ଦ୍ବିତୀୟବାର ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ଶ୍ରୀଲଙ୍କାର ରାଷ୍ଟ୍ରପତି

କଲମ୍ବୋ: ୫ ସପ୍ତାହ ପୂର୍ବରୁ ରାଷ୍ଟ୍ରପତି ରାଜପକ୍ଷେ ଶ୍ରୀଲଙ୍କାରେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ। ଏବେ ଉତ୍କଟ ଆର୍ଥିକ ସଙ୍କଟଜନିତ ଅସ୍ଥିରତା ଏବଂ ସରକାର-ବିରୋଧୀ ପ୍ରତିବାଦ ତେଜୁଥିବାରୁ ଗତକାଲି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ପୁଣି ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତ। ଶ୍ରୀଲଙ୍କାର ଜଣେ ମୁଖପାତ୍ର କହିଛନ୍ତି, ଉତ୍କଟତର ହେଉଥିବା ଆର୍ଥିକ ସଙ୍କଟ ଯୋଗୁଁ ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଗତକାଲି ‘ଟ୍ରେଡ୍‌ ୟୁନିୟନ୍‌’ ସବୁ ରାଷ୍ଟ୍ରବ୍ୟାପୀ ଧର୍ମଘଟ କରିବାରୁ ସର୍ବସାଧାରଣରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ରାଷ୍ଟ୍ରପତି ଏହି କଠୋର ଆଇନ ଘୋଷଣା କରିଛନ୍ତି।ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଜାତୀୟ ସଂସଦ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଶିକ୍ଷାର୍ଥୀମାନଙ୍କୁ ଘଉଡ଼ାଇବା ଲାଗି ଗତକାଲି ପୂର୍ବାହ୍ନରେ ପୋଲିସ ଲୁହବୁହା ବାଷ୍ପ ଓ ଜଳ କମାଣ (ପାଣିମାଡ଼) ପ୍ରୟୋଗ କରିଥିଲା। ସଂସଦକୁ ପଡ଼ିଥିବା ରାସ୍ତାରେ ଗତ ଗୁରୁବାର ଠାରୁ ହଜାର ହଜାର ଛାତ୍ର-ପ୍ରତିବାଦକାରୀ ଡେରା ପକାଇଥିଲେ। ଗତ ଗୁରୁବାର ଅପରାହ୍ଣରେ ମଧ୍ୟ ସେମାନଙ୍କୁ ଘଉଡ଼ାଇବା ଲାଗି ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା।ଗତକାଲି ମଧ୍ୟରାତ୍ରରୁ ଜରୁରୀ ପରିସ୍ଥିତି ଲାଗୁ ହେବ ବୋଲି ମୁଖପାତ୍ରଜଣକ କହିଛନ୍ତି।ସମଗ୍ର ଶ୍ରୀଲଙ୍କାରେ ପ୍ରତିବାଦ ତୀବ୍ରତର ହେଉଥିଲେ ମଧ୍ୟ ଇସ୍ତଫା ଦେବେ ନାହିଁ ବୋଲି ରାଷ୍ଟ୍ରପତି ରାଜପକ୍ଷେ କହିଛନ୍ତି।

Spread the love