ୟୁକ୍ରେନରେ ଅଣୁଅସ୍ତ୍ର ପ୍ରୟୋଗ ହେବ ନାହିଁ: ରୁଷ୍‌

ମସ୍କୋ :ରୁଷ୍‌ର ବୈଦେଶିକ ମନ୍ତ୍ରୀ ଆଲେକ୍ସି ଜେଟସେଭ୍ କହିଛନ୍ତି ଯେ  ୟୁକ୍ରେନ ବିରୋଧରେ ଚାଲିଥିବା ସାମରିକ ଅଭିଯାନରେ ଅଣୁ ଅସ୍ତ୍ର ପ୍ରୟୋଗ ହେବ ନାହିଁ।ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର ଆଶଙ୍କା ୟୁକ୍ରେନ ଉପରେ ରୁଷ୍ ଅଣୁ ଅସ୍ତ୍ର ପ୍ରୟୋଗ କରିବ କିିନ୍ତୁ ଆଲେକ୍ସି ଏହାକୁ ଖଣ୍ଡନ କରିଛନ୍ତି। ଏପ୍ରିଲ ମଧ୍ୟ ଭାଗରେ ଆମେରିକା କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି (ସିଆଇଏ) ନିର୍ଦେଶକ ୱିଲିୟମ୍ ବର୍ଣ୍ଣସ୍‌ କହିଥିଲେ ଯେ ୟୁକ୍ରେନ ଯୁଦ୍ଧରେ ରୁଷ୍‌ ଅନେକ କ୍ଷତି ସହିଲାଣି। ତେଣୁ ରୁଷ୍ ଆଗକୁ ଅଣୁଅସ୍ତ୍ର ବ୍ୟବହାର କରିବାର ଆଶଙ୍କା ରହିଛି। ରୁଷ୍ ଏବେ ଏହି ଆଶଙ୍କାକୁ ଦୂର କରିଛି। ୟୁକ୍ରେନର ଆଜୋବଷ୍ଟଲ ଷ୍ଟିଲପ୍ଲାଣ୍ଟ ଉପରେ ରୁଷ୍ ଏହାର ଆକ୍ରମଣ ଜାରି ରଖିଛି। ଏହି ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର ସମୟରେ ରୁଷ୍ ସେନା ଗୁଳିମାଡ କରିଥିବା ୟୁକ୍ରେନ ଅଭିଯୋଗ କରିଛି। ମାରିଉପୋଲ ସହର ଆଜୋବଷ୍ଟଲ ଷ୍ଟିଲ୍‌ ପ୍ଲାଣ୍ଟ କିଛି ଦିନ ହେଲା ଯୁଦ୍ଧର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଏଠାରେ ଥିବା ସାଧାରଣ ନାଗରିକଙ୍କ ସ୍ଥାନାନ୍ତର ନିମନ୍ତେ ରୁଷ୍ ୩ଦିନିଆ ଅସ୍ତ୍ରବିରତି ଘୋଷଣା କରିଥିଲା। ମାତ୍ର ରୁଷ୍ ସେନା ଏହି ଅସ୍ତ୍ରବିରତି ପ୍ରତିଶ୍ରୁତିକୁ ଉଲ୍ଲଙ୍ଘନ କରିଥିବା ୟୁକ୍ରେନ କହିଛି।
ରୁଷ୍ ବିରୋଧୀ ଯୁଦ୍ଧରେ ୟୁକ୍ରେନକୁ ସହାୟତାର ହାତ ବଢାଇଛି ଜର୍ମାନୀ। ୟୁକ୍ରେନକୁ ୭ଟି ସ୍ବୟଂଚାଳିତ ହାୱିଜର ଯୋଗାଇ ଦେବାକୁ ଜର୍ମାନୀ କହିଛି। ହାୱିଜର କମାଣ ଜର୍ମାନୀର ପ୍ରମୁଖ ୫ଟି ଅସ୍ତ୍ର ମଧ୍ୟରୁ ଅନ୍ୟତମ। ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଟିଏନ ଲାମବ୍ରେଚ କହିଛନ୍ତି ଯେ ୟୁକ୍ରେନକୁ ଭାରୀ ଅସ୍ତ୍ର ପଠାଇବା ଯୋଜାନରୁ ଦେଶ ନିବୃତ୍ତ ରହିଛି। ଏବେ ହାୱିଜର କମାଣ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ହାୱିଜର କମାଣ ଚଳାଇବା ଲାଗି ୟୁକ୍ରେନର ୨୦ଜଣ ସୈନ୍ୟଙ୍କୁ ଜର୍ମାନୀ ପ୍ରଶିକ୍ଷଣ ଦେଇଛି। ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ରୁଷ୍-ୟୁକ୍ରେନ ଯୁଦ୍ଧରେ କୌଣସି ରାଷ୍ଟ୍ର ବିଜୟୀ ହୋଇପାରିବେ ନାହିଁ ବୋଲି ଭାରତ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ଜର୍ମାନୀ କଥାବାର୍ତ୍ତା କାଳରେ କହିଥିଲେ ଯେ ଯୁଦ୍ଧରେ କେହି ବିଜୟୀ ହେବେ ନାହିଁ।ଗତ ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ଏହାକୁ ଦୋହରାଇଛନ୍ତି।

Spread the love