ଦିଗପହଣ୍ଡି ଡବଲ ମର୍ଡର ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ୯ ଗିରଫ

ବ୍ରହ୍ମପୁର, ୦୩।୦୫: ଦିଗପହଣ୍ଡି ଚଷା ନିମଖଣ୍ଡି ଡବଲ ମର୍ଡର ଘଟଣାରେ ପୋଲିସ୍ ଘଟଣାର ମୁଖ୍ୟ ଆସାମୀ ସହ ୯ ଜଣଙ୍କୁ ଗିରଫ କରିଛି । ହତ୍ୟା ପାଇଁ ୫୦ ହଜାର ଟଙ୍କା ଡିଲ୍ ହୋଇଥିବା ବେଳେ ୩୦ ହଜାର ଟଙ୍କା ଦିଆଯାଇଥିଲା । ୨୦୨୨ ପଞ୍ଚାୟତ ନିର୍ବାଚନରେ ହାର୍ ଜିତ୍ କୁ ନେଇ ପ୍ରତିଷୋଧ ପରାୟଣ ହୋଇ ହତ୍ୟାକାଣ୍ଡ ଘଟାଯାଇଛି  । ଗତ ପଞ୍ଚାୟତ ନିର୍ବାଚନରେ ଚଷାନିମଖଣ୍ଡି ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ରବି ଗୌଡଙ୍କ ସ୍ତ୍ରୀ ଏବଂ ପ୍ରଶାନ୍ତ ଗୌଡଙ୍କ ସ୍ତ୍ରୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ ।

ନିର୍ବାଚନରେ ରବି ଗୌଡଙ୍କ ସ୍ତ୍ରୀ ୪ଟି ଭୋଟ୍ ରେ ବିଜୟୀ ହୋଇଥିଲେ। ରବି ଗୌଡଙ୍କ ସ୍ତ୍ରୀଙ୍କ ପାଇଁ ନିର୍ବାଚନରେ ସୁଧୀର ପାତ୍ର ଓ ସୁଦର୍ଶନ ସୁଆର ପ୍ରଚାର କରି ଜିତେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥିରେ ଅପର ଗୋଷ୍ଠୀ ପ୍ରତିଷୋଧ ପରାୟଣ ହୋଇ ସୁଧୀର ଏବଂ ସୁଦର୍ଶନଙ୍କୁ ହତ୍ଯା କରିବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର ରଚିଥିଲେ ପ୍ରଶାନ୍ତ ଗୌଡ଼। ୫୦ ହଜାର ଟଙ୍କା ସୁପାରି ଡିଲ୍ ହୋଇଥିବା ବେଳେ ୩୦ ହଜାର ଟଙ୍କା ପ୍ରଶାନ୍ତ ତିନିଜଣଙ୍କୁ ଦେଇଥିଲେ। ବୁଲୁ ଦାସ, ବି.ଦେବ ରେଡ୍ଡୀ ଏବଂ କୁନା ଗୌଡଙ୍କୁ ୩୦ ହଜାର ଟଙ୍କା ଦେଇଥିବା ଏସ୍ପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ  କହିଛନ୍ତି ।

ମୁଖ୍ୟ ଆସାମୀ ପ୍ରଶାନ୍ତ ଗୌଡଙ୍କ ସମେତ  ବୁଲୁ ଦାସ,  ବି ଦେବରାଜ ରେଡ୍ଡୀ, କୁନା ଗୌଡ, ବସନ୍ତ କୁମାର ଗୌଡ, କୃର୍ଷ୍ଣ ଚନ୍ଦ୍ର ଗୌଡ, ସିଦ୍ଧାନ୍ତ ଗୌଡ,  ସନ୍ତୋଷ କୁମାର ପ୍ରଧାନ, ସୁମନ୍ କୁମାର ନାହାକ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିବା ଏସ୍ପି କହିଛନ୍ତି ।

Spread the love