ପ୍ରଫେସର ସଂଘମିତ୍ରା ମିଶ୍ର ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ

ଭୁବନେଶ୍ୱର,୩୧/୦୫: ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ ହେବେ ପ୍ରଫେସର (ଡା) ସଂଘମିତ୍ରା ମିଶ୍ର । ପ୍ରଫେସର ମିଶ୍ର ବୁଧବାର ଦାୟିତ୍ୱ ଗ୍ରହଣ କରିବେ। ସମ୍ ହସ୍ପିଟାଲର କ୍ରିଟିକାଲ କେୟାର ମେଡିସିନ ବିଭାଗର ପ୍ରଫେସର ଓ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ପ୍ରଫେସର (ଡ.) ମିଶ୍ର ବର୍ତମାନ ଡିନ ଥିବା ପ୍ରଫେସର (ଡ) ଗଙ୍ଗାଧର ସାହୁଙ୍କ ସ୍ଥାନରେ ଯୋଗ ଦେବେ। ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର (ଡ) ସାହୁ ଆଜି ତାଙ୍କ ଦାୟିତ୍ୱରୁ ଅବସର ନେଉଛନ୍ତି । ସେ ୨୦୧୬ ରୁ ଏହି ମେଡିକାଲ କଲେଜରେ ଡିନ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବୁର୍ଲାସ୍ଥିତ ଭିଏସଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ସେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ଯୋଗ ଦେଇଥିଲେ। ଡାକ୍ତରୀ ପେଶା ସହିତ ସାହିତ୍ୟରେ ରୁଚି ରଖୁଥିବା ଛାତ୍ରବତ୍ସଳ ପ୍ରଫେସର ସାହୁଙ୍କର
ଆଇଏମଏସରେ ଯୋଗଦାନ ପରେ ଛାତ୍ର ଏବଂ ଶିକ୍ଷକମାନଙ୍କ ସମ୍ପର୍କ ଅଧିକ ଦୃଢ଼ିଭୂତ ହୋଇଥିଲା । ମଙ୍ଗଳବାର ଆଇଏମଏସ ପରିସରରେ ପ୍ରଫେସର ସାହୁଙ୍କୁ ଏକ ଆବେଗପୂର୍ଣ୍ଣ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

Spread the love