ଜିଏସ୍ଟି ଉପରେ ସୁପ୍ରିମକୋର୍ଟ ରାୟ
ନୂଆଦିଲ୍ଲୀ : ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ପରିଷଦର ସୁପାରିସ କେନ୍ଦ୍ର ଓ ରାଜ୍ୟସରକାରଙ୍କ ନିମନ୍ତେ ବାଧ୍ୟତାମୂଳକ ନୁହେଁ ବରଂ ଏଭଳି ସୁପାରିସର ଜିଏସ୍ଟି କ୍ଷେତ୍ରରେ ପ୍ରେରଣା ଦେବାଭଳି ମୂଲ୍ୟ ରହିଛି ବୋଲି ଦେଶର ସର୍ବୋଚ୍ଚ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜିଏସ୍ଟି ଉପରେ ଆଇନ ପ୍ରଣୟନ ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନଙ୍କର ସମାନ ଏବଂ ସମନ୍ୱୟ ଆଧାରିତ କ୍ଷମତା ରହିଛି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଗତକାଲି ତାଙ୍କ ରାୟରେ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରଣୟନ କରୁଥିବା ଆଇନରେ ଯେଉଁ ପ୍ରତିକୂଳତା ଅଥବା ଅମେଳ ରହୁଛି, ସେଭଳି ପରିସ୍ଥିତିର ସମାଧାନ କରିବାକୁ ଜିଏସଟି ଆଇନ, ୨୦୧୭ରେ କୌଣସି ବ୍ୟବସ୍ଥା ନାହିଁ। ସେଭଳି ପରିସ୍ଥିତି ସୃଷ୍ଟି ହେଲେ ଜିଏସ୍ଟି ପରିଷଦ ସେମାନଙ୍କୁ ଉଚିତ ପରାମର୍ଶ ଦେଇପାରିବ।
ସୂଚନାଯୋଗ୍ୟ ଯେ ସାମୁଦ୍ରିକ ପରିବହନ କ୍ଷେତ୍ରରେ ଆମଦାନୀକାରୀଙ୍କ ଉପରେ ଜିଏସଟି ଲାଗୁ କରିବା ବିଷୟକୁ ଗୁଜରାଟ ହାଇକୋର୍ଟ ୨୦୨୦ରେ ଖାରଜ କରିଦେଇଥିଲେ। ମୋହିତ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ ବନାମ ଭାରତ ସରକାର ମାମଲାରେ ଗୁଜରାଟ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ, ଭାରତରେ ବହିଃଶୁଳ୍କ ଲାଗୁ ହେଉଥିବା ସ୍ଥଳ ପର୍ଯ୍ୟନ୍ତ ଭାରତ ବାହାରୁ ଏକ ସ୍ଥାନରୁ ଜାହାଜରେ ପଣ୍ୟ ପରିବହନ କରାଯିବା ସମୟରେ ଟିକସ ଲାଗୁ ହେଉନଥିବା ଅଞ୍ଚଳରେ ଆଇଜିଏସ୍ଟି ଆଇନ, ୨୦୦୭ ଲାଗୁ କରାଯାଇପାରିବ ନାହିଁ। ଏହିଭଳି ସାମୁଦ୍ରିକ ପରିବହନ ଉପରେ ଟିକସ ଲାଗୁ ଓ ଆଦାୟ କରିବା ଆଇନତଃ ଅନୁମତିଯୋଗ୍ୟ ନୁହେଁ। କେନ୍ଦ୍ର ସରକାର ୨୦୧୭ରେ ଏକ ବିଜ୍ଞପ୍ତି ପ୍ରକାଶ କରି ଜାହାଜ ଯୋଗେ ସାମଗ୍ରୀ ପରିବହନ ଉପରେ ୫% ହାରରେ ଆଇଜିଏସଟି ଲାଗୁ କରିବାକୁ କହିଥିଲେ। କିନ୍ତୁ ଉକ୍ତ ବିଜ୍ଞପ୍ତିକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ତାହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଯାଚିକା ଦାଏର କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଗଣତନ୍ତ୍ରର ମଙ୍ଗଳ ନିମନ୍ତେ ଏକ ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହି ଦୃଷ୍ଟିରୁ ଜିଏସ୍ଟି ସମ୍ପର୍କିତ ଆଇନ ପ୍ରଣୟନ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ସମଭାବରେ, ସମାନ ସମୟରେ ଏବଂ ଅଦ୍ୱିତୀୟ କ୍ଷମତା ରହିଛି। ଜିଏସ୍ଟି ପରିଷଦର ସୁପାରିସକୁ ଲାଗୁ କରିବା ସେମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ତାହାସହିତ ଗୁଜରାଟ ହାଇକୋର୍ଟଙ୍କ ରାୟକୁ କାଏମ ରଖି ସୁପ୍ରିମକୋର୍ଟ କହିଛନ୍ତି, କେନ୍ଦ୍ର ସରକାର ଭାରତୀୟ ଆମଦାନୀକାରୀଙ୍କ ନିକଟରୁ ସାମୁଦ୍ରିକ ପରିବହନ କ୍ଷେତ୍ରରେ ଜିଏସ୍ଟି ଆଦାୟ କରିପାରିବେ ନାହିଁ। ସୁପ୍ରିମକୋର୍ଟଙ୍କ ପୀଠ କହିଥିଲେ, ସମ୍ବିଧାନର ଧାରା ୨୪୬ଏରେ ଜିଏସଟି ସମ୍ପର୍କିତ ଆଇନ ପ୍ରଣୟନ କ୍ଷମତା ରାଜ୍ୟମାନଙ୍କୁ ଦିଆଯାଇଛି ଏବଂ ସେଥିରେ କେନ୍ଦ୍ର ଓ ରାଜ୍ୟମାନଙ୍କୁ ସମାନ ୟୁନିଟ ଭାବରେ ବିବେଚନା କରାଯାଇଛି। ଜିଏସ୍ଟି ପରିଷଦରେ କେନ୍ଦ୍ର ଓ ରାଜ୍ୟଗୁଡିକୁ ଏକ ସଦ୍ଭାବନାପୂର୍ଣ୍ଣ ଢଙ୍ଗରେ କାର୍ଯ୍ୟ କରିବାକୁ ହେବ। ଦଳମତ ନିର୍ବିଶେଷରେ ଜିଏସ୍ଟି ପରିଷଦରେ ହେଉଥିବା ଆଲୋଚନା ସଂଘୀୟ ବ୍ୟବସ୍ଥା ଓ ମୋଟାମୋଟି ଭାବରେ ଗଣତନ୍ତ୍ରକୁ ପ୍ରଭାବିତ କରିଥାଏ।