ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ଭୁବନେଶ୍ୱର ୨୪/୦୩ : ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି । କଟକ ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ଶାରଳା ପୁରସ୍କାର ମଧ୍ୟ ପୁରସ୍କୃତ ହୋଇଥିଲେ।

ଅର୍ଥନୀତି ବିଭାଗ ପ୍ରାଧ୍ୟାପିକା ଭାବେ ଅବସର ନେଇଥିବା ବୀଣାପାଣି ମହାନ୍ତି ସାହିତ୍ୟସାଧନାରେ ବ୍ରତି ଥିଲେ। ସେ ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, ବହ୍ନିବଳୟ, ଉତ୍ତରାୟଣ ଭଳି ୩୪ଟି ଗଳ୍ପ ସଂକଳନ ଲେଖିଛନ୍ତି। ଏହାଛଡ଼ା ସୀତାର ଶୋଣିତ, ମନସ୍ୱିନୀ ଓ କୁନ୍ତି କୁନ୍ତଳା ଶକୁନ୍ତଳା ଭଳି ଉପନ୍ୟାସ ସେ ରଚନା କରିଛନ୍ତି ।

ବୀଣାପାଣି ମହାନ୍ତିଙ୍କ ଜନ୍ମ ବ୍ରହ୍ମପୁରରେ ୧୯୩୬ ମସିହାରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ପାଖରେ ଥିବା ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ ।

ବୀଣାପାଣି ପ୍ରଥମେ କବିତା ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆପଣେଇ ଥିଲେ। ତାଙ୍କର ପ୍ରଥମ କବିତା ତନ୍ଦ୍ରାହତ ୧୯୫୫ମସିହାରେ ପ୍ରଜାତନ୍ତ୍ର ଖବରକାଗଜ ନାରୀମହଲରେ ପ୍ରକାଶ ପାଇଥିଲା। ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ “ଗୋଟିଏ ରାତ୍ରୀର କାହାଣୀ’’ ରବିବାର ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା। ୧୯୬୧ମସିହାରେ ତାଙ୍କ ଗଳ୍ପ “ନାଉଗଛ’’ ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡ଼ି ସମ୍ପୂର୍ଣ୍ଣ ଭାବେ ଗଳ୍ପ ଲେଖିବାକୁ ଲାଗିଥିଲେ। ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । ନିଜର ସାହିତ୍ୟ ସାଧନା ଲାଗି ଓଡ଼ିଶା ସାହିତ୍ୟ ଏକାଡେମୀ, ବିଷୁବ ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, ଅନେକ ସମ୍ମାନ ଓ ପୁରସ୍କାରରେ ସମ୍ମାନିତ ବୀଣାପାଣି ମହାନ୍ତି।

Spread the love