ସ୍ଥଳଭାଗ ଛୁଇଁବନି ବାତ୍ୟା !

ଭୁବନେଶ୍ୱର, ୦୬/୦୫: ଟଳିଯାଇପାରେ ବାତ୍ୟା ବିପଦ । ସ୍ଥଳଭାଗ ଛୁଇଁବା ଆଗରୁ ହିଁ ସମୁଦ୍ର ଭିତରେ ମିଳେଇଯାଇପାରେ ସମ୍ଭାବ୍ୟ ବାତ୍ୟା। ବଡ଼ କଥା ହେଲା- ଓଡ଼ିଶା ଉପକୂଳ ଆଖପାଖକୁ ବି ଏ ବାତ୍ୟା ଆସିନପାରେ । ଆନ୍ଧ୍ର ଉପକୂଳ ପାଖକୁ ଆସିବା ପରେ ଆସନ୍ତା ୧୧ ତାରିଖବେଳକୁ ସମୁଦ୍ର ଭିତରେ ଦୁର୍ବଳ ହେବ । ଏତେ ଶୀଘ୍ର ମିଳେଇଯିବ କି ୧୩ ତାରିଖବେଳକୁ ସମୁଦ୍ର ଭିତରେ ଏହାର ଚିହ୍ନବର୍ଣ୍ଣ ରହିବା ସମ୍ଭାବନା ନାହିଁ । ପାଣିପାଗର ଏଭଳି ତାଜା ପୂର୍ବାନୁମାନ ଓଡ଼ିଶା, ଆନ୍ଧ୍ରର ଉପକୂଳବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଗ୍ଲୋବାଲ୍‌ ଫୋର୍‌କାଷ୍ଟିଂ ସିଷ୍ଟମ୍‌ (ଜିଏଫ୍‌ଏସ୍‌) ଚାର୍ଟରେ ଦର୍ଶାଯାଇଛି, ଲଘୁଚାପ ବାତ୍ୟା ରୂପ ନେବା ପରେ ଆସନ୍ତା ୧୦ ତାରିଖବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ପାଖାପାଖି ସମୁଦ୍ର ଭିତରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବ । ୧୧ ତାରିଖବେଳକୁ ବଦଳିଯିବ ଗତିପଥ । ଉତ୍ତର ପୂର୍ବ ଦିଗକୁ ମୁହାଁଇ ଉପକୂଳ ଠାରୁ ଦୂରେଇଯିବ । ତା ସହିତ ବାତ୍ୟାର ବଳ କମିବ, କ୍ରମଶଃ ଦୁର୍ବଳ ହେବ । ୧୨ ତାରିଖବେଳକୁ ପୂରା ଦୁର୍ବଳ ଅବସ୍ଥାରେ ସମୁଦ୍ରରେ ଥିବ । ୧୩ ତାରିଖକୁ କିଛି ନଥିବ ।ଜିଏଫଏସ ମଡେଲ ଆକଳନକୁ ଆଧାର କରି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୧୦ ତାରିଖ ରାତି ୧୦ଟାବେଳକୁ ବାତ୍ୟବିଶାଖାପାଟଣାଠାରୁ ଦକ୍ଷିଣରେ ସମୁଦ୍ର ଭିତରେ ଗତି କରୁଥିବ । ପରେ ଦିଗ ବଦଳାଇ ଦୁର୍ବଳ ହୋଇଯିବ । ୧୨ ତାରିଖବେଳକୁ ସମୁଦ୍ରରେ ମିଳେଇଯିବା ସମ୍ଭାବନା ଅଛି ।

ଆଇଏମଡି ପୂର୍ବାନୁମାନ ଅନୁସାରେ, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଉ କିଛି ଘଣ୍ଟା ଭିତରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ । ୪୮ ଘଣ୍ଟା ଭିତରେ ତାହା ଅବପାତ(ଡିପ୍ରେସନ୍‌) ପାଲଟିବ ।ହେଲେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ୧୮ଟି ଜିଲ୍ଲାର ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି । ପରିସ୍ଥିତିକୁ ଆଖି ଆଗରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସ୍‌ଆରସି କହିଛନ୍ତି, ୧୭ଟି ଏନଡିଆରଏଫ ଟିମ୍‌, ୨୦ଟି ଓଡ୍ରାଫ ୟୁନିଟ (ଯାହାକୁ ୬୦ଟି ସବ୍‌ ଟିମ୍‌ କରିହେବ), ୧୭୫ଟି ଅଗ୍ନିଶମ ଟିମ୍‌ ସଜାଗ ରଖାଯାଇଛି । ଆବଶ୍ୟକ ସ୍ଥଳେ ଅଧିକ ସହାୟତା ପାଇଁ ଏନଡିଆରଏଫକୁ କୁହାଯିବ । ଶକ୍ତି ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ, ନଗର ଉନ୍ନୟନ ବିଭାଗ ସହ ଆଲୋଚନା କରାଯାଇଛି । ଆସନ୍ତାକାଲି ଟେଲିକମ୍‌ ବିଭାଗ ସହ ଆଲୋଚନା କରାଯିବ । ସବୁ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି ।

ଏସଆରସି ଶ୍ରୀ ଜେନା କହିଛନ୍ତି, ଲୋକମାନେ ଆତଙ୍କିତ ହୁଅନ୍ତୁ ନାହିଁ । ଅଯଥାରେ ଅତ୍ୟଧିକ ସାମଗ୍ରୀ ଗଚ୍ଛିତ ରଖନ୍ତୁ ନାହିଁ । ଯେଉଁ ଅସାଧୁ ବ୍ୟବସାୟୀ ମନମୁଖୀ ଦରଦାମ ବୃଦ୍ଧି କରୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଓଡ଼ିଶା ଉପକୂଳକୁ ବାତ୍ୟା ଆସିବା ସମ୍ଭାବନା କମ୍‌ । ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିନପାରେ । ଓଡ଼ିଶା ଉପକୂଳରେ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ଅଳ୍ପ ବର୍ଷା ହୋଇପାରେ । ଲଗାଣ ବର୍ଷା ସମ୍ଭାବନା କମ୍‌ । 

Spread the love