ନିଦକୁ ବିପଦ ସୋସିଆଲ ମିଡ଼ିଆ ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ : ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି ଯେ ଦିନକୁ ୩ ଘଣ୍ଟା ବା ତା’ଠୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାଉଥିବା କିଶୋର କିଶୋରୀଙ୍କ ନିଦ ଗୁଣବତ୍ତାରେ ବ୍ୟାଘାତ ସୃଷ୍ଟି ହେଉଛି। ଯେଉଁ କିଶୋର କିଶୋରୀ ଘଣ୍ଟା ଘଣ୍ଟା ଧରି ମୋବାଇଲ, ଟ୍ୟାବ୍‌ ଆଦି ବ୍ୟବହାର କରନ୍ତି, ସ୍କୁଲ ପାଠ ପାଇଁ ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହୁଥିବା ପିଲାଙ୍କ ତୁଳନାରେ ସେମାନେ ଦୁଇ ଗୁଣ ଅଧିକ ନିଦ୍ରାହୀନତାର ଶିକାର ହୋଇଥାନ୍ତି ।ଅଧ ରାତିରେ ସେମାନଙ୍କ ନିଦ ଭାଙ୍ଗିଯାଏ । ପୁଣି ଥରେ ଶୋଇବା ପାଇଁ ସେମାନେ ଛଟପଟ ହୁଅନ୍ତି ଏବଂ ପର ଦିନ ସକାଳେ ନିଦ ଭାଙ୍ଗିବାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ଗବେଷକମାନେ କିଶୋର କିଶୋରୀଙ୍କୁ ସେମାନଙ୍କ ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ ଏବଂ ପ୍ରତି ୩ ଜଣରେ ଜଣେ ଅତି ମାତ୍ରାରେ ଫୋନ୍‌ ବ୍ୟବହାର କରୁଥିବା ଜାଣିବାକୁ ପାଇଲେ । ଏହା ସେମାନଙ୍କ ପରୀକ୍ଷା ଫଳ ଉପରେ ପ୍ରଭାବ ପକାଉଛି । ମୋବାଇଲ ଦେଖିବା ସମୟ ଓ ସୋସିଆଲ ମିଡିଆ ବ୍ୟବହାର କିଭଳି ଭାବେ ପିଲାଙ୍କ ମାନସିକ ଓ ସାମଗ୍ରୀକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି, ଗ୍ଲାସ୍‌ଗୋ ୟୁନିଭର୍ସିଟିର ଗବେଷକମାନେ ତାହା ବିଶ୍ଳେଷଣ କରିଥିଲେ । ଏଥିପାଇଁ ସେମାନେ ୧୩ରୁ ୧୫ ବର୍ଷ ବୟସର ୧୧,୮୭୨ ପିଲାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟକୁ ଆକଳନ କରିଥିଲେ ।

ଫେସବୁକ୍‌, ଟ୍ୱିଟର, ହ୍ୱାଟ୍ସଆପ୍‌ ସମେତ ସୋସିଆଲ ମିଡିଆରେ ସେମାନେ କେତେ ସମୟ ବିତାଇଥିଲେ, ତାହା ରିପୋର୍ଟ କରିଥିଲେ । ପ୍ରତି ୫ରେ ଜଣେ ପିଲା (୨୧ ପ୍ରତିଶତ) ଦିନକୁ ୫ ଘଣ୍ଟାରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାଉଥିବା ଜଣାପଡ଼ିଲା, ସେମାନଙ୍କୁ ମାତ୍ରାଧିକ ଶ୍ରେଣୀଭୁକ୍ତ କରାଗଲା । ଉଚ୍ଚ ମାତ୍ରା ଶ୍ରେଣୀର ପ୍ରାୟ ୧୪ ପ୍ରତିଶତ ପିଲା ଦିନକୁ ୩ରୁ ୫ ଘଣ୍ଟା ସୋସିଆଲ ମିଡିଆ ବ୍ୟବହାର କରୁଥିଲେ । ଏକ ତୃତୀୟାଂଶ (୩୩.୬ ପ୍ରତିଶତ) ପିଲା ଦିନକୁ ୧ରୁ ୩ ଘଣ୍ଟା ମୋବାଇଲ ବ୍ୟବହାର କରୁଥିଲେ । ସେମାନଙ୍କୁ ହାରାହାରି ବ୍ୟବହାରକାରୀ ଶ୍ରେଣୀରେ ରଖାଗଲା । ଏକ ତୃତୀୟାଂଶରୁ କିଛି ଅଧିକ ପିଲା (୩୩.୭ ପ୍ରତିଶତ) ଦିନକୁ ୧ ଘଣ୍ଟାରୁ କମ୍‌ ସମୟ ସୋସଆଲ ମିଡିଆ ବ୍ୟବହାର କରୁଥିଲେ । ସେମାନଙ୍କୁ ନିମ୍ନ ଶ୍ରେଶୀଭୁକ୍ତ କରାଗଲା । ହାରାହାରି ଶ୍ରେଣୀଭୁକ୍ତ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ତୁଳନାରେ ଉଚ୍ଚ ମାତ୍ରାରେ ବ୍ୟବହାର କରୁଥିବା ପିଲା ବିଳମ୍ବିତ ରାତିରେ ଶୋଉଥିବା ଜଣାପଡ଼ିଲା।

Spread the love