ବରିଷ୍ଠ ପୋଲିସ ଅଧିକାରୀ ସ୍ତରରେ ବଡ ଧରଣର ଅଦଳବଦଳ, ମନୋଜ କୁମାର ଛାବ୍ରା ହେଲେ ଜେଲ୍ ବିଭାଗ ଡିଜି

ଭୁବନେଶ୍ୱର ୨୯/୦୪: ରାଜ୍ୟ ସରକାର ଶୁକ୍ରବାର IPS ଅଫିସର ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । ଯାହା ଆଶା କରାଯାଉଥିଲା ତାହା ହୋଇଛି, ବଦଳିଛନ୍ତି ଟ୍ୱିନସିଟିର DCP । କଟକ ଡିସିପି ଦାୟିତ୍ୱରେ ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର DCP ଭାବେ ନିଯୁକ୍ତ କରାଯାଇଛି । ସେହିଭଳି କଟକ ଡିସିପି ହୋଇଛନ୍ତି ପିନାକ ମିଶ୍ର । ତେବେ ଭୁବନେଶ୍ୱର ଡିସିପି ଥିବା ଉମାଶଙ୍କର ଦାସଙ୍କୁ ପୋଲିସ କମିଶନରେଟରେ ଆଡିସନାଲ ସିପି ଦାୟିତ୍ୱ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଳାୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଡଃ ମନୋଜ କୁମାର ଛାବ୍ରାଙ୍କୁ ଜେଲ୍ ବିଭାଗର ମହାନିର୍ଦ୍ଦେଶକ ସହ କରେକ୍ସନାଲ ସର୍ଭିସେସର ଡାଇରେକ୍ଟର ଭାବେ ଅବସ୍ଥାପିତ କରାଯାଇଛି । ସେ ବର୍ତ୍ତମାନ ସ୍ପେଶାଲ ଡିଜିପି , ଏସଏପି ଭାବେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଜେଲ୍ ବିଭାଗ ଡିଜି ଥିବା ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଅଗ୍ନିଶମ, ସିଭିଲ ଗାର୍ଡ, ହୋମଗାର୍ଡ ଡିଜି ତଥା ଡାଇରେକ୍ଟର ସିଡି ଭାବେ ଅବସ୍ଥାପିତ କରାଯାଇଛି ।

ଏଡିଜିପି, ସିଆଇଡି-ସିବି(ଓଏସପିଏଚ୍ ଆଣ୍ଡ ଡବ୍ଲୁ ସିର ଅତିରିକ୍ତ ଦାୟିତ୍ୱ) ଥିବା ସଞ୍ଜୀବ ପଣ୍ଡାଙ୍କୁ ଡାଇରେକ୍ଟର ଇଣ୍ଟେଲେଜେନ୍ସ ପଦବୀକୁ ବଦଳି କରାଯିବା ସହ ଅତିରିକ୍ତ ଭାବେ ଓଏସପିଏଚ୍ ଆଣ୍ଡ ଡବ୍ଲୁ ସି ଦାୟିତ୍ୱ ଦିଆଯାଇଛି । ପରିବହନ କମିଶନ ଥିବା ଅରୁଣ ବୋଥ୍ରାଙ୍କୁ ଏଡିଜିପି, ସିଆଇଡି-ସିପି ପଦବୀରେ ଅବସ୍ଥାପିତ କରାଯାଇଛି କିନ୍ତୁ ସେ ଅତିରିକ୍ତ ଦାୟିତ୍ୱ ଭାବେ ଟ୍ରାନ୍ସପୋର୍ଟ କମିଶନର ଦାୟିତ୍ୱ ତୁଲାଇବେ ।

ୟୁପି ଆଣ୍ଟ ଟିଟିଆଇର ଅଧ୍ୟକ୍ଷ ଥିବା ଗଜଭିୟେ ଏସ.କେ ଇଶ୍ୱରଦାସଙ୍କୁ ଆଇଜିପି, କମୁନିକେସନ ପଦବୀକୁ ବଦଳି କରାଯାଇଛି । ହୋମଗାର୍ଡ୍ସ ଆଇଜିଡି ଥିବା ସୈଫିନ ଅହମ୍ମଦ କେ. ଙ୍କୁ ବଦଳି କରାଯାଇ ଆଇଜିପି, ଏଚଆରପିସି ପଦବୀରେ ଅବସ୍ଥାପିତ କରାଯଇଛି । ଭୁବନେଶ୍ୱର ଡିସିପି ଥିବା ଡଃ ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱର-କଟକର ଅତିରିକ୍ତ ସିପି ପଦବୀକୁ ବଦଳି କରାଯାଇଛି ।

ସେହିପରି ବର୍ତ୍ତମାନ ଦ୍ୱୈତନଗରୀର ଅତିରିକ୍ତ ସିପି ଥିବା ନିତିଶେଖରଙ୍କୁ ଡିଆଇଜି, ଡବ୍ଲୁ ଆର, ରାଉରକେଲାକୁ ବଦଳି କରାଯାଇଛି । ବ୍ରହ୍ମପୁର ଏସପି ଥିବା ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ନବରଙ୍ଗପୁର ଏସପି ପରମାର ସ୍ମିଥ୍ ପରଷୋତ୍ତମଦାସଙ୍କୁ ବରଗଡ ଏସପି ଭାବେ ଅବସ୍ଥାପିତ କରାଯାଇଛି । କଟକରେ ଡିସିପି ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଛି ।

ବରଗଡରେ ଏସପି ଥିବା ରାହୁଲ ଜୈନଙ୍କୁ ଝାରସୁଗୁଡା ଏସପି ଭାବେ ବଦଳି କରାଯାଇଛି । ସେହିଭଳି କଳାହାଣ୍ଡିରେ ଏସପି ଥିବା ଡଃ ଶର୍ବଣା ବିବେକ୍ ଏମ୍ ଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି । ନୟାଗଡ ଏସପି ସିଦ୍ଧାର୍ଥ କଟାରିୟାଙ୍କୁ ଖୋର୍ଦ୍ଧା ଏସପି ଭାବେ ନିଯୁକ୍ତି କରାଯାଇଛି । ଖୋର୍ଦ୍ଧା ଏସପି ଥିବା ଅଲେଖ୍ ପହିଙ୍କୁ ନୟାଗଡ ଏସପି ଭାବେ ବଦଳି କରାଯାଇଛି ।

ଟ୍ରାଫିକ ଡିସିପି ପଦବୀରେ ଥିବା ଏସ୍ ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି । ସେହିଭଳି କଳାହାଣ୍ଡିର ଏସପି ଭାବେ ଅବସ୍ଥାପିତ ହୋଇଛନ୍ତି ଅଭିଳାଶ ଜି । ସେ ବର୍ତ୍ତମାନ ଏସପି, ନାର୍କୋଟିକ୍ସ ଏସଟିଏଫ୍ ପଦବୀରେ ଅଛନ୍ତି ।

Spread the love