ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ନମାଜ ଓ ହନୁମାନ ଚାଳିଶା ପଢିବାକୁ ଚାହାନ୍ତି ଏନସିପି ନେତା, ଅମିତ୍ ଶାହଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ଲାଉଡସ୍ପିକର ଏବଂ ହନୁମାନ ଚାଳିଶାକୁ ନେଇ ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ବିବାଦ ଏବେ ଦିଲ୍ଲୀରେ ଯାଇ ପହଞ୍ଚିଛି। ସାଂସଦ ନବନୀତ ରାଣା ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପଢିବା ନେଇ ସୃଷ୍ଟି ବିବାଦ ମଧ୍ୟରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ବାହାରେ ନମାଜ ସମେତ ସବୁ ଧର୍ମର ପ୍ରାର୍ଥନା କରିବାକୁ ଅନୁମତି ମାଗିଛନ୍ତି।ଏହି ସମ୍ବନ୍ଧରେ ସେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ଚିଠିରେ ଏନସିପି ନେତା ଲେଖିଛନ୍ତି ଗୃହ ମନ୍ତ୍ରୀ ଏହି କାର୍ଯ୍ୟକ୍ରମ ପାଇଁ ସମୟ ଦିଅନ୍ତୁ।

ମୁମ୍ବାଇ ଉତ୍ତର ଜିଲ୍ଲା କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଏନସିପି ନେତା ଫହମିଦା ହସନ ଖାନ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ନାମରେ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି, ମୁଁ ଫହମିଦା ହସନ ଖାନ ଆପଣଙ୍କୁ ନିବେଦନ କରୁଛି ଯେ, ମୋତେ ଆମର ପ୍ରିୟ ଭାରତ ଦେଶର ପ୍ରଧାନମନ୍ତ୍ରୀ ଆଦରଣୀୟ ନରେନ୍ଦ୍ର ମୋଦୀ ଜୀଙ୍କ ବାସଭବନ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ ବାହାରେ ନମାଜ, ହନୁମାନ ଚାଳିଶା, ନବକାର ମନ୍ତ୍ର, ଗୁରୁ ଗ୍ରନ୍ଥ ଏବଂ ନୋଭିନୋ ପଢିବାକୁ ଅନୁମତି ଦିଅନ୍ତୁ। କୃପା କରି ଦିନ ଏବଂ ସମୟ ଆପଣ ଜଣାନ୍ତୁ। ତାଙ୍କ ଚିଠି ପରେ ହନୁମାନ ଚାଳିଶା ବିବାଦର ନିଅଁ ଦିଲ୍ଲୀରେ ପହଞ୍ଚି ଯାଇଛି। ଏହାକୁ ନେଇ ଜାତୀୟସ୍ତରରେ ରାଜନୀତି ଆହୁରି ସରଗରମ ହେବାର ସମ୍ଭାବନା ରହିଛି।

ଏହା ପୂର୍ବରୁ ଅମରାବତୀ ସାଂସଦ ନବନୀତ ରାଣା ଏବଂ ତାଙ୍କ ପତି ବିଧାୟକ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ ବାହାରେ ହନୁମାନ ଚାଳିଶା ପଢିବାକୁ ଘୋଷଣା କରିଥିଲେ। ଏହାକୁ ନେଇ ସୃଷ୍ଟି ବିବାଦ ଥମିବାର ନାଁ ଧରୁନାହିଁ। ଏହି ମାମଲାରେ ଦୁଇ ନେତା ଗିରଫ  ହୋଇଛନ୍ତି ଏବଂ କୋର୍ଟ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଏହି ବିବାଦକୁ ନେଇ ସଂପ୍ରତି ରାଜନୀତି  ଜୋର ଧରିଛି।

Spread the love