ଜୁନରେ 5G ସ୍ପେକ୍ଟ୍ରମ ନିଲାମୀ, ସରକାର ଦେଲେ ସଂକେତ, TRAIର ରହିଛି ମେଗା ପ୍ଲାନ

ନୂଆଦିଲ୍ଲୀ, ୨୮/୦୪: ଦେଶରେ ଖୁବଶୀଘ୍ର ଉପଲବ୍ଧ ହୋଇପାରେ 5G ସେବା। ଏହାର ସଂକେତ ଦେଇଛନ୍ତି କେନ୍ଦ୍ର ସରକାର। ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ଆସନ୍ତା ଜୁନ ମାସରେ 5G ସ୍ପେକ୍ଟ୍ରମର ନିଲାମୀ ହୋଇପାରେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦୂରସଂଚାର ମନ୍ତ୍ରଣାଳୟ ଏହି ଟାଇମଲାଇନକୁ ନଜରରେ ରଖି କାମ କରୁଛି ଏବଂ ସ୍ପେକ୍ଟ୍ରମର ମୂଲ୍ୟକୁ ନେଇ ଟେଲିକମ କମ୍ପାନୀଙ୍କ ଅଭିଯୋଗ ଦୂର କରିବା ଉପରେ ପ୍ରୟାସ ଜାରି ରହିଛି।

ଟ୍ରାଇ(TRAI) 5G ସେବାକୁ ଲାଗୁ କରିବା ପାଇଁ ପୂରା ପ୍ରସ୍ତୁତି ଜାରି ରଖିଛି। ଏଥିପାଇଁ ଟ୍ରାଇ ୩୦ ବର୍ଷ ପାଇଁ ଆବଣ୍ଟିତ ହେବାକୁ ଥିବା ରେଡିଓ ୱେବ୍ ପାଇଁ ବେସ ପ୍ରାଇସ ୭.୫ ଲକ୍ଷ କୋଟିରୁ ଅଧିକର ମେଗା ନିଲାମୀର ଯୋଜନା ପ୍ରସ୍ତୁତ କରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ସମୟଠାରୁ ସରକାରଙ୍କ କାମ ବହୁ ଆଗରେ ରହିଛି।

ଦୂରସଂଚାର ନିୟାମକ ଟ୍ରାଇ ୩୦ ବର୍ଷ ପାଇଁ ୧ ଲକ୍ଷ ମେଗାହର୍ଜରୁ ଅଧିକ ସ୍ପେକ୍ଟ୍ରମ ପାଇଁ ୭.୫ ଲକ୍ଷ କୋଟି ଟଙ୍କାରୁ ଅଧିକର ମେଗା ନିଲାମୀ ପାଇଁ ସୁପାରିସ କରିଛି। ତେବେ ଯଦି ସରକାର ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ ଆବଣ୍ଟନ କରନ୍ତି ତେବେ ଏପରି ସ୍ଥିତିରେ ୫.୦୭ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମୀର ପ୍ରସ୍ତାବ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଟ୍ରାଇ ସ୍ପେକ୍ଟ୍ରମର ମୂଲ୍ୟରେ ୩୯ ପ୍ରତିଶତ କମ କରିଛି, କିନ୍ତୁ ଟେଲିକମ କମ୍ପାନୀଙ୍କ କହିବା କଥା, ଏହା ଏବେ ବି ବୈଶ୍ୱିକ ମାନଦଣ୍ଡଠାରୁ ଅଧିକ ରହିଛି।

Spread the love