ଗାଡ଼ି ବଜାରର ଅଗଷ୍ଟ ଯନ୍ତ୍ରଣା: ୨୧ ବର୍ଷରେ ବିକ୍ରି ସବୁଠୁ ଖରାପ

ବିଗତ ୨୧ ବର୍ଷ ଭିତରେ ଗାଡ଼ି ବିକ୍ର‌ିରେ ଏଭଳି ଖରାପ ସମୟ ଦେଖିବାକୁ ମିଳିନଥିଲା। ଗତ ଅଗଷ୍ଟରେ ଗାଡ଼ି ବିକ୍ରିରେ ବଡ଼ ଧରଣର ହ୍ରାସ ଘଟିଛି। କାର୍‌ ଠାରୁ ଆରମ୍ଭ କରି ବାଇକ୍, ବସ୍ ଓ ଟ୍ରକ୍ ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ିର ବିକ୍ରି କମିଛି। ଗତ ୧୦ ମାସ ହେଲାଣି କ୍ରମାଗତ ଭାବେ ଗାଡ଼ି ବିକ୍ରି ହ୍ରାସ ପାଉଛି। ଶେଷ ଥର ପାଇଁ ୧୯୯୭-୯୮ରେ ଗାଡ଼ି ବିକ୍ରି କ୍ଷେତ୍ରରେ ଏଭଳି ଖରାପ ସ୍ଥିତି ଦେଖିବାକୁ ମିଳିଥିଲା ବୋଲି ଭାରତୀୟ ଗାଡ଼ି ନିର୍ମାତା ସଂଘ (ସିଆମ୍‌) ପକ୍ଷରୁ କୁହାଯାଇଛି।

ଗତ ଅଗଷ୍ଟ ମାସରେ ମୋଟ ୧୮ ଲକ୍ଷ ୧ ହଜାର ୪୯୦ଟି ଗାଡ଼ି ବିକ୍ରି ହୋଇଛି। ୨୦୧୮ ଅଗଷ୍ଟ ତୁଳନାରେ ଚଳିତ ବର୍ଷ ୨୩.୫୫ ପ୍ରତିଶତ କମ୍ ଗାଡ଼ି ବିକ୍ରି ହୋଇଛି। ଗତବର୍ଷ ଏହି ମାସରେ ୨୩ ଲକ୍ଷ ୮୨ ହଜାରରୁ ଅଧିକ ଗାଡ଼ି ବିକ୍ରି ହୋଇଥିଲା। ୨୦୧୯ ଜୁଲାଇରେ ଗାଡ଼ି ବିକ୍ରିରେ ୧୮.୭୧ ପ୍ରତିଶତ ହ୍ରାସ ଘଟିଥିଲା। ଜୁଲାଇରେ ମୋଟ ୨୨ ଲକ୍ଷ ୪୫ ହଜାର ଗାଡ଼ି ବିକ୍ରି ହୋଇଥିଲା। ଅଗଷ୍ଟରେ ଏହି ବ୍ୟବଧାନ ଆହୁରି ବଢ଼ିଛି। ସବୁଠୁ ଖରାପ ସ୍ଥିତିରେ କାର୍ ବଜାର ରହିଛି। କାର୍‌ ବିକ୍ରି ୩୧.୫୭ ପ୍ରତିଶତ କମିଯାଇଛି। ଗତ ଅଗଷ୍ଟରେ ମୋଟ ଏକ ଲକ୍ଷ ୯୬ ହଜାର ୫୨୪ଟି କାର୍ ବିକ୍ରି ହୋଇଛି। ଗତ ଜୁଲାଇରେ କୌଣସି ପ୍ରକାରରେ ୨ ଲକ୍ଷରୁ ଅଧିକ କାର୍ ବିକ୍ରି ହୋଇଥିଲା। ଅଗଷ୍ଟରେ ସ୍ଥିତି ଆହୁରି ଖରାପ ହୋଇଛି। ସବୁ କାର୍ କଂପାନିର ବିକ୍ରି କମିଛି। ଦୁଇ ଚକିଆ ବିକ୍ରିରେ ୨୨.୨୪% ହ୍ରାସ ଘଟିଛି। ଗତ ଅଗଷ୍ଟ ମାସରେ ଦେଶରେ ୧୫ ଲକ୍ଷ ୧୪ ହଜାର ୧୯୬ଟି ଦୁଇ ଚକିଆ ଗାଡ଼ି ବିକ୍ରି ହୋଇଛି। ମୋଟରସାଇକଲ୍‌ ବିକ୍ରି ୨୨.୨୩% ହ୍ରାସ ପାଇଛି। ଅଗଷ୍ଟରେ ମୋଟ ୯ ଲକ୍ଷ ୩୭ ହଜାର ୩୮୬ଟି ମୋଟରସାଇକଲ୍ ବିକ୍ରି ହୋଇଛି। ସେହିପରି ସ୍କୁଟର ବିକ୍ରି ୨୨.୧୯ ପ୍ରତିଶତ ହ୍ରାସ ପାଇଛି। ଏହି ମାସରେ ୫ ଲକ୍ଷ ୨୦ ହଜାର ୮୯୮ଟି ସ୍କୁଟର ବିକ୍ରି ହୋଇଛି। ମାଲ୍‌ ପରିବହନରେ ବ୍ୟବହାର କରାଯାଉଥିବା ବାଣିଜ୍ୟିକ ଯାନ ବିକ୍ରି ୩୮.୭୧% କମିଛି। ଦେଶରେ ଅଗଷ୍ଟରେ ମୋଟ ୫୧,୮୯୭ଟି ବାଣିଜ୍ୟିକ ଯାନ ବିକ୍ରି ହୋଇଛି।

Spread the love