ଦେଶରେ ବିଜୁଳି ସଙ୍କଟ ପାଇଁ କ’ଣ ୬୦ ବର୍ଷର କଂଗ୍ରେସ ଶାସନ ଦାୟୀ: ପି. ଚିଦମ୍ବରମ୍

ନୂଆଦିଲ୍ଲୀ: ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ ପାଇଁ କୋଇଲା ଅଭାବ ହେବାରୁ କେତେକ ରାଜ୍ୟରେ ବିଜୁଳି ସଙ୍କଟ ସୃଷ୍ଟି ହୋଇଥିବାରୁ କୋଇଲାବାହୀ ମାଲ୍‌ଗାଡ଼ି ଚଳାଚଳ ସୁବିଧା କରିବା ଲାଗି ରେଳବାଇ ୪୨ଟି ଯାତ୍ରୀବାହୀ ଟ୍ରେନ୍‌ ବାତିଲ୍‌ କରିଛି। ଏଥିଯୋଗୁଁ, ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡ ଭଳି କୋଇଲା ଉତ୍ପାଦନକାରୀ ରାଜ୍ୟବାସୀଙ୍କ ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଛି।ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ବାତିଲ କରି କେତେ ରାଜ୍ୟକୁ ‌କୋଇଲା ପଠାଇବା ଲାଗି ମାଲ୍‌ଗାଡ଼ି ଚଳାଚଳ କରିବା ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‌ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି: ପର୍ଯ୍ୟାପ୍ତ କୋଇଲା, ଦୀର୍ଘତମ ରେଲ୍‌ ନେଟ୍‌ୱାର୍କ, ଥର୍ମାଲ୍‌ ପ୍ଲାଣ୍ଟ୍‌ଗୁଡ଼ିକରେ ଅବ୍ୟବହୃତ ସାମର୍ଥ୍ୟ ରହିଛି। ତଥାପି ଦେଶରେ ବିଜୁଳି ଅଭାବ ଉତ୍କଟ ହେଉଛି। ଏଥିପାଇଁ ମୋଦୀ ସରକାର ଦାୟୀ ନୁହନ୍ତି। ଏଥିପାଇଁ ୬୦ ବର୍ଷର କଂଗ୍ରେସ ଶାସନ ଦାୟୀ।ସେ ଆହୁରି ମଧ୍ୟ କହିଛନ୍ତି, ଏଥିପାଇଁ ସରକାର ସମୁଚ୍ଚିତ ସମାଧାନର ସୂତ୍ର ପାଇଛନ୍ତି: ଯାତ୍ରୀବାହୀ ଟ୍ରେନ୍‌ ବାତିଲ କରି କୋଇଲା ଟ୍ରେନ୍‌ ଚଳାଅ।ବିଜୁଳି ସଙ୍କଟ ସଂକ୍ରାନ୍ତରେ ସରକାରଙ୍କ ନିଷ୍ପତ୍ତି ଉପରେ ଚିନ୍ତା ପ୍ରକଟ କରି ସେ ଆହୁରି ମଧ୍ୟ ଲେଖିଛନ୍ତି, କୋଇଲା, ରେଳବାଇ କିଂବା ଶକ୍ତି ମନ୍ତ୍ରାଳୟରେ ଅପରାଗତା ନାହିଁ। ଉପରୋକ୍ତ ବିଭାଗରେ ଅତୀତରେ ଥିବା କଂଗ୍ରେସ ମନ୍ତ୍ରୀମାନେ ଏଥିପାଇଁ ଦାୟୀ। ମୋଦୀ ଥିଲେ ସବୁ ସମ୍ଭବ।

Spread the love