ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରି ସୁବ୍ୟବସ୍ଥିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେଉଛନ୍ତି। ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି।

ଏଥିପାଇଁ ରାଜ୍ୟରେ ୩୧୫ ଟି ନୋଡାଲ ସେଣ୍ଟର କରାଯାଇଛି। ଆସନ୍ତା ୨୨ ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ବୁକଲେଟ ଓ ଓଏମଆର ସିଟ ପଠାଯିବ ବୋଲି ବୋର୍ଡ ପକ୍ଷରୁ ଜଣାପଡିଛି। ନୋଡାଲ ସେଣ୍ଟର ଗୁଡ଼ିକରେ ୨୪ ଘଣ୍ଟିଆ କଡା ପ୍ରହରା ବ୍ୟବସ୍ଥା ସହ ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଜିଲା ଏସପିମାନଙ୍କୁ ନିବେଦନ କରିଛନ୍ତି ବୋର୍ଡ ସଭାପତି। ଦୁଇଟି ସିଟିଂରେ ବୋର୍ଡ ପରୀକ୍ଷା କରାଯାଉଛି। ସକାଳ ୮ ଟାରୁ ୧୦ ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ସାଢ଼େ ୧୧ ଟାରୁ ସାଢ଼େ ୧ ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ ଆଡ଼ମିଟ କାର୍ଡ ଆଜିଠାରୁ ଡାଉନଲୋଡ଼ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in ରୁ ଡାଉନଲୋଡ଼ ହେଉଛି ମାଟ୍ରିକ ପରୀକ୍ଷା ଆଡ଼ମିଟ କାର୍ଡ। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀଙ୍କ ପାଇଁ ସ୍କୁଲର କୋଡ଼ ଓ ପାସୱାର୍ଡ ଲଗ ଇନ କରି ଡାଉନଲୋଡ଼ କରୁଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ। ସେହିପରି ମଧ୍ୟମା ଓ ପତ୍ର ବିନିମୟ ପରୀକ୍ଷାର୍ଥୀ ନିଜ ନାମ ଓ ବାପାଙ୍କ ନାମ ଲଗ ଇନ କରି ଆଡ଼ମିଟ କାର୍ଡ ଡ଼ାଉନଲୋଡ଼ କରୁଛନ୍ତି।

ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ମେ ୭ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ନୂଆ ଢାଞ୍ଚାରେ ହେଉଛି ମାଟ୍ରିକ ପରୀକ୍ଷା। ସମେଟିଭ ୧ ଓ ସମେଟିଭ ୨ ଏଭଳି ଦୁଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି। ସମେଟିଭ ୧ ପରୀକ୍ଷା ଶେଷ ହୋଇଥିବା ବେଳେ ୨୯ ତାରିଖରୁ ହେବ ସମେଟିଭ ୨ ପରୀକ୍ଷା। ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ଯଥା ସମ୍ଭବ ନିଜ ସ୍କୁଲରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ତିନୋଟି ପଦ୍ଧତିରେ ଏହି ପରୀକ୍ଷା ମୂଲ୍ୟାୟନ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି। ସମେଟିଭ ୨ ପରୀକ୍ଷା ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ।ପ୍ରତ୍ୟେକ ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ପରୀକ୍ଷା ପାଇଁ ୨ ଘଂଟାର ସମୟ ସୀମା ରହିବ। କେବଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଦିଆଯିବ।ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା। କୋଭିଡ କଟକଣା ମଧ୍ୟରେ ଚାଲିବ ଏହି ମାଟ୍ରିକ ପରୀକ୍ଷା।

୧୩ରୁ ନବମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ସମ୍ମେଟିଭ-୨ (ଏସଏ)ପରୀକ୍ଷା ଆସନ୍ତା ୧୩ ତାରିଖଠାରୁ ଆରମ୍ଭ ହେବ।ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ଏହି ପରୀକ୍ଷା ଦେବେ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ସରିବ। ରାଜ୍ୟର ପ୍ରାୟ ୯ ହଜାର ୭୫ଟି ସ୍କୁଲର ୫ ଲକ୍ଷ ୬୯ ହଜାର ୬୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଶ୍ନପତ୍ର ରଖିବା ପାଇଁ ୩୦ଟି ଜିଲ୍ଲାରେ ୪୫୯ଟି ନୋଡାଲ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛି। ୨୧ ତାରିଖ ପରୀକ୍ଷା ଶେଷ ହେବା ପରେ ଆସନ୍ତା ୨୬ ତାରିଖ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ। ୩୦ ତାରିଖରୁ ମେ ୬ ତାରିଖ ମଧ୍ୟରେ ବୋର୍ଡ ୱେବସାଇଟରେ ମାର୍କ ଅପଲୋଡ କରାଯିବ ବୋଲି ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ଦ୍ୱିତୀୟ ଭାଷା ଇଂରାଜୀ ବିଷୟରେ ପରୀକ୍ଷା ଆରମ୍ଭ ହୋଇ ୧୬ ତାରିଖରେ ଗଣିତ, ୧୮ରେ ସାଧାରଣ ବିଜ୍ଞାନ, ୧୯ରେ ପ୍ରଥମ ଭାଷା ଓଡିଆ, ୨୦ରେ ସାମାଜିକ ବିଜ୍ଞାନ, ୨୧ ତାରିଖରେ ତୃତୀୟ ଭାଷା ହିନ୍ଦୀ ବିଷୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ମୋଟ ୮୦ ମାର୍କ ରୁ ୫୦ ମାର୍କ ଅବଜେକ୍ଟିଭ ଏବଂ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ।

ଏପ୍ରିଲ୍‌ ୨ରୁ ସକାଳୁ ସ୍କୁଲ ଯିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟର ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ସକାଳ ୬.୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ସେହିପରି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ବିଭାଗ କହିଛି ।

ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ଦୁଇ ସପ୍ତାହ ଖରାଛୁଟି

ଭୁବନେଶ୍ୱର : ରାଜ୍ୟରେ ଏଥର ଛାତ୍ରଛାତ୍ରୀଙ୍କୁ ଆଉ ଦୁଇ ମାସର ଖରାଛୁଟି ମିଳବନି ମିଳିବ ମାତ୍ର ଦୁଇ ସପ୍ତାହ। ଆସନ୍ତା ମେ ଦ୍ୱିତୀୟ ସପ୍ତାହରୁ ଦୁଇ ସପ୍ତାହ ଛୁଟି ମିଳିପାରେ । ଏହାପରେ ଚାଲିବ ଛାତ୍ରଛାତ୍ରୀଙ୍କ ବ୍ରିଜ୍‌ କୋର୍ସ।ଗତ ଦୁଇବର୍ଷରେ ସେମାନେ ଯାହା ହରାଇଛନ୍ତି ସେସବୁକୁ ଏହି ବ୍ରିଜ୍‌ କୋର୍ସ ମାଧ୍ୟମରେ ପୂରଣ କରାଯିବ।ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଷ କରୁଛି।

କରୋନା ପାଇଁ ଦୁଇବର୍ଷ ହେବ ପିଲାଙ୍କ ପାଠପଢ଼ାରେ ଗଭୀର ପ୍ରଭାବ ପଡ଼ିଛି । ପୂରାପୂରି ଦୁଇଟି କ୍ଲାସ୍‌ରେ ଶିକ୍ଷାଗ୍ରହଣ କରିପାରିନାହାନ୍ତି ଛାତ୍ରଛାତ୍ରୀ । ଅନେକ ତ ସେହି ଦୁଇବର୍ଷରେ କ’ଣ ବିଷୟ ରହିଥିଲା ତାହା ବି ଜାଣିନାହାନ୍ତି । ଯାହାଦ୍ୱାରା ବର୍ତ୍ତମାନ ସେମାନେ ପାଠ ଧରିପାରୁନାହାନ୍ତି । ଦୁଇବର୍ଷ ପରେ ପଞ୍ଚମ ଶ୍ରେଣୀକୁ ଆସିଥିବା ପିଲାମାନେ ତୃତୀୟ ଶ୍ରେଣୀର ପାଠ କରିପାରୁନାହାନ୍ତି । ତେଣୁ ସେମାନଙ୍କର ଏହି କ୍ଷତିକୁ ଭରଣା କରିବା ପାଇଁ ଏବର୍ଷ ଗ୍ରୀଷ୍ମ ଛୁଟି କମିଛି। ସେଥିପାଇଁ ଏହି ଦୁଇ ସପ୍ତାହରେ ଶିକ୍ଷକମାନଙ୍କୁ ବ୍ରିଜ୍‌ କୋର୍ସ ଉପରେ ପ୍ରଶିକ୍ଷଣ ଦିଆଯିବ। ଏହା ଉପରେ ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ।

Spread the love