ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ୩ ବର୍ଷ ପୂର୍ତ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମପାଳିରେ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ମୋ-ସ୍କୁଲ’ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ଏପର୍ଯ୍ୟନ୍ତ ୨୦୦୦ରୁ ଅଧିକ ସ୍କୁଲ ରୂପାନ୍ତରିତ ହୋଇଥିବାବେଳେ ଆସନ୍ତା ଦେଢବର୍ଷ ମଧ୍ୟରେ ସମସ୍ତ ସରକାରୀ ସ୍କୁଲକୁ ରୂପାନ୍ତରିତ କରିବା ଲକ୍ଷ୍ୟ ରହିଛି। ମୋ-ସ୍କୁଲ’ କାର୍ଯ୍ୟକ୍ରମରେ ସହର ଏବଂ ଗାଁ ମଧ୍ୟରେ ଥିବା ବିଦ୍ୟାଳୟରେ ପାର୍ଥକ୍ୟ ଦୂର ହୋଇଛି। ସ୍କୁଲରେ ରହିଛି ବିଶୁଦ୍ଧ ପାନୀୟ ଜଳ ସାଙ୍ଗକୁ ଉତ୍ତମ ପରିମଳ ବ୍ୟବସ୍ଥା। ସ୍ମାର୍ଟ କ୍ଲାସ ରୁମ୍‌, ଇ-ପାଠଶାଳା, କମ୍ପ୍ୟୁଟର୍‌ ଲାବ୍‌, ଆଧୁନିକ ପରୀକ୍ଷାଗାରର ସୁବିଧା ଛାତ୍ର ଛାତ୍ରୀଙ୍କୁ ମିଳୁଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ୯୬ ଲକ୍ଷ ପରିବାରକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ବଣ୍ଟନ ମାଧ୍ୟମରେ ସାଢ଼େ ୩ କୋଟି ଲୋକ ଯୋଜନାରେ ସାମିଲ କରାଯାଇଛି।
୨୦୨୧ ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକ୍ଷମ ହୋଇଥିବା ବିଏସକେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି। ହେଲ୍‌ଥ କାର୍ଡ ସାଧାରଣ, ଗରିବ ଲୋକଙ୍କର ଚିକିତ୍ସା ଖର୍ଚ୍ଚ ଦୂର କରିଛି।
ଜଳସମ୍ପଦ ବିଭାଗ ପକ୍ଷରୁ ୫-ଟି ନୀତିକୁ ନେଇ ୨୦୨୪ ସୁଦ୍ଧା

୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରହିଛି। ୨୦୨୨ରେ ୪ଟି, ୨୦୨୩ରେ ୪ଟି, ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଇବ୍‌ ନଦୀ ଉପରେ ୨ବର୍ଷରେ ୪୯୩ କୋଟି ଖର୍ଚ୍ଚରେ ଦୁଇଟି ବ୍ୟାରେଜ୍‌ ନିର୍ମାଣ ହେବ। ଏଥିପାଇଁ ୧୧, ୭୦୦ କୋଟି ଖର୍ଚ୍ଚ ହେବ, ୩୦ଟି ସ୍ଥାନରେ ବ୍ୟାରେଜ ନିର୍ମାଣ ହେବ। ରାୟଗଡାରେ ଜଳସେଚନ ସୁବିଧା ପାଇଁ ଦୁଇଟି ବୃହତ୍‌ ସେଚ ପ୍ରକଳ୍ପ କାର୍ଯ୍ୟ ସରିଛି, ୧୦୦୦ ହେକ୍ଟର ଜମିକୁ ପାଣି ମିଳିପାରିବ। ଝାରସୁଗୁଡାରେ ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପରେ ୧୦୦୦ ହେକ୍ଟର ଜମି ହେବ ଜଳସେଚିତ। ଏହାବାଦ୍‌ ୧୮୬ କୋଟି ଖର୍ଚ୍ଚରେ ୪ଟି ମେଗା ଉଠା ଜଳସେଚନ କାମ ଚାଲିଛି। ୨୦୨୩ ସେପ୍ଟେମ୍ବର ସୁଦ୍ଧା ଗଙ୍ଗାଧର ମେହର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଇନ୍ଦ୍ରାବତୀ ଉଠା କେନାଲ ପ୍ରକଳ୍ପ ଓ ଅନ୍ୟ ଯୋଜନା ଜରିଆରେ କଳାହାଣ୍ଡିର ୬୮ ପ୍ରତିଶତ ଜମି ଜଳସେଚିତ ହେବ। ମୟୂରଭଞ୍ଜରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମ ପାଇଁ ୧୫ ହଜାର ହେକ୍ଟର ଚାଷଜମି ଜଳସେଚିତ ହେବ। ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଓ ବାଲେଶ୍ୱରର ମୋଟ୍‌ ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ। ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ, ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଚାଷୀଙ୍କ ସେବାରେ ଉତ୍ସର୍ଗ ହୋଇଛି ।

ବିଦ୍ୟାଳୟରୁ ଅଲିମ୍ପିକ୍ସ ବିକାଶ କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ଭାବେ ବିଦ୍ୟାଳୟସ୍ତରରୁ ମୂଲ୍ୟଯୁକ୍ତ ଶିକ୍ଷା କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ଭୁବନେଶ୍ୱର ଓ ରାଉରକେଲାର ୯୦ଟି ବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍‌ ସହଯୋଗରେ ସମଗ୍ର ଦେଶରେ ଓଡିଶା କ୍ରୀଡା ମାନଚିତ୍ରର ନେତୃତ୍ୱ ନେବ। କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସରେ ଦେଶର ପ୍ରଥମ ଇନଡୋର୍‌ ଆଥଲେଟିକ୍‌ ଷ୍ଟାଡିୟମ୍‌ ନିର୍ମାଣ ହେଉଛି। ୧୨୦ କୋଟି ଟଙ୍କା ବିନିମୟରେ ଚଳିତବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବ। କଳିଙ୍ଗ ଷ୍ଟାଡିୟମରେ ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ କାମ ଚାଲିଛି। ନିର୍ମାଣାଧୀନ ଟେନିସ ସେଣ୍ଟରରେ ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ୍‌ କପ୍‌ ଭଳି ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ ହୋଇପାରିବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ୍‌ କ୍ରୀଡା ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହୋଇପାରିବା ସହ କ୍ରୀଡାବିତ କୋଚିଂ ମଧ୍ୟ ନେଇପାରିବେ । ହକି କ୍ଷେତ୍ରରେ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଅଛନ୍ତି ଓଡିଶା ସରକାର। ଟୋକିଓ ଅଲିମ୍ପିକ୍ସରେ ୪୧ ବର୍ଷ ପରେ ପୁରୁଷ ହକି ଦଳ ମେଡାଲ୍‌ ଜିତିବା ସହ ମହିଳା ଦଳ ତା’ର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲା। ୨୦୨୩ ହକି ବିଶ୍ୱକପ୍‌ ପାଇଁ ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ନିର୍ମାଣାଧୀନ। ପୂର୍ବରୁ ଭୁବନେଶ୍ୱରରେ ରାଜ୍ୟ ସରକାର ସଫଳତାର ସହ ହକି ବିଶ୍ୱକପ୍‌ ଆୟୋଜନ କରି ସାରିଛନ୍ତି।୬୯୩ କୋଟି ଖର୍ଚ୍ଚରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ୍‌ ନିର୍ମାଣାଧୀନ ରହିଛି। ବିପର୍ଯ୍ୟୟ କିମ୍ବା ମହାମାରୀ ସମୟରେ ଏହା ପଡ଼ିଆ ହସ୍ପିଟାଲ କିମ୍ବା ଆଶ୍ରୟସ୍ଥଳୀର ରୂପ ନେଇପାରିବ।

Spread the love