ମାଓ ପ୍ରଭାବିତ ଅଞ୍ଚଳରେ ଖୁବଶୀଘ୍ର ୪-ଜି ମୋବାଇଲ ଓ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ : ଦେଶର ମାଓ ପ୍ରଭାବିତ ଅଞ୍ଚଳରେ ଖୁବଶୀଘ୍ର ୪-ଜି ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି  ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।ଦେଶରେ ମାଓ ପ୍ଭାବିିିତ ଅଞ୍ଚଳର ନିରାପତ୍ତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ୨ଜି ମୋବାଇଲ ସାଇଟ୍‌ଗୁଡିକୁ ୪ଜିରେ ପରିଣତ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହି ସବୁ ଅଞ୍ଚଳରେ ଥିବା ୨୩୪୩ ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ପରିଣତ କରାଯିବ ଏବଂ ଏଥିପାଇଁ ଆନୁମାନିକ ୧୮୮୪.୫୯ କୋଟି ଟଙ୍କା ଖର୍ଚ୍ଚ ହେବ। ଯେଉଁ ମୋବାଇଲ ସାଇଟଗୁଡିକ ୨ଜିରୁ ୪ଜିକୁ ଉନ୍ନୀତ ହେବ ତାହାର ରକ୍ଷଣାବେକ୍ଷଣ ଓ ପରିଚାଳନା ସମ୍ପୃକ୍ତ ସଂସ୍ଥାକୁ ୫ ବର୍ଷ ଯାଏ କରିବାକୁ ପଡିବ । ତେବେ ଏହି ୫ ବର୍ଷର ରକ୍ଷଣାବେକ୍ଷଣ ପରେ ସମ୍ପୃକ୍ତ ସାଇଟ୍‌ ଗୁଡିକର ପରିଚାଳନା ଓ ଦେଖାଶୁଣା କାମ ବିଏସ୍‌ଏନ୍‌ଏଲ ନିଜ ଖର୍ଚ୍ଚରେ କରିବ। ତେବେ ଏସବୁ ମୋବାଇଲ ସାଇଟଗୁଡିକ ବିଏସ୍‌ଏନ୍‌ଏଲ ସମ୍ପତ୍ତି ହୋଇଥିବାରୁ ଏହାର ଆଧୁନିକୀକରଣ ଓ ଉନ୍ନତୀକରଣ କାମ ବିଏସ୍‌ଏନ୍‌ଏଲ୍‌କୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ୟାବିନେଟ ଅନୁମୋଦନର ତାରିଖଠାରୁ ୧୨ମାସ କିମ୍ବା  ୪ଜି ସାଇଟ୍ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ, ଯେଉଁଟି ଆଗ ତାହାକୁ କାର୍ଯ୍ୟକାଳ ବୃଦ୍ଧି ସମୟ ଭାବେ ଗ୍ରହଣ କରାଯିବ ।

ଏ ସମ୍ମାନଜନକ ପ୍ରକଳ୍ପ ପାଇଁ ସରକାର ବିଏସ୍‌ଏନ୍‌ଏଲ୍‌କୁ ବାଛିବାର କାରଣ ହେଲା ୪ଜିରେ ଦେଶୀ କାରିଗରି ଜ୍ଞାନକୌଶଳ ଓ ସାମଗ୍ରୀର ଉପଯୋଗ କରାଯିବ। ଏହା ଫଳରେ ଟେଲିକମ୍ କ୍ଷେତ୍ର ଆତ୍ମନିର୍ଭର ହୋଇପାରିବ ଏବଂ ଘରୋଇ ବଜାର ଆବଶ୍ୟକତା ପୂରଣ ହେବ। ଗ୍ରାମାଞ୍ଚଳକୁ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ୍ ସେବା ଯୋଗାଇ ଇ-ପ୍ରଶାସନକୁ ସୁଦୃଢ କରିବାକୁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହା ମଧ୍ୟ ଏହି ପ୍ରକ୍ରିୟା ଦ୍ୱାରା ଅନେକାଂଶରେ ପୂରଣ ହେବ ।୪ଜି ସେବା ଏହି ସବୁ ଅଞ୍ଚଳରେ ବ୍ୟାଙ୍କ, ଟେଲିମେଡିସିନ, ଟେଲି ଶିକ୍ଷା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ ।

Spread the love