ମେଡିସିନ ବାବା ମାଗି ନିଅନ୍ତି ବାଣ୍ଟି ଦିଅନ୍ତି

ନୂଆଦିଲ୍ଲୀ: ଲୋକଙ୍କୁ ସାହାଯ୍ୟ କରିବାର ପାଇଁ ଇଚ୍ଛା ଶକ୍ତି ଦରକାର।ତାହା କରିିିଦେଖାଇଛନ୍ତି ଜଣେ ୮୫ ବର୍ଷୀୟ ବୃଦ୍ଧ।ବ୍ୟକ୍ତି ଜଣଙ୍କ ହେଲେ ଓମ୍‌କାର  ନାଥ ଶର୍ମା। ଦିଲ୍ଲୀର ଏହି ବୃଦ୍ଧ ଜଣଙ୍କ ‘ମେଡିସିନ୍‌ ବାବା’ ନାଁରେ ପରିଚିତ।ମେଡିସିନ୍‌ ବାବା ପ୍ରତିଦିନ ଘରକୁ ଘର ବୁଲି ମେଡିସିନ୍‌ ଯୋଗାଡ କରନ୍ତି। ଦୀର୍ଘ ୧୫ ବର୍ଷ ହେବା ସେ ଏହି କାମ କରୁଛନ୍ତି। ମାସକୁ ସେ ୫ଲକ୍ଷର ମେଡିସିନ୍‌ ଯୋଗାଡ କରୁଛନ୍ତି। ମେଡିସିନ୍‌ ଆଣିସାରିବା ପରେ ସେ ସେହି ସବୁ ମେଡିସିନ୍‌କୁ ନିଜ ଘର ପାଖରେ ଭଡାରେ ନେଇଥିବା ଏକ ଷ୍ଟୋରରେ ରଖନ୍ତି। ଗରିବ ଲୋକ, କିଛି ହସ୍ପିଟାଲ୍ , ଡିସ୍‌ପେନସରି ସହ ଆଶ୍ରମକୁ ମଧ୍ୟ ଏହି ମେଡିସିନ୍‌ ପଠାନ୍ତି। ଓମ୍‌କାର ଚାହାନ୍ତି ପ୍ରତି ରାଜ୍ୟ ଏବଂ ବିଭିନ୍ନ ଅଞ୍ଚଳରେ ଏମିତି ଗୋଟେ ଗୋଟେ ମେଡିସିନ୍‌ ବ୍ୟାଙ୍କ ହେଉ।ଓମ୍‌କାର ଜଣେ ଦିବ୍ୟାଙ୍ଗ, ସେ ଠିକ୍‌ରେ ଚାଲିପାରନ୍ତିନି। ସେ ଜଣେ ଅବସରପ୍ରାପ୍ତ ଲାବ ଟେକ୍‌ନିସିଆନ୍‌। ଓମ୍‌କାରଙ୍କ ଘର ବାହାରେ ମେଡିସିନ୍‌ ପାଇଁ ପ୍ରତିଦିନ ଗରିବ ଲୋକଙ୍କର ଲମ୍ବା ଲାଇନ୍‌ ଲାଗେ। ଲୋକଙ୍କୁ ସାହାଯ୍ୟ କରି ବେଶ୍‌ ଖୁସି ପାଆନ୍ତି ସେ। ପ୍ରତିଦିନ ଏକ ନାଲି ରଙ୍ଗର କୁର୍ତ୍ତା ପ୍ୟଣ୍ଟ ପିନ୍ଧି, କାନ୍ଧରେ ଏକ ଝୁଲା ବ୍ୟାଗ୍‌ ଗଳାଇ, ଘରକୁ ଘର ବୁଲି ସେ ମେଡିସିନ୍‌ ଯୋଗାଡ କରୁଛନ୍ତି। ଓମ୍‌କାରଙ୍କର ଏହି ଡ୍ରେସ୍‌ରେ ମେଡିସିନ୍‌ ବାବା ଏବଂ ତାଙ୍କର ଫୋନ୍‌ ନମ୍ବର ଲେଖାଯାଇଛି। ଏହି ଫୋନ୍‌ ନମ୍ବରରେ ଯୋଗାଯୋଗ କରି ଲୋକେ ମେଡିସିନ୍‌ ଦେଉଛନ୍ତି ଏବଂ ଆବଶ୍ୟକ ପଡିଲେ ମେଡିସିନ୍‌ ନେଉଛନ୍ତି।

ଗରିବ ଲୋକ ଯେଉଁଠି ଖାଇବାକୁ ପାଉନାହାନ୍ତି ସେଠି କେମିତି ମେଡିସିନ୍‌ କିଣିବେ। ତେଣୁ ସେମାନଙ୍କୁ ରୋଗ ମୁକ୍ତ ରଖିବା ପାଇଁ ଓମ୍‌କାର ଏଭଳି କିଛି ପଦକ୍ଷେପ ନେଇଛନ୍ତି।  ଯେତେବେଳେ ଜଣେ ଗରିବ ଲୋକ ଓମକାରଙ୍କ ପାଖରୁ ମାଗଣାରେ ମେଡିସିନ୍‌ ନେଇ ସୁସ୍ଥ ହୁଅନ୍ତି। ଏବଂ ପରେ ସେ ସୁସ୍ଥ ହେବା ପରେ ତାଙ୍କୁ  ଜଣାନ୍ତି ସେତେବେଳେ ଓମ୍‌କାରଙ୍କୁ ଶକ୍ତି ମିଳିଯାଏ ବୋଲି ସେ କୁହନ୍ତି। ସତରେ ଲୋକଙ୍କୁ ସାହାଯ୍ୟ କରିବାର ଏହା ଏକ ସୁନ୍ଦର ପ୍ରୟାସ। ଦେବାର ଇଚ୍ଛା ଥିଲେ ଲୋକଙ୍କ ପାଖରେ କେବେ ଅଭାବ ରହିବନି । ଏଇଟା ତାର ଜ୍ବଳନ୍ତ ଉଦାହରଣ।

Spread the love