ଖରିଫ ଫସଲ ଚାଷୀଙ୍କୁ ମିଳିବ ୯ ହଜାର କୋଟି ଋଣ

ଭୁବନେଶ୍ୱର : ସରକାରଙ୍କ ଖରିଫ ଫସଲ ଅଭିଯାନ-୨୦୨୨ରେ ରାଜ୍ୟ ସରକାର ସମବାୟ ସମିତି ଜରିଆରେ ଚାଷୀଙ୍କୁ ୯ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବେ। ୨୦୨୧ରେ ସମବାୟ ସମିତି ଜରିଆରେ ରାଜ୍ୟର ୧୮ଲକ୍ଷ ୬୧ହଜାର ୨୦୬ଜଣ ଚାଷୀଙ୍କୁ ୮୬୮୬ କୋଟି ୪୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ। ଏହା ସର୍ବକାଳୀନ ରେକର୍ଡ ଥିଲା ବୋଲି କୁହାଯାଉଛି। ପୁଣି ୨୦୨୧-୨୨ ରବି ଋତୁରେ ମଧ୍ୟ ୭୩୬୨ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଛି, ଯାହା ମଧ୍ୟ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି। କୋଭିଡ୍‌ ସମୟରେ ରାଜ୍ୟର ଅର୍ଥନୀତିକୁ କୃଷିକ୍ଷେତ୍ର ବେଶ ସହାୟ ହୋଇଥିବାରୁ ସରକାର ଏ ଦିଗରେ ଉତ୍ସାହିତ ଅଛନ୍ତି । ଏଥିପାଇଁ ସମସ୍ତ ସମବାୟ ସଂସ୍ଥାକୁ ରାଜ୍ୟ ସମବାୟ ବିଭାଗ ଚିଠି ଲେଖି ଅବଗତ କରାଇବା ପରେ ଉପନିବନ୍ଧକମାନେ ନିଜ ଅଧୀନରେ ଥିବା ସମବାୟ ମଣ୍ଡଳ ଅଧିକାରୀଙ୍କୁ ଏ ଦିଗରେ ଆଗକୁ ବଢ଼ି ଲକ୍ଷ୍ୟ ହାସଲକୁ ସୁନିଶ୍ଚିତ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ଯେ; ରାଜ୍ୟରେ ପ୍ରଦାନ କରାଯାଉଥିବା କୃଷି ଋଣର ୬୨ ପ୍ରତିଶତ ସମବାୟ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯାଉଥିବା ବେଳେ ବାକିତକ ଜାତୀୟକରଣ ତଥା ଘରୋଇ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯାଉଛି। ରାଜ୍ୟର ୩୦ଟି ଜିଲା ପାଇଁ ମୋଟ ୧୭ଟି ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) କାର୍ଯ୍ୟ କରୁଛି ଏବଂ ସମବାୟ ବ୍ୟାଙ୍କ ଅଧୀନରେ ସମବାୟ ସମିତି (ପାକ୍ସ) କାର୍ଯ୍ୟ କରୁଛି। ୨୦୨୨ ଖରିଫର ୯ହଜାର କୋଟି ଟଙ୍କାର ଋଣ ପ୍ରଦାନ ଧାର୍ଯ୍ୟ ଲକ୍ଷ୍ୟକୁ ସରକାର ଇତିମଧ୍ୟରେ ବ୍ୟାଙ୍କ ୱାରୀ/ ଜିିଲ୍ଲା ୱାରୀ ବଣ୍ଟନ କରିଛନ୍ତି। ଅନୁଗୁଳ ଜିଲ୍ଲା ପାଇଁ ୩୦୫ କୋଟି, ଢେଙ୍କାନାଳ ପାଇଁ ୨୧୫ କୋଟି, ଗଞ୍ଜାମ ପାଇଁ ୪୮୫ କୋଟି, ଗଜପତି ପାଇଁ ୪୫କୋଟି, ବାଲେଶ୍ୱର ପାଇଁ ୪୮୦ କୋଟି, ଭଦ୍ରକ ପାଇଁ ୪୨୦ କୋଟି, କଳାହାଣ୍ଡି ପାଇଁ ୨୦୦ କୋଟି, ନୂଆପଡ଼ା ପାଇଁ ୭୫ କୋଟି, ବଲାଙ୍ଗୀର ପାଇଁ ୪୪୦ କୋଟି, ସୁବର୍ଣ୍ଣପୁର ପାଇଁ ୧୯୦ କୋଟି, ବୌଦ୍ଧ ପାଇଁ ୧୬୫ କୋଟି, କନ୍ଧମାଳ ପାଇଁ ୮୫ କୋଟି, କଟକ ପାଇଁ ୫୧୦ କୋଟି, ଜଗତସିଂହପୁର ପାଇଁ ୨୪୦ କୋଟି, କେନ୍ଦ୍ରାପଡ଼ା ପାଇଁ ୬୩୦ କୋଟି, ଯାଜପୁର ପାଇଁ ୫୦୦ କୋଟି, କେନ୍ଦୁଝର ପାଇଁ ୨୬୦ କୋଟି, ଖୋର୍ଦ୍ଧା ପାଇଁ ୪୪୦ କୋଟି, କୋରାପୁଟ ପାଇଁ ୧୯୦ କୋଟି, ମାଲକାନଗିରି ପାଇଁ ୭୦ କୋଟି, ନବରଙ୍ଗପୁର ପାଇଁ ୧୪୫ କୋଟି, ରାୟଗଡ଼ା ପାଇଁ ୯୫ କୋଟି, ମୟୂରଭଞ୍ଜ ପାଇଁ ୩୦୫ କୋଟି, ବରଗଡ଼ ପାଇଁ ୮୪୦ କୋଟି, ସମ୍ବଲପୁର ପାଇଁ ୩୨୦ କୋଟି, ଝାରସୁଗୁଡା ପାଇଁ ୧୩୦ କୋଟି, ଦେବଗଡ଼ ପାଇଁ ୧୧୦ କୋଟି, ସୁନ୍ଦରଗଡ଼ ପାଇଁ ୬୪୦ କୋଟି ଓ ପୁରୀ ପାଇଁ ୨୦୦ କୋଟି ଟଙ୍କାର କୃଷି ଋଣ ପ୍ରଦାନର ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି। ତେବେ ସମବାୟ ସମିତିଗୁଡ଼ିକରୁ ମଞ୍ଜୁର ଋଣ ଅର୍ଥ ଅନଲାଇନ ଜରିଆରେ ଚାଷୀଙ୍କ ଜମାଖାତାକୁ ଯିବ। ଯେହେତୁ ସରକାର ସୁଧ ଉପରେ ରିଆତି ପ୍ରଦାନ କରୁଛନ୍ତି ତେଣୁ ପ୍ରକୃତ ଚାଷୀ ଯେମିତି ଉପକୃତ ହେବେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ୫୦ ହଜାର ଟଙ୍କା ଯାଏ ଋଣ ଉପରେ ସୁଧହାର ଶୂନ ପ୍ରତିଶତ ରହିଛି। ତେବେ ୫୦ରୁ ୩ଲକ୍ଷ ଯାଏ ଋଣ ଉପରେ ଶତକଡ଼ା ୫ ପ୍ରତିଶତ ବାର୍ଷିକ ସୁଧହାର ଲାଗୁ ହେବ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ପଇଠ କଲେ ସୁଧ ଉପରେ ୩ ପ୍ରତିଶତ ରିଆତି ଦେଉଛନ୍ତି ସରକାର। ତେବେ ଚାଷୀକୂଳର ବୃହତ୍ତର ସ୍ୱାର୍ଥକୁ ଆଖିଆଗରେ ରଖି ସରକାରଙ୍କ ଏହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

Spread the love