ଡିସେମ୍ବରରେ ରାଜ୍ୟ ବିଜେପି ସାଙ୍ଗଠନିକ ନିର୍ବାଚନ

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା ଓ ସଦସ୍ୟତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କେନ୍ଦ୍ରୀୟ ସହ ନିର୍ବାଚନ ଅଧିକାରୀ ଓ ସାଂସଦ ବିନୋଦ ସୋନକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି କର୍ମଶାଳାରେ ବିଜେପି ସାଙ୍ଗଠନିକ ନିର୍ବାଚନ ପରିଚାଳନା ଏବଂ ସଦସ୍ୟତା ସମୀକ୍ଷା ସଂର୍ପକରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ବିଭିନ୍ନ ସ୍ତରରେ ହୋବାକୁ ଥିବା ସ୍ଥାନୀୟ ସମିତି ବୁଥ କମିଟି, ମଣ୍ଡଳ କମିଟି ଏବଂ ରାଜ୍ୟ କମିଟି ନିର୍ବାଚନ ପାଇଁ ଏକ କ୍ୟାଲଣ୍ଡର ପ୍ରସ୍ତୁତ କରାଯାଇଛି । ଆଗାମୀ ସେପ୍ଟେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଏଭଳି କର୍ମଶାଳା ଆୟୋଜନ ହେବ । ଯେଉଁଥିରେ ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତରର କାର୍ଯ୍ୟକର୍ତା ଯୋଗଦେବେ । ସେପ୍ଟେମ୍ବର ୧୫ରୁ ୨୨ ତାରିଖ ମଧ୍ୟରେ ସମସ୍ତ ବୁଥରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଜିଲ୍ଲାସ୍ତରରେ ୩ ହଜାରରୁ ଅଧିକ କାର୍ଯ୍ୟକର୍ତା ଏହି କାର୍ଯ୍ୟକୁ ପରିଚାଳନା କରିବେ । ଅକ୍ଟୋବର ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ମଣ୍ଡଳସ୍ତରୀୟ ନିର୍ବାଚନ ହେବ ।

ସେହିପରି ନଭେମ୍ବରରେ ଜିଲ୍ଲାସ୍ତରୀୟ ଏବଂ ଡିସେମ୍ବରରେ ରାଜ୍ୟସ୍ତରୀୟ ନିର୍ବାଚନ ହେବ ବୋଲି ରାଜ୍ୟ ବିଜେପି ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି । ବିଜେପିର ସର୍ବଭାରତୀୟ ସ୍ତରରେ ୧୬ କୋଟିରୁ ଉଦ୍ଧ୍ୱର୍ ଲୋକ ସଦସ୍ୟତା ଗ୍ରହଣ କରିଛନ୍ତି । ଓଡିଶାରେ ୫୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ସଦସ୍ୟତା ନେଇଛନ୍ତି । ଆଜିଠାରୁ ପୁଣି ଥରେ ସଦସ୍ୟତା ଅଭିଯାନ ଚାଲୁ ରହିବ ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଶ୍ରୀ ରାୟ କହିଛନ୍ତି । ବିଜେପି ହେଉଛି ଭାରତର ସବୁଠାରୁ ବଡ ରାଜନୈତିକ ଦଳ । ରାଷ୍ଟ୍ରୀୟ ସଭାପତିଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟରେ ଥିବା ୩୭ ହଜାର ବୁଥ ଗୁଡିକର ‘ନିର୍ବାଚିତ କମିଟି’ ଗଣତାନ୍ତ୍ରିକ ପକ୍ରିୟାରେ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି । ଭାରତୀୟ ଜନତା ପାର୍ଟି ଗଣତାନ୍ତ୍ରିକ ପଦ୍ଧତିରେ ବୁଥ ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି, ରାଜ୍ୟ ସଭାପତି ନିର୍ବାଚିତ ହୋଇଥାନ୍ତି । ସକ୍ଷମ କାର୍ଯ୍ୟକର୍ତାମାନଙ୍କୁ ଭାରତୀୟ ଜନତା ପାର୍ଟିର ବିଭିନ୍ନ ସ୍ତରର ସଭାପତି କରାଯିବ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗର ମୁଖ୍ୟ ଏବଂ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

ଏହି କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ରଂଜନ ପଟେଲ, ସଦସ୍ୟତା ରାଜ୍ୟ ସଂଯୋଜକ ଅନନ୍ତ ନାୟକ, ସହ ସଂଯୋଜକ ଶାରଦା ଶତପଥୀ, ରାଜ୍ୟ ସଂପାଦକ(ସଙ୍ଗଠନ) ମାନସ ମହାନ୍ତି, ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ସୁରେଶ ପୂଜାରୀ, ବରିଷ୍ଟ ନେତା ବିଜୟ ମହାପାତ୍ର, ବିରାଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ପୂର୍ବତନ ସାଂସଦ ଏବଂ ବିଧାୟକମାନେ ଉପସ୍ଥିତ ଥିଲେ ।

Spread the love