ପରଲୋକରେ ଭେଟେରାନ୍ ଚଳଚ୍ଚିତ୍ର ନିର୍ମାତା ଟି. ରାମା ରାଓ

ନୂଆଦିଲ୍ଲୀ ୨୦।୪: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ତାତିନେନି ରାମା ରାଓଙ୍କର ପରଲୋକ ଘଟିଛି । ଟି ରାମା ରାଓଙ୍କ ମୃତ୍ୟୁରେ ସାରା ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ବଲିଉଡ୍ ଠାରୁ ଆରମ୍ଭ କରି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଛାପ ଛାଡିଯାଇଛନ୍ତି ରାମା ରାଓ । ତାଙ୍କ ନିଧନରେ ସିନେମା ଜଗତକୁ ଏକ ବଡ ଝଟକା ଲାଗିଛି ।

ବୁଧବାର ଦିନ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଧରି ଅସୁସ୍ଥ ଥିଲେ । ଅସୁସ୍ଥତା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଚେନ୍ନାଇରେ ତାଙ୍କ ଅନ୍ତିମ ଯାତ୍ରାର ଆୟୋଜନ କରାଯାଇଛି । ତାଙ୍କ ମୃତ୍ୟୁ ଖବର ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସ ତଥା ତାଙ୍କ ସହ ଜଡିତ ଲୋକଙ୍କ ପାଇଁ ଏକ ବଡ ଝଟକା । ପତ୍ନୀ ତାତିନେନି ଜୟାଶ୍ରୀ ଏବଂ ୩ ସନ୍ତାନ ଚାମୁଣ୍ଡେଶ୍ବରୀ, ନାରା ସୁଶୀଲା ଏବଂ ଅଜୟ ତାଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ।

ସୂଚନାଯୋଗ୍ୟ ଯେ, ଟି ରାମା ରାଓ ଅମିତାଭ ବଚ୍ଚନ, ଶ୍ରୀଦେବୀ, ଏନଟିଆର ଏବଂ ଏଏନଆରଙ୍କ ଭଳି ତେଲୁଗୁ, ତାମିଲ ଏବଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ ବଡ ଅଭିନେତା-ଅଭିନେତ୍ରୀଙ୍କ ସହ କାମ କରିଛନ୍ତି । ତାଙ୍କ ଫିଲ୍ମଗୁଡିକ ମଧ୍ୟରେ ‘ନବରାତ୍ରୀ’, ‘ବ୍ରହ୍ମଚାରୀ’, ‘ଇଲାଲୁ’, ‘ପାଣ୍ଡାନି ଜୀବିତମ୍’, ‘ଅନ୍ଧା କାନୁନ’, ‘ନାଚେ ମୟୁରୀ’ ଏବଂ ‘ମୁକାବଲା’ ବେଶ୍ ଲୋକପ୍ରିୟ ।

Spread the love