ଗେରୁଆ ଗାମୁଛାରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇ ସାରିଛି।  ନିର୍ବାଚନରେ ସ୍କଟ ମୋରିସନଙ୍କ ପାର୍ଟି ଶୋଚନୀୟ ଭାବେ ପରାଜିତ ହୋଇଛି। ଲେବର ପାର୍ଟିର ନେତା ଆନ୍ଥୋନୀ ଅଲବାନିସ ବିଜୟ ହାସଲ କରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ତାଙ୍କ ପାର୍ଟିକୁ ହରାଇଛନ୍ତି। ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଦୁଇ ନେତାଙ୍କ ଫଟୋ ଭାଇରାଲ୍ ହୋଇଛି। ଏଥିରେ ଉଭୟଙ୍କୁ ଗେରୁଆ ଗାମୁଛା ପିନ୍ଧିଥିବା ଦେଖିବାକୁ ମିଳିଛି। ୟୁଜର୍ସ ଏହା ଦେଖି ଆଚମ୍ବିତ ଯେ, ଏହି ଫଟୋ କେଉଁ ସମୟର।ଦୁଇ ନେତା ପିନ୍ଧିଥିବା ଗାମୁଛାରେ ଓମ୍‌ର ଚିହ୍ନ ରହିଛି। ଏହା ପରେ ୟୁଜର୍ସ ଦାବି କରିଛନ୍ତି ଯେ, ଦୁଇ ନେତା ନିଜ ନିଜର ବିଜୟ ପରେ ଏହି ଗାମୁଛା ପିନ୍ଧିଥିବା ବେଳେ ଆଉ କିଛି ଦାବି କରିଛନ୍ତି ଯେ ନିଜ  ବିଜୟର ମାନସିକ ପୂରଣ ହେବାରୁ ଦୁଇ ନେତା ଗେରୁଆ ଗାମୁଛା ପିନ୍ଧିଛନ୍ତି।ଏବିସି ରିପୋର୍ଟ ଅନୁଯାୟୀ, ଏହି ଦୁଇ ଫଟୋ ନିର୍ବାଚନ ପ୍ରଚାର ବେଳର। ଚଳିତ ମାସ ଆରମ୍ଭରେ ଦୁଇ ନେତା ସେଠାକାର ହିନ୍ଦୁ ସମୁଦାୟଙ୍କ ଗହଣରେ ଅଲଗା ଅଲଗା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତୀୟ ପ୍ରବାସୀଙ୍କ ଭୋଟ୍ ଜିଣିବା ପାଇଁ ଦୁଇ ନେତା ଏମିତି ରୂପରେ ପ୍ରଚାର କରିଥିଲେ। ରିପୋର୍ଟ ମୁତାବକ ଏହି କାର୍ଯ୍ୟକ୍ରମ ବିଶ୍ଵ ହିନ୍ଦୁ ପରିଷଦ ଅଷ୍ଟ୍ରେଲିଆ ଏବଂ  ହିନ୍ଦୁ କାଉନସିଲ ଅଫ ଅଷ୍ଟ୍ରେଲିଆ ପରି ସଂସ୍ଥା ଦ୍ଵାରା ଆୟୋଜନ କରାଯାଇଥିଲା।

Spread the love