୁ ସାହାଯ୍ୟ କଲା? ଦୀର୍ଘ ୪୪ ଦିନ ଧରି ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ରାଷ୍ଟ୍ରଙ୍କୁ ପୁଣି ଥରେ ନିଜର ଶକ୍ତିବୃଦ୍ଧି ନେଇ ଏକପ୍ରକାର ବାଧ୍ୟ କରିଦେଇଛି । ଆମେରିକାର ନିରାପତ୍ତା ବଳୟ ମଧ୍ୟରେ ଥିବା ଅନେକ ଦେଶ ଏବେ ଆଣବିକ ଅଭିଯାନ ଆଡ଼କୁ ମନ ବଳାଇଲେଣି । ଏହାମଧ୍ୟରେ ଜାପାନ ଆଣବିକ ଅସ୍ତ୍ର ନିର୍ମାଣ ନେଇ ପ୍ରସ୍ତୁତି ଆରମ୍ଭ କରିଦେଲାଣି । ଜର୍ମାନୀ ନିଜର ପ୍ରତିରକ୍ଷା ବଜେଟ୍ ବୃଦ୍ଧି କଲାଣି । ଇଂଲଣ୍ଡ ଓ ଫ୍ରାନ୍ସ ଶହ ଶହ ବର୍ଷର ପୂର୍ବ ଶତ୍ରୁତାକୁ ଭୁଲି ନିଜର ସ୍ୱାର୍ଥକୁ ଗୁରୁତ୍ୱ ଦେଲେଣି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଆଗକୁ କ’ଣ ରହିବ ଭାରତର ଆଭିମୁଖ୍ୟ ଓ ଷ୍ଟ୍ରାଟେଜି । କାରଣ ଯୁଦ୍ଧରେ ବିପର୍ଯ୍ୟସ୍ତ ଅର୍ଥବ୍ୟବସ୍ଥା କାରଣରୁ ଋଷ ନିଶ୍ଚିତ ଭାବେ ଚୀନ ଆଡ଼କୁ ଢଳିବ । ଚୀନର ଉତ୍ଥାନ ନିଶ୍ଚିତ ଭାବେ ଭାରତ ପାଇଁ ବିପଜ୍ଜନକ । ଯଦି ଆଗକୁ ରୁଷିଆ ଭାରତକୁ ସାମରିକ ଅସ୍ତ୍ରଶସ୍ତ୍ର ଦେବ ନାହିଁ, ସେ ସମୟରେ ଭାରତ କ’ଣ କରିବ? ଏ ଭଳି ସ୍ଥିତିରେ ଭାରତ କ’ଣ ପୁଣି ଆମେରିକାର ଗୋଡ଼ ଧରିବ? ନା, ଏହା ହେବା ଆଦୌ ଅନୁଚିତ । ଭାରତ ବେଳ ଥାଉଥାଉ ନିଜର ଦୋଷ ଦୁର୍ବଳତାକୁ ଚିହ୍ନଟ କରି ଆଣବିକ, ପ୍ରତିରକ୍ଷା, ଅର୍ଥନୀତି, ଟେକ୍ନୋଲୋଜି ବିଭିନ୍ନ କ୍ଷେତ୍ରରେ ସ୍ୱଜ୍ଞାନକୌଶଳରେ ଶକ୍ତିଶାଳୀ ହେବା ଦରକାର । ଇସ୍ରାଏଲ ପରି ଏକ କ୍ଷୁଦ୍ର ଦେଶ ଯଦି ଏକାଥରକେ ୫ଟି ରାଷ୍ଟ୍ରର ଆକ୍ରମଣକୁ ପ୍ରତିହତ କରିପାରୁଛି, ଭାରତ ପାଖରେ ସବୁ ଥାଇ ସେ କାହିଁକି ଅସ୍ତ୍ରଶସ୍ତ୍ର ପାଇଁ ଅନ୍ୟ ଆଗରେ ହାତ ପତେଇବ? ଭାରତ ଆଗାମୀ ଦିନରେ ନିଜ ଦମରେ ଶକ୍ତିଶାଳୀରୁ ମହାଶକ୍ତିଶାଳୀ ୱିପନ୍ ନିର୍ମାଣ କରି ନିଜକୁ ବଳିୟାନ୍ କରିବା ଦରକାର । ତେବେ ଯାଇ ସମଗ୍ର ବିଶ୍ୱ କହିବ ସଲାମ୍ ଭାରତ ।

Spread the love