ସାବରମତୀରେ ଚରଖା ବୁଲାଇଲେ ଜନ୍‌ସନ୍‌

ଅହମଦାବାଦ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଗତକାଲି ଗୁଜରାଟର ଅହମଦାବାଦରେ ଅବତରଣ କରିବା ପରେ ସାବରମତୀ ଆଶ୍ରମ ପରିଦର୍ଶନ କରିଥିଲେ। ଆଶ୍ରମରେ ଜନସନ୍ ଚରଖା ବୁଲାଇ ମହାତ୍ମା ଗାନ୍ଧୀଙ୍କ ପ୍ରତି ସମ୍ମାନ ଜଣାଇଥିଲେ। କାରଣ ଗାନ୍ଧୀ କୁଟି ଖାଅ ଓ କାଟି ପିନ୍ଧିବା ପାଇଁ ଲୋକଙ୍କୁ ବୁଝାଇଆସୁଥିଲେ। ଆଶ୍ରମର ପରିଦର୍ଶକ ପୁସ୍ତକରେ ଜନସନ ଦେଇଥିବା ନିଜର ମନ୍ତବ୍ୟରେ ମହାତ୍ମା ଗାନ୍ଧୀଙ୍କୁ ଜଣେ ଅସାଧାରଣ ବ୍ୟକ୍ତି ଭାବେ ଉଲ୍ଲେଖ କରିଛନ୍ତି। ବିଶ୍ବକୁ ପରିବର୍ତ୍ତନ ପାଇଁ ସତ୍ୟ ଓ ଅହିଂସା ଭଳି ସରଳ ନୀତିକୁ ​ସେ‌ ପ୍ରଚାର ପ୍ରସାର କରାଇବାରେ ସଫଳ ହୋଇଥିଲେ।ଆଜି ଗସ୍ତର ଦ୍ବିତୀୟ ଦିନରେ ଜନସନ୍ ନୂଆଦିଲ୍ଲୀ ଯାତ୍ରା କରିବେ। ସକାଳେ ରାଷ୍ଟ୍ରପତି ଭବନରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। ପରେ ସେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ କାରବାର ସମ୍ପର୍କରେ ବୁଝାମଣା ହେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହିତ କଥାବାର୍ତ୍ତା କରିବେ।

Spread the love