ମୁଖ୍ୟମନ୍ତ୍ରୀଙ୍କ ମୋ ସରକାରର ସମୀକ୍ଷା,ଅଧିକରୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚିବାକୁ ଦେଲେ ପରାମର୍ଶ

ମୋ ସରକାର ଜରିଆରେ ଅଧିକରୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ନିୟମିତ ତଦାରଖ କରିବାକୁ ଦେଲେ ନିର୍ଦ୍ଦେଶ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାରର କରିଥିଲେ ସମୀକ୍ଷା। ଅର୍ଥ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ମୋ ସରକାରରେ ସାମିଲ ହୋଇଛନ୍ତି। ଏଥିସହ ସରକାରଙ୍କ ୩୧ଟି ବିଭାଗର ୨୫୦ ସେବା ଏବେ ମୋ ସରକାରରେ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଓ ସରକାରୀ ଅନୁଷ୍ଠାନଗୁଡ଼ିକ ପ୍ରତି ଲୋକଙ୍କ ଦୃଷ୍ଟି ଭଙ୍ଗିରେ ବ୍ୟାପକ ପରିବର୍ତ୍ତନ ଆଣିଛି ମୋ ସରକାର। ଜନସାଧାରଣ ଓ ସରକାରୀ ଅନୁଷ୍ଠାନଗୁଡିକ ମଧ୍ୟରେ ଆସ୍ଥା ସୃଷ୍ଟି ହୋଇ ପାରିଛି। ତୃଣମୂଳ ସ୍ତରରେ ଯେଉଁ ଫିଡ୍‌ବ୍ୟାକ୍‌ ମିଳୁଛି ତାହା ଉତ୍ସାହଜନକ। କର୍ମଚାରୀଙ୍କ ବ୍ୟାବହାରିକ ପରିବର୍ତ୍ତନ ଆଣିବାରେ ଅନେକ ବିଭାଗ ସଫଳ ହେଉଛନ୍ତି।

ମୋ ସରକାର କାର୍ଯ୍ୟକ୍ରମ ଦ୍ୱାରା ପ୍ରଶାସନିକ ପ୍ରକ୍ରିୟା ଅଧିକ ସହଭାଗୀତା ଭିତ୍ତିକ ହୋଇ ପାରିଛି। ଏହି ପ୍ରକ୍ରିୟାରେ ନାଗରିକମାନେ ସରକାରୀ କାର୍ଯ୍ୟକ୍ରମଗୁଡିକର ଅଂଶୀଦାର ହୋଇ ପାରିଛନ୍ତି। ନାଗରିକମାନଙ୍କ ସନ୍ତୋଷ ଏକ ଲକ୍ଷ୍ୟ ନୁହଁ, ଏହା ଏକ ନିରନ୍ତର ଯାତ୍ରା। ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି। ବିଭାଗଗୁଡିକର ଭୂମିକା ଲୋକଙ୍କ ମତାମତ ସଂଗ୍ରହରେ ଶେଷ ନ ହେଉ, ଯେଉଁ ସମସ୍ୟା ଅଛି ସେଗୁଡିକର ସମାଧାନ କରିବା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ମୋ ସରକାର ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାକୁ ନୂଆ ମଡେଲ ଦେବାରେ ସଫଳ ହୋଇଛି। ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ମୋ ସରକାର ଆରମ୍ଭ ହୋଇଥିଲା। ଆଜି ଗୃହ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶିଳ୍ପ ଓ ଜଳସମ୍ପଦ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା ହୋଇଥିଲା ।

Spread the love