ଅନୁଭବଙ୍କ ନାଁରେ ପୁରୀଘାଟ ଥାନାରେ ବର୍ଷାଙ୍କ ଏତଲା

କଟକ: ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରୀୟଦର୍ଶିନୀ ବିବାହ ବିବାଦ । ଭିଡିଓ କରି ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷାଙ୍କୁ ନେଇ ନାନା ଅଭିଯୋଗ ଆଣିବା ପରେ ଏବେ ଥାନାରେ ପହଞ୍ଚିଛି ମାମଲା। ଅନୁଭବଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି।

ବର୍ଷାଙ୍କ ଅଭିଯୋଗ, ଅନୁଭବ ନିଜ ଭିଡିଓରେ ତାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ଅନୁଭବ ମନଗଢା କାହାଣୀ କରି ତାଙ୍କ ମାନହାନି କରୁଛନ୍ତି । ଏହାସହ ଏପରି କରି ଅନୁଭବ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ବର୍ଷା ଅଭିଯୋଗ କରିଛନ୍ତି। ବାରମ୍ୱାର ଭିଡିଓ କରି ଅଯଥା ବିବାଦ ସୃଷ୍ଟି କରିଥିବା ବର୍ଷା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ବିତାଇଥିବା ୮ ବର୍ଷର ବୈବାହିକ ଜୀବନର ଗୋପନ କଥା ବଖାଣିଥିଲେ। ନିଜର ୟୁଟ୍ୟୁବ୍ ଚାନେଲରେ ‘ଅନ୍‌ଟୋଲ୍ଡ ଟ୍ରୁଥ୍‌’ ଶୀର୍ଷକ ଭିଡିଓର ୨ୟ ଭାଗ ସେୟାର କରିଥିଲେ। ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ଦର୍ଶାଇଥିଲେ । ଏଥିରେ ସେ କ୍ଷୋଭପ୍ରକାଶ କରି କହିଥିଲେ ଯେ, ଗଣମାଧ୍ୟମ ତାଙ୍କ କଥାକୁ ବିଶ୍ବାସକୁ ନନେଇ ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରିସାରିଛି । ଯେଉଁଥି ପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ ‘ସତ କ’ଣ’ ଜଣାଇବାକୁ ଉଦ୍ୟମ କରିଛନ୍ତି।

ଶନିବାର ଜାରି ହୋଇଥିବା ଭିଡିଓରେ ଅନୁଭବ କହିଥିଲେ ଯେ, ବିବାହର ୮ ବର୍ଷ ପରେ ମଧ୍ୟ ବର୍ଷା ତାଙ୍କୁ ‘ସ୍ବାମୀର ଅଧିକାର’ ଦେଇ ନଥିଲେ । ତେଣୁ ସେ ବାଧ୍ୟ ହୋଇ ଛାଡ଼ପତ୍ର ଆବେଦନ କରିଥିଲେ। ଏହି ଭିଡିଓ ଜରିଆରେ ଅନୁଭବ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି କି ବିବାହ ପରେ ବର୍ଷା ତାଙ୍କ ସହ ‘ଶାରୀରିକ ସଂପର୍କ’ ସ୍ଥାପନ ଲାଗି ଅନୁମତି ଦେଇ ନଥିଲେ, ଯାହାକୁ ଅନୁଭବ ସମ୍ମାନ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ମଧ୍ୟରେ ଶାରୀରିକ ସଂପର୍କ ଅତ୍ୟନ୍ତ ପବିତ୍ର। ତେଣୁ ବିବାହ ପରେ ଏହା ସ୍ଥାପନ ହେବାକୁ ନଦେବାକୁ ଅନୁଭବ ଗ୍ରହଣ କରିପାରିନାହାନ୍ତି। ଅନୁଭବ ଅଭିଯୋଗ ଆଣିଛନ୍ତି ଯେ, ବିଭିନ୍ନ ଆଳ ଦେଖାଇ ବର୍ଷା ତାଙ୍କଠାରୁ ଦୂରେଇ ରହି ଆସିଛନ୍ତି। ଏହି ଅଭିଯୋଗକୁ ସେ ତାଙ୍କ ଜୀବନରେ ଘଟିଥିବା ବିଭିନ୍ନ ଘଟଣା ବର୍ଣ୍ଣନା କରି ସ୍ପଷ୍ଟ କରିବାକୁ ଚାହିଁଛନ୍ତି। ସେ ନିଜକୁ ‘ମ୍ୟାରେଡ ବ୍ୟାଚେଲର’ ବୋଲି କହିଥିଲେ।

Spread the love