କ୍ରିପ୍ଟୋ କରେନ୍ସୀ ଲାଗି ଅର୍ଥ ବ୍ୟବସ୍ଥାକୁ ବିପଦ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଶୀର୍ଷ ଅଧିକାରୀମାନେ  ସଂସଦୀୟ କମିଟିଙ୍କୁ କ୍ରିଫ୍ଟୋ କରେନ୍ସୀ ଯୋଗୁ ଆମ ଅର୍ଥବ୍ୟବସ୍ଥାର ଏକ ଅଂଶକୁ ‘ଡଲାରାଇଜେସନ’ କରିବାକୁ ପଡିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଯାହା ଭାରତୀୟ ଅର୍ଥନୀତିର ସାର୍ବଭୌମ ହୀତ ବିରୋଧୀ ବୋଲି କହିଛନ୍ତି। ସୂତ୍ରାନୁସାରେ ପୂର୍ବତନ  ଅର୍ଥରାଷ୍ଟ୍ରମନ୍ତ୍ରୀ  ଜୟନ୍ତ ସିହ୍ନାଙ୍କ ନେତୃତ୍ୱରେ ଅର୍ଥ ସମ୍ପର୍କିତ ସ୍ଥାୟୀ ସଂସଦୀୟ କମିଟିରେ ଆରବିଆଇଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ମତ ରଖିଛନ୍ତି।କେନ୍ଦ୍ରୀୟ ବ୍ୟାଙ୍କ ଅଧିକାରୀମାନେ କହିଛନ୍ତି ଯେ ଏହି କରେନ୍ସୀ ମୌଦ୍ରିକ ପ୍ରଣାଳୀର ଏକ ଅଂଶ ଉପରେ ବୋଝ ହୋଇପାରେ ଓ ପ୍ରଣାଳୀରେ ଧନ ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରିପାରେ। ସେମାନେ ସତର୍କ କରିଛନ୍ତି ଯେ କ୍ରିଫ୍ଟୋ କରେନ୍ସୀ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ମନି ଲଣ୍ଡରିଂ ଓ ଡ୍ରଗ୍ସ କାରବାରରେ ମଧ୍ୟ ଉପଯୋଗ ହୋଇପାରିବ ଏବଂ ଏହା ଦେଶର ଆର୍ଥିକ ବ୍ୟବସ୍ଥାର ସ୍ଥିରତା ପାଇଁ ଏକ ବଡ଼ ବିପଦ ହୋଇପାରେ।ପ୍ରାୟ ସମସ୍ତ କ୍ରିପ୍ଟୋ କରେନ୍ସୀ ଡଲାର ଉପରେ ପର୍ଯ୍ୟବେଶିତ ଓ ଏହା ବିଦେଶୀ ଘରୋଇ ଅନୁଷ୍ଠାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଅଧିକାରୀମାନେ ସଂସଦୀୟ କମିଟିକୁ କହିଛନ୍ତି। ଏପରି ପରିସ୍ଥିତିରେ ଏହା ଆମର ଅର୍ଥନୀତିର ଏକ ଅଂଶକୁ ଡଲାରାଇଜେସନ କରିପାରେ ଯାହା ଦେଶର ସାର୍ବଭୌମ ସ୍ୱାର୍ଥ ବିରୋଧୀ ହେବ। ଏହା ଛଡା ଏପରି ମୁଦ୍ରା ବ୍ୟବସ୍ଥା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇବ, କାରଣ ଲୋକେ ସେମାନଙ୍କର କଷ୍ଟ ଉପାର୍ଜିତ ଧନକୁ ମଧ୍ୟ ଏଥିରେ ନିବେଶ କରିପାରନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଯାହାର ଫଳ ସ୍ୱରୂପ ବ୍ୟାଙ୍କମାନଙ୍କୁ ବିତରଣ ଲାଗି ସମ୍ବଳର ଅଭାବ ପଡିପାରେ ବୋଲି କହିଛନ୍ତି।ଗତ ବଜେଟ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରିଫ୍ଟୋ କରେନ୍ସୀ ଓ ଆନୁଷଙ୍ଗିକ ସମ୍ପତ୍ତିର କାରବାର ଉପରେ ୩୦ ପ୍ରତିଶତ ଟିକସ ଘୋଷଣା କରିଛନ୍ତି। ତେବେ ଅଧିକାରୀମାନେ ଆଗକୁ କ୍ରିଫ୍ଟୋର ବେଲୁନ ଫୁସକିଯିବ ଓ ଲୋକେ ସେମାନଙ୍କ କଷ୍ଟ ଉପାର୍ଜିତ ସଞ୍ଚୟ ହରାଇ ପାରନ୍ତି ବୋଲି ସତର୍କ କରିଛନ୍ତି। ଏକ ଆକଳନ ଅନୁସାରେ ଦେଶରେ କ୍ରିଫ୍ଟୋରେ ନିବେଶ କରୁଥିବା ଲୋକଙ୍କ ସଂଖ୍ୟା ୧୫ରୁ ୨୦ ନିୟୁତ ମଧ୍ୟରେ। ଯାହା କ୍ରିଫ୍ଟୋ ମୁଦ୍ରାରେ ୫.୩୪ ବିଲିୟନ ଡଲାର ପାଖାପାଖି ହେବ ।

Spread the love