ବଡ଼ଦାଣ୍ଡ ଡ୍ରେନ୍‌ରେ ପଡ଼ି ରିକ୍ସାଚାଳକ ମୃତ

ପୁରୀ : ବଡ଼ଦାଣ୍ଡରେ ଥିବା ମୁକୁଳା ଡ୍ରେନ୍‌ରେ ଖସିପଡ଼ି ଜଣେ ରିକ୍ସାବାଲାଙ୍କ ପ୍ରାଣହାନି ଘଟିଛି। କୁମ୍ଭାରପଡ଼ା ଥାନା ପୁଲିସ ମାର୍କେଟ ଛକରେ ପହଞ୍ଚି ଡ୍ରେନ୍‌ ଭିତରୁ ଶବ ଜବତ କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଜିମାରେ ଦେଇଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ ବଳଙ୍ଗା ଥାନା ବିଦ୍ୟାଧରପୁରର ନିଧି ଭୋଇ(୪୫) ପୁରୀରେ ରିକ୍ସା ଚଳାଇ ପରିବାର ପୋଷଣ କରିଥା’ନ୍ତି। ଗତକାଲି ରାତିରେ ସେ ମାର୍କେଟ ଛକସ୍ଥିତ ମୁକୁଳା ଡ୍ରେନ୍‌ରେ ପଡ଼ିଯାଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ଲୋକେ ଏହା ଦେଖି ଥାନାକୁ ଖବର ଦେଇଥିଲେ। ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠୀ ଓ ଏସ୍ଆଇ ଅତଶୀ ଜେନା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ।ଖବର ପାଇ ନିଧିଙ୍କ ପରିବାର ଲୋକେ ପୁରୀ ଆସି ଚିହ୍ନଟ କରିବା ସହିତ ଶବ ଜିମାରେ ନେଇଥିଲେ। ନିଧି କେଉଁ ପରିସ୍ଥିତିରେ ଡ୍ରେନ୍‌ ଭିତରେ ପଡ଼ିଲେ, ସେ ନେଇ ପୁଲିସ ତଦନ୍ତ ଚଳାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଇଆଇସି କହିଛନ୍ତି।

Spread the love