ବୁଧବାର ଦକ୍ଷିଣ-ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର ୦୪/୦୫: ବୁଧବାର ଦକ୍ଷିଣ-ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଯାହା ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ତେବେ ଏହାର ପରବର୍ତ୍ତୀ ତୀବ୍ରତା ଏବଂ ଗତିବିଧି କଣ ରହିବ ସେନେଇ ଆକଳନ କରାଯାଇନି । ଲଘୁଚାପ ପରେ ଏହା କେତେ ଘନୀଭୂତ ହେବ । ବାତ୍ୟା ହେଲେ ତାର ପ୍ରଭାବ କଣ ରହିବ ଏବଂ କେଉଁଠି ଲ୍ୟାଣ୍ଡଫଲ୍ କରିବ । ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନି ।

ତେବେ ବାତ୍ୟା ପାଇଁ ଅନୁକୂଳ ବାତାବରଣ ଥିବାରୁ ବିଭିନ୍ନ ମଡେଲ୍ ଅନୁସାରେ ବାତ୍ୟା ସମ୍ଭାବନା ରହୁଥିବା ୯ରୁ ୧୦ ତାରିଖ ଭିତରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ନେଇ ଇନକୋଇସ୍ ଓ ୱିଣ୍ଡି ଭଳି କିଛି ମଡେଲ୍ ଆକଳନ କରିଛି। ତେବେ ଦୁଇ ଦିନ ପରେ ବାତ୍ୟା ଚିତ୍ର ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଏତତ ବ୍ୟତୀତ, କାଳବୈଶାଖୀ କାରଣରୁ ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଛି । ଆସନ୍ତା ୪ ରୁ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଘଡଘଡି ସହ ବର୍ଷା ନେଇ ନୂଆପଡା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

Spread the love