ରାମାୟଣ- ବୃତ୍ରାସୁର ବଧ ଓ ଅଗସ୍ତ୍ଯମୁନିଙ୍କ ଦ୍ବାରା ସମୁଦ୍ର ଶୁଷ୍କ

ନିହତ ବିଶ୍ବରୂପଙ୍କ ପିତା ତ୍ବଷ୍ଟାମୁନି ପୁତ୍ର ଶୋକରେ ବ୍ଯାକୁଳ ହୋଇ ଇନ୍ଦ୍ରଙ୍କ ଉପରେ ଭୟଙ୍କର ଭାବରେ ରାଗିଗଲେ । ତେଣୁ ଇନ୍ଦ୍ରଙ୍କୁ ଜିଣିବା ପାଇଁ ଗୋଟିଏ ବଳିଷ୍ଠପୁତ୍ର ଲାଭ କରିବା ସକାଶେ ଯଜ୍ଞ କଲେ । ସେଥିରୁ ଗୋଟିଏ ଶକ୍ତିଶାଳୀ ରାକ୍ଷସପୁତ୍ର ଜାତ ହେଲା । ତା’ ନାଆଁ ହେଲା ବୃତ୍ରାସୁର । ତା’ର ତିନିଗୋଟି ମୁଣ୍ଡ । ତା’ର ଦୁଇଗୋଟି ମୁଣ୍ଡ ସ୍ବର୍ଗପୁର ଓ ମର୍ତ୍ତ୍ଯପୁରକୁ ଆଚ୍ଛାଦିତ କଲା । ତା’ର ଗର୍ଜନ ପ୍ରଳୟପରି ଭୟଙ୍କର । ତା’ର ପଦାଘାତରେ ତ୍ରିପୁର କମ୍ପିଗଲା । ହାତରେ ଶୂଳାସ୍ତ୍ର ଧରି ସେ ସ୍ବର୍ଗପୁରକୁ ଆକ୍ରମଣ କଲା । ଅନ୍ଯାନ୍ଯ ରାକ୍ଷସମାନେ ଆସି ବୃତ୍ରାସୁର ସହିତ ସହଯୋଗ କଲେ । ବୃତ୍ରାସୁରକୁ ଦେବତାମାନେ ନ ପାରି ବ୍ରହ୍ମାଙ୍କଠାରେ ଶରଣ ପଶିଲେ । ଦେବତାମାନଙ୍କୁ ବ୍ରହ୍ମା କହିଲେ–ସ୍ବର୍ଗ,ମର୍ତ୍ତ୍ଯ ଓ ପାତାଳରେ ଯେତେ ପ୍ରକାର ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଅଛି ସେଥିରେ ଵୃତ୍ରାସୁରକୁ ବଧକରି ହେବ ନାହିଁ । କେବଳ ଦଧିଚିମୁନିଙ୍କ ଅସ୍ଥିରେ ବଜ୍ର ତିଆରି କଲେ ସେହି ବଜ୍ରାଘାତରେ ଵୃତ୍ରାସୁର ମରିଵ । ତୁମ୍ଭେମାନେ ଦଧିଚିମୁନିଙ୍କ ପାଖକୁ ଯାଇ ସ୍ତୁତିକର । ସେ ପ୍ରସନ୍ନ ହୋଇ ତୁମ୍ଭମାନଙ୍କୁ ବର ଯାଚିଲେ ତାଙ୍କୁ ତାଙ୍କ ଅସ୍ଥି ଦେବାପାଇଁ କହିବ ।

ସରସ୍ବତୀ ନଦୀ ତୀରରେ ଦଧିଚି ତପସ୍ଯା କରୁଥିଲେ । ଇନ୍ଦ୍ର ପ୍ରମୁଖ ଦେଵତାମାନେ ଦଧିଚିଙ୍କ ପାଖକୁ ଗଲେ । ଦେଖିଲେ ବ୍ରହ୍ମର୍ଷି ଦଧିଚିଙ୍କ ଦେହରୁ ଅଗ୍ନି ପରି ତେଜ ବାହାରୁଛି । ବ୍ରହ୍ମର୍ଷି ଦଧିଚି ତପସ୍ଯାରୁ ଉଠିଲାମାତ୍ରେ ସବୁଯାକ ଦେଵତା ତାଙ୍କ ପାଖରେ ପହଞ୍ଚି ତାଙ୍କ ପାଦରେ ପ୍ରଣାମ କଲେ ଓ ଶୋକ ଗଦଗଦ ସ୍ବରରେ ସ୍ତୁତିଗାନ କରିବାରେ ଲାଗିଲେ । ଦେବତାମାନଙ୍କୁ ଆସିଥିବାର ଦେଖି ବ୍ରହ୍ମର୍ଷି ଦଧିଚି ଯୋଗବଳରେ ଆସିବାର ଅଭିପ୍ରାୟ ଜାଣିପାରିଥିଲେ । ତେଣୁ ଦଧିଚି ହସିହସି କହିଲେ –ଦେବତାମାନଙ୍କ ମଙ୍ଗଳ ପାଇଁ ମୁଁ ଅସ୍ଥି ଦେବାକୁ ଆଗ୍ରହୀ । ଏହି ଅନିତ୍ଯ ଶରୀର ଯେତେବେଳେ ହେଲେ ଧ୍ଵଂସଲାଭ କରିବ । ଅନ୍ଯର ମଙ୍ଗଳ ପାଇଁ ଏ ଶରୀରକୁ ଧ୍ବସ୍ତ କଲେ ଧର୍ମଲାଭ ହୁଏ । ଦେଵତାମାନଙ୍କୁ ଏହା କହି ବ୍ରହ୍ମର୍ଷି ଦଧିଚି ଯୋଗାସନରେ ବସି ପ୍ରାଣତ୍ଯାଗ କଲେ । ତାଙ୍କ ଆତ୍ମା ପରମବ୍ରହ୍ମଙ୍କଠାରେ ଲୀନ ହୋଇଗଲା । ଦେବତାମାନେ ଦଧିଚିଙ୍କ ମୃତ ଦେହରୁ ଅସ୍ଥି ସଂଗ୍ରହ କରି ସେହି ଅସ୍ଥିକୁ ବିଶ୍ବକର୍ମାଙ୍କୁ ଦେଲେ । ବିଶ୍ବକର୍ମା ସେହି ଅସ୍ଥିରେ ବଜ୍ର ତିଆରି କରି ଇନ୍ଦ୍ରଙ୍କୁ ସମର୍ପଣ କଲେ । ସେହି ବଜ୍ରକୁ ଇନ୍ଦ୍ର ନିଜ ହାତରେ ଧରି ବୃତ୍ରାସୁରର ଆସିବା ପଥକୁ ଜଗିରହିଲେ ।
କିଛିଦିନ ପରେ ଵୃତ୍ରାସୁର ତା’ର ଦଳବଳ ନେଇ ମେରୁପର୍ବତ ଉପରେ ପହଞ୍ଚିଲେ । ଏହା ଦେଖି ଇନ୍ଦ୍ର ଐରାବତ ହାତୀ ଉପରେ ବସି ଦେବସୈନ୍ଯମାନଙ୍କ ସହ ବୃତ୍ରାସୁର ସମ୍ମୁଖରେ ଛିଡାହେଲେ । ହାତରେ ତାଙ୍କର ଦଧିଚିଙ୍କ ଅସ୍ଥି ନିର୍ମିତ ବଜ୍ର । ହେଲେ କ’ଣ ହେବ ? ଭୀଷଣ ରୂପ ରାକ୍ଷସମାନଙ୍କୁ ଦେଖି ସେମାନଙ୍କ ଦେହରେ ଛାନିଆ ପଶିଗଲା,ସଙ୍ଗେ ସଙ୍ଗେ ସେମାନେ ବିକଳହୋଇ ବିଷ୍ଣୁଙ୍କ ପାଖକୁ ଧାଇଁଲେ । ବିଷ୍ଣୁ ସବୁ ଘଟଣା ବୁଝି ନିଜ ଦେହର ତେଜ ଇନ୍ଦ୍ରଙ୍କୁ ଦେଲେ । ମୁନି ଋଷିମାନେ ସେମାନଙ୍କ ଦେହର ତେଜ ଦେବତାମାନଙ୍କୁ ଦେଲେ । ଦେବତାମାନେ ବୀର ଦର୍ପରେ ଯୁଦ୍ଧକ୍ଷେତ୍ରକୁ ଡେଇଁ ପଡିଲେ । ଦେବତା ଓ ରାକ୍ଷସ ମାନଙ୍କ ମଧ୍ଯରେ ଭୟଙ୍କର ଯୁଦ୍ଧ ହେଲା । ଇନ୍ଦ୍ର ବୃତ୍ରାସୁର ମୁଣ୍ଡରେ ବଜ୍ରପ୍ରହାର ଦେବାରୁ ବୃତ୍ରାସୁରର ମୁଣ୍ଡ ଚୂନା ହୋଇଗଲା । ବୃତ୍ରାସୁରର ଦୈତ୍ଯ ସୈନ୍ଯମାନେ ପଳେଇଯାଇ ସମୁଦ୍ର ଭିତରେ ଲୁଚିଲେ । ସ୍ବର୍ଗପୁର ନିରାପଦ ହେଲା । କିନ୍ତୁ ବୃତ୍ରାସୁରକୁ ହତ୍ଯା କରିବାରୁ ଇନ୍ଦ୍ରଙ୍କୁ ବ୍ରହ୍ମହତ୍ଯା ଦୋଷ ଲାଗିଲା । ବ୍ରହ୍ମହତ୍ଯା ଦୋଷ ଛଡାଇବା ପାଇଁ ଇନ୍ଦ୍ର ଏହି ସ୍ଥାନକୁ ଆସିଥିଲେ ଓ ଏହିଠାରେ ପାପମୁକ୍ତ ହୋଇ ସେ ଏହି ସ୍ଥାନର ନାମଦେଲେ ମଳଦ କଳୁଷ । ଏହାପରେ ଶ୍ରୀରାମ ପଚାରିଲେ –ଅଗସ୍ତ୍ଯମୁନି କାହିଁକି ସମୁଦ୍ର ପାନ କଲେ ? ବିଶ୍ବାମିତ୍ର କହିଲେ –ବୃତ୍ରାସୁରର ମୃତ୍ୟୁପରେ ତା’ର ରାକ୍ଷସ ସୈନ୍ଯମାନେ ପଳେଇଯାଇ ସମୁଦ୍ରରେ ଲୁଚି ରହିଲେ । ସେମାନେ ଦିନଯାକ ସମୁଦ୍ର ଭିତରେ ରହନ୍ତି । ରାତିରେ ସମୁଦ୍ରରୁ ବାହାରି ମୁନିଋଷି ମାନଙ୍କୁ ଖାଇଯା’ନ୍ତି । ତେଣୁ ଦେଵତାମାନେ ସେମାନଙ୍କୁ ମାରିପାରନ୍ତି ନାହିଁ । ମୁନିଋଷିମାନେ ନିହତ ଓ ଇତସ୍ତତ ହୋଇଯିବାରୁ ଆଉ ଯଜ୍ଞ ହେଲା ନାହିଁ । ତେଣୁ ଦେଵତାମାନେ ସେମାନଙ୍କ ହବିର୍ଭାଗ ପାଇଲେ ନାହିଁ । ତେଣୁ ସବୁ ଦେବତା ଯାକ ବିଷ୍ଣୁଙ୍କ ପାଖରେ ପହଞ୍ଚି ଏହିସବୁ କଥା କହିଲେ । ବିଷ୍ଣୁ ସେମାଲଙ୍କୁ କହିଲେ–ଦୈତ୍ଯମାନେ ସମୁଦ୍ର ଭିତରେ ଲୁଚିଯାଉଛନ୍ତି । ସମୁଦ୍ରକୁ ଶୁଖେଇଦେଲେ ସେମାନେ ସହଜରେ ନିହତ ହେବେ । ସମୁଦ୍ରକୁ କିପରି ଶୁଖାଯାଇ ପାରିବ ସେ କଥା ବ୍ରହ୍ମାଙ୍କୁ ପଚାରି ବୁଝ । ଏହା କହି ବିଷ୍ଣୁ ଯୋଗନିଦ୍ରାରେ ନିମଗ୍ନ ହେଲେ । ସେଠାରୁ ଦେବତାମାନେ ବ୍ରହ୍ମାଙ୍କ ପାଖକୁ ଯାଇ ବିଷ୍ଣୁ ସେମାନଙ୍କୁ ଯାହା କହିଥିଲେ ସେହିକଥା କହିଲେ । ତହୁଁ ବ୍ରହ୍ମା ଦେଵତାମାନଙ୍କୁ ସଙ୍ଗରେ ନେଇ ଅଗସ୍ତ୍ଯମୁନି ଯେଉଁଠାରେ ତପସ୍ଯା କରୁଥିଲେ ସେଇଠି ପହଞ୍ଚିଲେ ଓ ଦେଵତାମାନେ ବିଷ୍ଣୁଙ୍କୁ ଯାହା କହିଥିଲେ ସେହି କଥା ଅଗସ୍ତ୍ଯମୁନିଙ୍କୁ କହି ସମୁଦ୍ରକୁ ଶୁଖାଇ ଦେବାପାଇଁ ଅଗସ୍ତ୍ଯମୁନିଙ୍କୁ ଅନୁରୋଧ କଲେ । ତହୁଁ ଅଗସ୍ତ୍ଯମୁନି ଦେବତାମାନଙ୍କୁ ସାଙ୍ଗରେ ନେଇ ସମୁଦ୍ର ତୀରକୁ ଗଲେ ଓ ସମୁଦ୍ରକୁ ଅନେଇ କହିଲେ-ହେ ସରିତପତି ! ଦେବତାଙ୍କ ହିତ ପାଇଁ ବର୍ତ୍ତମାନ ମୁଁ ମୋ ଭିତରେ ଥିବା ବ୍ରହ୍ମଅଗ୍ନି ବଳରେ ତୁମ୍ଭର ସମସ୍ତ ଜଳକୁ ଶୋଷିନେବି । ଏହା କହି ନିଜ ହାତରେ ଚଳେ ଜଳ ଶୋଷିନେବାମାତ୍ରେ ସମୁଦ୍ର ଶୁଖିଗଲା । ଫଳରେ ଦୈତ୍ଯମାନେ ପ୍ରକାଶ୍ଯ ହୋଇପଡିବାରୁ ପଳାଇଯାଇ ପାତାଳ ଭିତରେ ଲୁଚିଲେ । ରାକ୍ଷସମାନଙ୍କୁ ଦମନ କରିସାରି ଦେବତାମାନେ ବ୍ରହ୍ମାଙ୍କୁ ସଙ୍ଗରେ ଘେନି ପୁଣି ଅଗସ୍ତ୍ଯମୁନିଙ୍କ ପାଖରେ ପହଞ୍ଚିଲେ ଓ ଅଗସ୍ତ୍ଯମୁନିଙ୍କୁ କହିଲେ –ଆମେ ରାକ୍ଷସମାନଙ୍କୁ ଦମନ କରିସାରିଲୁଣି । ଏଥର ଆପଣ ସମୁଦ୍ରକୁ ଜଳପୂର୍ଣ୍ଣ କରିଦିଅନ୍ତୁ ।
ଏହା ଶୁଣି ଅଗସ୍ତ୍ଯମୁନି କହିଲେ–ତାହା ତ ହେବା ସମ୍ଭଵ ନୁହେଁ । କାରଣ ମୁଁ ସମୁଦ୍ର ଜଳସବୁ ଶୋଷିନେଇ ସଙ୍ଗେ ସଙ୍ଗେ ହଜମ କରିଦେଇଛି । ଅଗସ୍ତ୍ଯମୁନିଙ୍କ ମୁଖରୁ ଏହା ଶୁଣି ବ୍ରହ୍ମା ଦେବତାମାନଙ୍କୁ କହିଲେ –ପାଣି ପାଇଁ ତୁମ୍ଭେମାନେ ବ୍ଯସ୍ତ ହୁଅ ନାହିଁ । ବର୍ତ୍ତମାନ ପାଇଁ ସମୁଦ୍ରାଞ୍ଚଳ ସ୍ଥଳ ହୋଇ ରହିବ । ସୂର୍ଯ୍ୟବଂଶରେ ଭଗିରଥ ଜାତ ହୋଇ ନିଜ ପିତୃକୁଳକୁ ଉଦ୍ଧାର କରିବା ପାଇଁ ତପସ୍ଯା ବଳରେ ଗଙ୍ଗାଦେବୀଙ୍କୁ ମର୍ତ୍ତ୍ଯକୁ ଆଣିବେ । ସେତିକିବେଳେ ସମୁଦ୍ରାଞ୍ଚଳ ପୁଣି ଜଳପୂର୍ଣ୍ଣ ହେବ । ବ୍ରହ୍ମାଙ୍କ କଥାଶୁଣି ଦେବତାମାନେ ନିଜ ନିଜ ସ୍ଥାନକୁ ଚାଲିଗଲେ । ବ୍ରହ୍ମା ମଧ୍ଯ ନିଜ ସ୍ଥାନ ବ୍ରହ୍ମଲୋକକୁ ଗମନ କଲେ ।

(ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର,ମୋ–୯୮୫୩୧୪୨୫୧୦)

Spread the love