ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ଦେବଗଡ଼ ବିଧାୟକ, ପୂର୍ବରୁ ମିଳିଥିଲା ଜାମିନ୍‌

ଦେବଗଡ, ୧୦/୦୫: ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ମଙ୍ଗଳବାର ବୁର୍ଲା ବଡ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଡିସଚାର୍ଜ ପରେ ସେ ଦେବଗଡ ଅଭିମୁଖେ ଆସିଥିବା ବେଳେ ତିଲେଇବଣୀ ନିକଟରେ ବିଜେପିର ନେତା ଓ କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ମଟରସାଇକଲ ରାଲିରେ ଦେବଗଡ ଅଭିମୁଖେ ଆଣିଥିଲେ । ସହର ପରିକ୍ରମା କରିବା ପରେ ପ୍ରଧାନପାଟ ଜଳପ୍ରପାତ ନିକଟକୁ ଯାଇ ଦେବଗଡର ଅଧିଷ୍ଠାତ୍ରୀ ଦେବୀ ମା ପ୍ରଧାନପାଟେଶ୍ବରୀଙ୍କ ଦର୍ଶନ କରିଥିଲେ ବିଧାୟକ । ଏହି ଅବସରରେ ପ୍ରଧାନପାଟ ନିକଟରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଜେପିର ବରିଷ୍ଠ ନେତାମାନେ ଅଭିଭାଷଣ ରଖିଥିଲେ । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ଦେବା ଅବସରରେ ଦେବଗଡ ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ।

ସୂଚନା ଥାଉକି, ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କ ସହ ବିବାଦ ହେବାପରେ ଗତ ୧ ତାରିଖରେ ଦେବଗଡ ଆଦର୍ଶ ଥାନା ପୋଲିସ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ଵର ବାସଭବନରୁ ଗିରଫ କରିଥିଲା। ଗିରଫ ହେବା ପରେ ଗତ ଦୁଇ ତାରିଖ ଠାରୁ ସେ ଅସୁସ୍ଥତା କାରଣରୁ ଦେବଗଡ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିଲେ। ପରେ ୪ ତାରିଖ ଦିନ ଉଚ୍ଚ ଚିକିତ୍ସା ପାଇଁ ତାଙ୍କୁ  ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ୭ ତାରିଖରେ ଦେବଗଡ ଜିଲ୍ଲା ଦୌରା ଜଜ୍ ତାଙ୍କ ଜାମିନ ଆବେଦନ ମଞ୍ଜୁର କରିଥିବା ବେଳେ ଦେହ ସୁସ୍ଥ ହୋଇନଥିବା ଯୋଗୁଁ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରିନଥିଲେ । ମଙ୍ଗଳବାର ତାଙ୍କ ଶରୀର ସୁସ୍ଥ ହେବା ପରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

Spread the love