ଆଧାର ଯୋଗୁଁ ଉପାସରେ ୮୩ ହଜାର ହିତାଧିକାରୀ

ରାସନ କାର୍ଡରେ ଆଧାର ଲିଙ୍କ୍‌ ହୋଇ ନଥିବାରୁ କଳାହାଣ୍ଡି ଜିଲ୍ଲାର ୮୩ ହଜାର ୧୯ ଜଣ ହିତାଧିକାରୀ ଆସନ୍ତା ନଭେମ୍ବର ମାସର ଚାଉଳ ପାଇବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏହା ଜାଣିବା ପରେ ହିତାଧିକାରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଭିନ୍ନକ୍ଷମମାନେ ବି ଏଥିରୁ ବାଦ୍‌ ପଡ଼ିବେନି। ତଳ ସ୍ତରରୁ ରିପୋର୍ଟ ଗଲା ପରେ ସରକାର ସେମାନଙ୍କ ପାଇଁ ଅତିରିକ୍ତ ଚାଉଳ ରିଲିଜ୍‌ କରିବେ ବୋଲି ଜଣାପଡ଼ିଛି। କାରଣ ଆଧାର ଲିଙ୍କ୍‌ ଅନୁଯାୟୀ ନଭେମ୍ବର ମାସର ଚାଉଳ ରିଲିଜ୍‌ ହୋଇ ସାରିଲାଣି। ଏହି ଚାଉଳ ନ ପାଇଲେ ଅନେକ ଗରିବ ଓ ଭିନ୍ନକ୍ଷମ ଅନାହାରରେ ରହିବା ଏବେଠାରୁ ଜଳଜଳ ଦେଖାଗଲାଣି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଯୋଜନାରେ ୧୨ ଲକ୍ଷ ୮୩ ହଜାର ୨୫୫ ରାସନ୍‌ କାର୍ଡ ରହିଛି। ଏଥି ମଧ୍ୟରୁ ୧୨ ଲକ୍ଷ ୨୩୬ କାର୍ଡ ସହ ଆଧାର ଲିଙ୍କ୍ ହୋଇ ପାରିଛି। ୮୩ ହଜାରରୁ ଅଧିକ କାର୍ଡ ସହ ଆଧାର ସଂଯୋଗ ହୋଇପାରିନାହିଁ। କାରଣ ଆଧାରକୁ ନେଇ ବହୁ ସମୟରେ ବାଦ ବିବାଦ ଲାଗି ରହିଛି। ବହୁ ସମସ୍ୟା ବି ରହିଛି। ସରକାର ଆଧାର ପାଇଁ ବେଙ୍କ, ପୋଷ୍ଟଅଫିସ ଓ ଅନ୍ୟ ସେଣ୍ଟରମାନ ଖୋଲିଥିବା କଥା କହୁଛନ୍ତି। ସେହି ସେଣ୍ଟର ଗୁଡ଼ିକରେ ଠିକ ଭାବେ ସେବା ମିଳୁ ନାହିଁ। ଲୋକେ ଆଧାର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡୁଛନ୍ତି। ତଥାପି ସେମାନଙ୍କ ଆଧାର କାର୍ଡ ମିଳୁ ନାହିଁ। ଲୋକଙ୍କୁ ଲମ୍ବା ଲାଇନ୍‌ ଲାଗିବାକୁ ପଡୁଛି ଏବଂ ଦିନ ଦିନ ସମୟ ନଷ୍ଟ କରିବାକୁ ପଡୁଛି। ଲିଙ୍କ୍‌ ଫେଲ ହେଲେ କିମ୍ବା କାଗଜ ପତ୍ର ଠିକ ନଥିଲେ ଆଉ ଥରେ ଯିବାକୁ ପଡୁଛି। ଦୁର୍ଗମ ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକରେ ସ୍ଥିତ ଆହୁରି ସଂଗିନ। ଏଠି ବହୁ ନିରକ୍ଷର ଲୋକ ରହୁଥିବାରୁ ଏବଂ ଟେଲି ଯୋଗାଯୋଗ ବ୍ୟବସ୍ଥା ଠିକ୍‌ ନଥିବାରୁ ଆଧାର କାମ ଠିକ ଭାବରେ ହୋଇ ପାରୁ ନାହିଁ। ଫଳରେ ସବୁଠୁ ଏହି ଅଞ୍ଚଳରେ ବର୍ତ୍ତମାନ ଏହି ଯୋଜନାରେ ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇ ପାରି ନଥିବା ରିପୋର୍ଟରୁ ଜଣାପଡ଼ିଛି।

ଏତେ ଅସୁବିଧା ସତ୍ୱେ ତଳ ସ୍ତରରେ ତର୍ଜମା ନକରି ସରକାର ଆଧାର ଲିଙ୍କ୍ ବ୍ୟବସ୍ଥା ରିବା ସହ ତରବରିଆ ଭାବେ ଏହାକୁ ଲାଗୁ କରାଯାଇଛି। ଅବଶ୍ୟ ସରକାର ଆଧାର ଲିଙ୍କ୍‌ ସମୟ ସୀମାକୁ ଅଗଷ୍ଟ ୩୧ ଯାଏଁ ରଖିଥିଲେ। ପୁଣି ଅସୁବିଧା ହେବାରୁ ଆସନ୍ତା ୧୫ରିଖ ଯାଏଁ ଆଧାର ଲିଙ୍କ୍ ଧାର୍ଯ୍ୟ ତାରିଖ ବଢ଼ାଇଛନ୍ତି। ମାତ୍ର ଯାହାର ୩୧ ଭିତରେ ଆଧାର ଲିଙ୍କ୍ ହୋଇ ନାହିଁ ତାକୁ ନଭେମ୍ବର ଚାଉଳ ମିଳିବ ନାହିଁ ବୋଲି ଯୋଗାଣ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏଭଳି ସ୍ଥିତି ସାରା ରାଜ୍ୟରେ ହୋଇଥିବା ଜଣାପଡ଼ିଛି। ଏହାର ତର୍ଜମାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Spread the love