ଆଜି ଆସିବ ଏଲଆଇସି ଆଇପିଓ : ଜବରଦସ୍ତ ରେସପନ୍ସ ଦେଉଛନ୍ତି ନିବେଶକ

ମୁମ୍ବାଇ : ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ସେୟାରଗୁଡ଼ିକୁ ଆଙ୍କର ନିବେଶକଙ୍କ ପକ୍ଷରୁ ଭଲ ରେସ୍‌ପନ୍ସ ମିଳିଛି । ଜଣେ ଅଧିକାରୀଙ୍କ କହିବାନୁସାରେ, ଆଙ୍କର ନିବେଶକଙ୍କ ପାଇଁ ସଂରକ୍ଷିତ ୫,୬୨୦ କୋଟି ଟଙ୍କାର ସେୟାର ସମ୍ପୂର୍ଣ୍ଣ ଭାବେ ସବ୍‌ସ୍କ୍ରାଇବ୍‌ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନର୍‌ୱେର ୱେଲ୍‌ଥ ଫଣ୍ଡ ନୋର୍ଗେସ ବ୍ୟାଙ୍କ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜ୍‌ମେଣ୍ଟ ଏବଂ ସିଙ୍ଗାପୁରର ସୋଭରେନ ୱେଲ୍‌ଥ ଫଣ୍ଡ ଜିଆଇସି ସହିତ ଅନ୍ୟ ଆଙ୍କର ନିବେଶକମାନଙ୍କୁ ମେ’ ୪ରେ ଆଇପିଓ ଖୋଲିବା ପୂର୍ବରୁ ସେୟାର ଆବଣ୍ଟିତ କରାଯାଇଛି । ଅଧିକାରୀ ଜଣକ କହିଛନ୍ତି ଯେ, ମୋଟ ୫,୬୨୦ କୋଟିର ସେୟାର ଆଙ୍କର ନିବେଶକଙ୍କୁ ଆବଣ୍ଟନ କରାଯିବାର ଥିଲା ଏବଂ ଏହା ସମ୍ପୂର୍ଣ୍ଣ ସବ୍‌ସ୍କ୍ରାଇବ୍‌ ହୋଇଯାଇଛି ।

ଏଲ୍‌ଆଇସି ଆଇପିଓରେ ସରକାର ନିଜର ୩.୫% ଅଂଶଧନ ବିକ୍ରି କରୁଛନ୍ତି, ଯେଉଁଥିରୁ ୫୦% ସେୟାର କ୍ୱାଲିଫାଏଡ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ ପ୍ଲେସ୍‌ମେଣ୍ଟ(କ୍ୟୁଆଇପି) ନିମନ୍ତେ ରଖାଯାଇଛି । କ୍ୟୁଆଇପି ପାଇଁ ସଂରକ୍ଷିତ ସେୟାରଗୁଡ଼ିକ ମଧ୍ୟରୁ ୩୫% ଆଙ୍କର ନିବେଶକଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା । ଏଲ୍‌ଆଇସି ଆଇପିଓରୁ କେନ୍ଦ୍ର ସରକାର ୨୧,୦୦୦ କୋଟି ଟଙ୍କା ସଂଗ୍ରହ ନେଇ ଆଶା ରଖିଛନ୍ତି । ଆଇପିଓ ଅନ୍ତର୍ଗତ ସରକାର କମ୍ପାନିରେ ନିଜର ୨୨.୧୩ କୋଟି ସେୟାର ବିକ୍ରି କରୁଛନ୍ତି ଏବଂ ସେୟାର ପିଛା ପ୍ରାଇସ୍‌ ବ୍ୟାଣ୍ଡ୍‌ ୯୦୨ରୁ ୯୪୯ ଟଙ୍କା ସ୍ଥିର କରାଯାଇଛି ।

ସଂସ୍ଥାଗତ ଏବଂ ଖୁଚୁରା ନିବେଶକଙ୍କ ପାଇଁ ଆଇପିଓ ମେ’ ୪ରେ ଖୋଲିବ ଏବଂ ମେ’ ୯ରେ ବନ୍ଦ ହେବ । ଆଇପିଓ ବନ୍ଦ ହେବାର ସପ୍ତାହ ପରେ ମେ’ ୧୭ରେ କମ୍ପାନିର ସେୟାର ପୁଞ୍ଜି ବଜାରରେ ତାଲିକାଭୁକ୍ତ ହେବ । ଡିଆର୍‌ଏଚ୍‌ପି ଅନୁସାରେ କୋଟା ଅନ୍ତର୍ଗତ ଏଲ୍‌ଆଇସି ପଲିସିଧାରୀଙ୍କ ପାଇଁ ୧୦%(୨.୨୧ କୋଟି ସେୟାର) ସଂରକ୍ଷିତ ରହିଛି । ଆଇପିଓରେ ପଲିସିଧାରୀଙ୍କୁ ୬୦ ଟଙ୍କାର ରିହାତି ମିଳିବ ।

Spread the love