ତାଜମହଲ ବିବାଦକୁ ଡେଇଁଲେ ବିଜେପି ସାଂସଦ, କହିଲେ- ଆମ ଜାଗା ଉପରେ ନିର୍ମାଣ ହୋଇଛି

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ପରେ ଏବେ ଚର୍ଚ୍ଚାରେ ଦୁନିଆର ସପ୍ତାଶ୍ଚାର୍ଯ୍ୟ ମଧ୍ୟରୁ ଏକ ତାଜମହଲ। ବିଶ୍ଵ ପ୍ରସିଦ୍ଧ ଏହି କୀର୍ତ୍ତିରାଜିରେ ଥିବା ୨୨  ରହସ୍ୟମୟ କୋଠରୀକୁ ନେଇ ଆରମ୍ଭ ହୋଇଛି ନୂତନ ବିବାଦ। ଏପରିକି ତାଜମହଲ ଯେଉଁ ସ୍ଥାନରେ ନିର୍ମାଣ କରାଯାଇଛି ସେଠି ପୂର୍ବେ ଶିବ ମନ୍ଦିର ଥିବା ହିନ୍ଦୁ ପକ୍ଷ ଦାବି କରୁଛନ୍ତି। ତାଜମହଲକୁ ନେଇ ଏବେ ମୁହାଁମୁହିଁ ହିନ୍ଦୁ ଏବଂ ମୁସଲିମ ସଂଗଠନ। ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟିର ସାଂସଦ ତଥା ଜୟପୁର ପୂର୍ବତନ ରାଜକୁମାରୀ ଦିୟା କୁମାରୀ ଦାବି କରିଛନ୍ତି ଯେ, ତାଜମହଲ ଯେଉଁ ସ୍ଥାନରେ ନିର୍ମାଣ କରାଯାଇଛି ତାହା ତାଙ୍କ ପରିବାରର ଥିଲା।

ସେ କହିଛନ୍ତି ତାଙ୍କ ପାଖରେ ଏମିତି ଦସ୍ତାବିଜ ରହିଛି ଯାହା ଦର୍ଶାଉଛି ଯେ, ତାଜମହଲ ପୂର୍ବେ ଜୟପୁରର ପୂର୍ବ ରାଜପରିବାରର ରାଜପ୍ରସାଦ ଥିଲା। ଏହା ଉପରେ ହିଁ ଶାହାଜାହାନ କବଜା କରିଥିଲେ।  ବଡ କଥା ଯେ, କେହି ତ ତାଜମହଲର ଦ୍ଵାର ଖୋଲିବା ପାଇଁ ଅପିଲ୍ କରିଛନ୍ତି। ଏଥିରୁ ସତ୍ୟ ସାମ୍ନାକୁ ଆସିବ। ଆମେ ଏବେ ମାମଲାର ସମୀକ୍ଷା କରୁଥିବା ସେ କହିଛନ୍ତି।

ତାଜମହଲ ବିବାଦ ଉପରେ ବିଜେପି ସାଂସଦ ଦୀୟା କୁମାରୀ କହିଛନ୍ତି, ଆମ ପାଖରେ ଯେଉଁ ଦସ୍ତାବିଜ ରହିଛି, ଉକ୍ତ ସ୍ଥାନରେ ପୂର୍ବେ ମହଲ ଥିଲା, ଯେଉଁଠି ଶାହଜାହାନ ତାଜମହଲ ନିର୍ମାଣ କରିଛନ୍ତି। ଏହାରି ବଦଳରେ କିଛି କ୍ଷତିପୂରଣ ଦିଆଯାଇଥିଲା। ସେହି ସମୟରେ ସେମିତି କୌଣସି ଆଇନ ନଥିଲା ଯଦ୍ଵାରା ଆପଣ ଅପିଲ୍ କରି ପାରିବେ। ନିଶ୍ଚିତ ଭାବେ ସେହି ସ୍ଥାନ ଜୟପୁରର ପୂର୍ବ ରାଜପରିବାରର ଥିଲା। ଆବଶ୍ୟକ ପଡିଲେ ଆମେ ଦସ୍ତାବିଜ ଉପଲବ୍ଧ କରାଇବୁ ବୋଲି ସେ କହିଛନ୍ତି।

ତାଙ୍କର ଏହି ବୟାନ ଆହ୍ଲାବାଦ ହାଇକୋର୍ଟରେ ତାଜମହଲ ବିବାଦକୁ ନେଇ ଯାଚିକା ଦାଖଲ ପରେ ଆସିଛି। ଯାଚିକାରେ ଦାବି କରାଯାଇଛି ଯେ, ଇଂରେଜ ଅମଳରେ ବନ୍ଦ ଏହି ୨୨ କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି, ପ୍ରାଚୀନ ଶିବ ଲିଙ୍ଗ ଏବଂ ଶିଳାଲେଖା ରହି ଥାଇପାରେ। ଯାଚିକାରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଆଗ୍ରାର ଯେଉଁ ସ୍ଥାନରେ ଏବେ ତାଜମହଲ ରହିଛି, ସେଠାରେ  ଖ୍ରୀଷ୍ଟାବ୍ଦ ୧୨୧୨ରେ ରାଜା ପରମର୍ଦିଦେବ ଭଗବାନ ଶିବଙ୍କ ମନ୍ଦିର ନିର୍ମାଣ କରିଥିଲେ, ଯାହାକୁ ତେଜୋମହାଳୟ କିମ୍ବା ତେଜୋମହଲ ନାମକରଣ କରାଯାଇଥିଲା। ମୋଗଲ ସମ୍ରାଟ ଶାହଜାହାନ ତେଜୋମହଲକୁ ଭାଙ୍ଗି ସେଠାରେ ମକବରା ନିର୍ମାଣ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ତରଫରୁ ମେ ୧୨ରେ ଏହା ଉପରେ ଶୁଣାଣି କରାଯିବ।

Spread the love