ଆଜି ୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନ ସାଢ଼େ ୧ଟାରେ ନୂଆଦିଲ୍ଲୀ ଅଭିମୁଖେ ବାହାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ଏବଂ  ଗସ୍ତ ଶେଷ କରି ଆସନ୍ତା ମେ’ ମାସ ୩ ତାରିଖରେ ଫେରିଆସିବେ।

ସିଏମ୍‌ଓ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଏପ୍ରିଲ ୩୦ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ଆୟୋଜିତ ହେବାକୁ ଥିବା  ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ଦିନିକିଆ ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ମଧ୍ୟ ଯୋଗ ଦେବେ। ସୂଚନାଯୋଗ୍ୟ, ୨୦୧୬ ଏପ୍ରିଲ ୨୪ ତାରିଖରେ ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ।ମେ’ ୧ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କର କୌଣସି ସରକାରୀ କାର୍ଯ୍ୟକ୍ରମ ନଥିବା ଜଣାପଡ଼ିଛି। ସେ ୨ତାରିଖରେ ଭାରତ ସରକାରଙ୍କ ଅନୁମତି ଅପେକ୍ଷାରେ ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି । ଗସ୍ତ ଅବସରରେ ସମସ୍ତ କାର୍ଯ୍ୟକ୍ରମ ଶେଷ କରି ମୁଖ୍ୟମନ୍ତ୍ରୀ ୩ ତାରିଖ ଅପରାହ୍ନ ସାଢ଼େ ୧ଟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

Spread the love