ଆଜି ଋଷରେ ବିଜୟ ଦିବସ ପରେଡ

କିଭ୍‍ :ଋଷ-ୟୁକ୍ରେନ ଯୁଦ୍ଧ ଦୁଇ ମାସ ବିତିଗଲାଣି ତଥାପି ଯୁଦ୍ଧ ଥମୁନି। ଇତିମଧ୍ୟରେ ଋଷରେ ଆଜି ବିଜୟ ଦିବସ ପରେଡ ଅନୁଷ୍ଠିତ ହେବ। ଯୁଦ୍ଧକୁ ତୃତୀୟ ମାସରେ ପହଞ୍ଚିଥିବାବେଳେ ଋଷ ଆକ୍ରମଣରେ ସମୁଦାୟ ୟୁକ୍ରେନ ଧ୍ୱସ୍ତ ବିଧ୍ୱସ୍ତ ହୋଇସାରିଲାଣି। ତଥାପି ଋଷ ପକ୍ଷରୁ ଦିନ ରାତି ୟୁକ୍ରେନର ବିଭିନ୍ନ ସ୍ଥଳକୁ ଲକ୍ଷ୍ୟକରି କ୍ଷେପଣାସ୍ତ୍ର ଓ ରକେଟ ମାଡ କରାଯାଉଛି।

ସୂଚନାଯୋଗ୍ୟ ଯେ ୧୯୪୫ ମେ ୮ ତାରିଖରେ ନାଜି ଜର୍ମାନୀର ପରାଜୟ ଓ ଆତ୍ମସମର୍ପଣ ସହିତ ୟୁରୋପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ଘଟିଥିଲା। ଏହି ଦିବସକୁ ଋଷରେ ଖୁବ ଧୁମ୍‍ଧାମରେ ପାଳନ କରାଯାଇଆସୁଛି। ରୁଷର ଅଧିକାଂଶ ଅଞ୍ଚଳ ସହିତ ଋଷ ଅଧିକୃତ ଅଞ୍ଚଳ ଏବଂ ମାରିଉପୋଲରେ ମଧ୍ୟ ଏହି ଦିବସ ପାଳିତ ହେବାକୁ ଯାଉଛି। ଏହି ଅଞ୍ଚଳଗୁଡିକରେ ଥିବା ରାସ୍ତାଗୁଡିକୁ ଋଷ ଏବଂ ସୋଭିଏତ୍‍ ବିଜୟ ପତାକାରେ ସୁସଜ୍ଜିତ କରାଯାଇଛି। ପୂର୍ବତନ ସୋଭିଏତ ସଂଘର ଶକ୍ତି ସମ୍ପର୍କରେ ସମସ୍ତଙ୍କୁ ସ୍ମରଣ କରାଇବା ଏବଂ ନାଜିବାଦ ବିରୋଧରେ ପ୍ରତ୍ୟେକ ନାଗରିକ କିଭଳି ଏକ ହୋଇ ଲଢେଇ କରିଥିଲେ, ତାହା ପ୍ରଦର୍ଶିତ କରିବା ଏହାର ଉଦ୍ଦେଶ୍ୟ। ମସ୍କୋର ରେଡ ସ୍କୋୟାରରେ ବିଜୟ ଦିବସ ପରେଡ ଆଜି ପୂର୍ବାହ୍ନ ୯ଟାରେ ଅନୁଷ୍ଠିତ ହେବ। ସେଥିପାଇଁ ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଯାନବାହନ ଚଳାଚଳକୁ ଦିନକ ପାଇଁ ବନ୍ଦ କରିଦିଆଯିବ। ଏହି ଅବସରରେ ଋଷ ନିଜର ସାମରିକ ଶକ୍ତି ମଧ୍ୟ ପ୍ରଦର୍ଶନ କରିବ ବୋଲି ଜଣାଯାଇଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ଏହି ଦିବସ ପରେଡରେ ଚଳିତବର୍ଷ ମାତ୍ର ୧୨୯ଟି ସାମରିକ ଯାନ ଏବଂ ୧୦ ହଜାର ସୈନ୍ୟ ଅଂଶଗ୍ରହଣ କରିବେ। ୨୦୨୧ରେ ଆୟୋଜିତ ପରେଡରେ ୧୯୧ଟି ସାମରିକ ଯାନ ଏବଂ ପ୍ରାୟ ୧୨ ହଜାର ସୈନ୍ୟ ଭାଗ ନେଇଥିଲେ। ଏହାସହିତ ଋଷର ୭୭ଟି ସାମରିକ ବିମାନ ଓ ହେଲିକପ୍ଟର ଉଡାଣ ଓ ସାମରିକ କୌଶଳ ପ୍ରଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ଋଷର ବିଭିନ୍ନ ପ୍ରାନ୍ତରେ ସାଧାରଣ ନାଗରିକଙ୍କର ଶୋଭାଯାତ୍ରା ଅନୁଷ୍ଠିତ ହେବ।
ଅନ୍ୟପକ୍ଷରେ ଆମେରିକାର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ୍‍ ବାଇଡେନ ଅପ୍ରତ୍ୟାଶିତ ଭାବରେ ୟୁକ୍ରେନ ଗସ୍ତ କରିଛନ୍ତି। ଗତକାଲି ସେ ୟୁକ୍ରେନରେ ପହଞ୍ଚିବା ପରେ ମାତୃ ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପତ୍ନୀ ଓଲେନା ଜେଲେନସ୍କିଙ୍କ ସହିତ ଯୋଗଦେଇଛନ୍ତି। ଋଷ୍‍ ପକ୍ଷରୁ ୟୁକ୍ରେନର ଏକ ସ୍କୁଲ ଉପରେ ଆକ୍ରମଣ କରାଯିବା ଫଳରେ ଅନ୍ୟୂନ ୬୦ ଜଣଙ୍କର ପ୍ରାଣହାନି ଘଟିଛି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ବିଜୟ ଦିବସ ବର୍ଷ ପାଳନ ଅବସରରେ ୟୁରୋପକୁ ପୁଣି ଖରାପ ଶକ୍ତି ଓ ଅନ୍ଧକାର ପ୍ରତ୍ୟାବର୍ତ୍ତନ କରିଛି। ସେ  ଋଷ ଆକ୍ରମଣକୁ ନାଜି ଜର୍ମାନୀ ସହିତ ତୁଳନା କରିଛନ୍ତି। ଏଭଳି ପରିସ୍ଥିତିରେ ମାରିଉପୋଲରର ଆଜୋଭସ୍ତାଲ ଇସ୍ପାତ କାରଖାନା ପରିସରରେ ରହିଥିବା ୟୁକ୍ରେନ ସୈନ୍ୟମାନେ ଜୀବନର ଶେଷ ପର୍ଯ୍ୟନ୍ତ ଋଷ ଆକ୍ରମଣର ମୁକାବିଲା କରିବେ ବୋଲି କହିଛନ୍ତି।

Spread the love