ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ; ରାଜ୍ୟସଭା ଯିବେ ମାନସ ମଙ୍ଗରାଜ

ଭୁବନେଶ୍ୱର, ୨୯/୫: ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ଦଳ ଏଥର ସୁଯୋଗ ଦେଇଛି । ରାଜ୍ୟର ସ୍ୱାର୍ଥ ହାସଲ ଓ କେନ୍ଦ୍ରରେ ବିରୋଧୀଙ୍କୁ ମାତଦେବାକୁ ଦଳ ମାନସ ମଙ୍ଗରାଜଙ୍କ  ସହ  ସୁଲତା ଦେଓ ଓ ନିରଞ୍ଜନ ବିଶିକୁ ଭରସା କରିଛି । ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି ।

ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ତିନିଟି ଆସନ ପାଇଁ ନିର୍ବାଚନ ହେଉଛି । ଆସନ୍ତା ୩୧ ତାରିଖ ଏହି ୩ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷଦିନ । ସେହିପରି ମେୟର ଭାବେ ବିଜୟୀ ହେବା ପରେ ସୁବାସ ସିଂହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସୁବାସଙ୍କ ଇସ୍ତଫା ପରେ ଉପନିର୍ବାଚନ ହେଉଛି । ଜୁନ ୨ ତାରିଖ ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷଦିନ ରହିଛି । ତେବେ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଅକ୍ତିଆର କରିବା ନିଶ୍ଚିତ ।

Spread the love