କାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ଭୁବନେଶ୍ବର: ପାଖଉଛି ବ୍ରଜରାଜନଗର ଉପନିର୍ବାଚନ ତାରିଖ । ଏହି ଆସନ ହାତେଇବା ପାଇଁ ଆରମ୍ଭ ହେଲାଣି ରାଜନୈତିକ ଦଳର ସମରସଜ୍ଜା । ଦଳମାନଙ୍କ ପ୍ରସ୍ତୁତି ଜୋରଦାର ହୋଇଛି । କମ୍ପୁଛି ପ୍ରଚାର ମଇଦାନ । ବିଜେପି ମଧ୍ୟ ତାର ସମସ୍ତ ପ୍ରସ୍ତୁତି କରିଛି । ଆସନ୍ତାକାଲି (ମଙ୍ଗଳବାର) ଓଡିଶା ଆସିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଳ ଯୋଗେ ବ୍ରଜରାଜନଗରରେ ପହଞ୍ଚି ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ।

ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ମାରାଥନ ପ୍ରଚାର ପ୍ରଚାର କରିବେ ଧର୍ମେନ୍ଦ୍ର । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଦିନ ତମାମ ପ୍ରଚାର କରିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସମ୍ପାଦକ । ବେଲପାହାଡ଼ ମ୍ୟୁନିସିପାଲିଟି, ବ୍ରଜରାଜନଗର ମ୍ୟୁନିସିପାଲିଟି, ଲଖନପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ରୋଡ଼ ସୋ, ସାଧାରଣ ସଭା ଆଦି ମାଧ୍ୟମରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ।

ଏହି ନିର୍ବାଚନକୁ ଶାସକ ଦଳର ଦୀର୍ଘ 22 ବର୍ଷର ବିଫଳତା ଦର୍ଶାଇବା ମାଧ୍ୟମ କରିବ ବିଜେପି । ମିଥ୍ୟା ପ୍ରତିଶ୍ରୁତି ସହ ଲୋକଙ୍କୁ କିପରି ଭଣ୍ଡେଇ ଦିଆଯାଇଛି ସେ ସବୁ ପ୍ରସଙ୍ଗକୁ ବଡ ରାଜନୈତିକ ମୁଦ୍ଦା କରି ଲୋକଙ୍କ ଆଗରେ ବିଜେଡି ମୁଖା ଖୋଲିବାକୁ ପ୍ରୟାସ କରିବ ବିଜେପି । ବ୍ରଜରାଜନଗରବାସୀ ବିକାଶରୁ କାହିଁକି ବଞ୍ଚିତ ହେବେ ଏ ଭଳି ସନ୍ଦେଶ ନେଇ ଲୋକଙ୍କ ପାଖରେ ପହଞ୍ଚାଇବା ଦଳ ବୋଲି କହିଛନ୍ତି ରାଜ୍ୟ ବିଜେପି ସମ୍ପାଦକ । ତେବେ ଆଗାମୀ ଦିନରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, କେନ୍ଦ୍ର ରେଳମନ୍ତ୍ରୀଙ୍କ ସମେତ ଏକାଧିକ କେନ୍ଦ୍ରୀୟ ନେତା ମଧ୍ୟ ପ୍ରଚାରରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୩୧ ତାରିଖରେ ହେବାକୁ ଯାଉଛି ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ(Brajarajnagar Bypoll) । ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କିଶୋର ପଟେଲ ଓ ବିଜେଡି ପକ୍ଷରୁ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ ହୋଇଛନ୍ତି । ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଝାରସୁଗଡା ଜିଲ୍ଲାର ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ଖାଲି ପଡିଛି ।

Spread the love