ଏବେ ବାଧ୍ୟତାମୂଳକ ହେବ ମାସ୍କ

ନୂଆଦିଲ୍ଲୀ : ଦେଶରେ କିଛିଦିନ ହେଲା କରୋନା ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ଦୈନିକ ସଂକ୍ରମଣ ପୂର୍ବରୁ ପ୍ରାୟ ୨ହଜାର ରହୁଥିବାବେଳେ ଗତ ଗୁରୁବାର ୩ହଜାର ଟପିବା ପରେ ଶୁକ୍ରବାର ଦୈନିକ ସଂକ୍ରମଣ ୪୦୪୧ରେ ପହଞ୍ଚିଛି । ଏଥିସହିତ ଦିନକ ମଧ୍ୟରେ ୧୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଦେଶରେ ଦୈନିକ ସଂକ୍ରମଣ ହାର ୦.୬୦% ଓ ସାପ୍ତାହିକ ସଂକ୍ରମଣ ୦.୫୬%ରେ ପହଞ୍ଚିଛି। ଏଥିସହିତ ଦେଶରେ ସକ୍ରିୟ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୨୧,୧୭୭କୁ ବୃଦ୍ଧିପାଇଛି। ସେହିଭଳି କୋଭିଡ-୧୯ ଜନିତ ମୃତ୍ୟୁସଂଖ୍ୟା ୫,୨୪,୬୫୧ରେ ପହଞ୍ଚିଛି। ମହାରାଷ୍ଟ୍ର ସମେତ ଦେଶର ପାଞ୍ଚଟି ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ାଇ ଦେଇଛନ୍ତି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୧୩୪ ଜଣ କୋଭିଡ-୧୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହା ଫେବୃଆରୀ ୨୪ ପରବର୍ତ୍ତୀ ସମୟରେ ଦୈନିକ ସର୍ବାଧିକ ସଂକ୍ରମଣ ସଂଖ୍ୟା ହୋଇଛି। ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨% ବୃଦ୍ଧିପାଇ ୫ହଜାର ଟପିଛି। କେବଳ ମୁମ୍ବଇରେ ଗତ ଶୁକ୍ରବାର ଦିନକ ମଧ୍ୟରେ ୭୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କ୍ରମାଗତ ତୃତୀୟ ଦିନ ପାଇଁ ମୁମ୍ବଇ ମହାନଗରରେ ଦୈନିକ ସଂକ୍ରମଣ ୭୦୦ ଉପରେ ରହିଛି। ମହାନଗରରେ ଗତବୁଧବାର ୭୩୯ ଓ ଗତଗୁରୁବାର ୭୦୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ରାଜଧାନୀ ଦିଲ୍ଲୀରେ ମଧ୍ୟ ଦିନକ ମଧ୍ୟରେ ୩୪୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋଭିଡ ଅତିମାରୀର ଏଭଳି ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା ଓ ତାମିଲନାଡୁ ସରକାରଙ୍କ ନିକଟକୁ ପତ୍ରଲେଖି ପରିସ୍ଥିତି ଉପରେ କଡା ନଜର ରଖିବା ଏବଂ ଆବଶ୍ୟକସ୍ଥଳେ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ସନ୍ଦିଗ୍ଧ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ବିଶେଷକରି ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ନମୁନା ପରୀକ୍ଷା କରିବା ସହିତ ଆବଶ୍ୟକ ଚିକିତ୍ସା ଓ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି। ଇତିମଧ୍ୟରେ ପଶ୍ଚିମବଙ୍ଗ, ଗୁଜରାଟ, ମଧ୍ୟପ୍ରଦେଶ, ଗୋଆ ଭଳି କିଛି ରାଜ୍ୟରେ ମଧ୍ୟ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ କୋଭିଡ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ ବସ୍‍, ଟ୍ରେନରେ ଯାତ୍ରା, ଚଳଚ୍ଚିତ୍ର ପ୍ରେକ୍ଷାଳୟ, ଅଡିଟୋରିୟମ, ଅଫିସ, ହସପିଟାଲ, ସ୍କୁଲ, କଲେଜ ଆଦି ସ୍ଥାନରେ ଜନସାଧାରଣ ମାସ୍କ ପରିଧାନ କରିବାକୁ କୁହାଯାଇଛି। ଏହାପରେ ସମଗ୍ର ଦେଶରେ ପୁଣି ମାସ୍କ ବାଧ୍ୟତାମୂଳକ ହୋଇପାରେ ବୋଲି ଏକ ସୂତ୍ରରୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଥିପାଇଁ ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇସାରିଛନ୍ତି।
ଭାରତ ସରକାର କୋର୍ବେଭାକ୍ସକୁ କୋଭିଡ ବୁଷ୍ଟର ଟିକା ଭାବରେ ଅନୁମୋଦନ କରିଛନ୍ତି। ଏହାକୁ ଅନ୍ୟ ଟିକା ସହିତ ନିଆଯାଇପାରିବ ବୋଲି କୁହାଯାଇଛି। ଫଳରେ ଏହା ଭାରତରେ ପ୍ରଥମ କୋଭିଡ-୧୯ ଟିକା ଭାବରେ ଭାରତର ଡ୍ରଗ୍‍ କଂଟ୍ରୋଲର ଜେନେରାଲଙ୍କ ଅନୁମୋଦନ ଲାଭ କରିଛି। ଏହାଦ୍ୱାରା ପୂର୍ବରୁ ଦୁଇପାନ କୋଭିଶିଲ୍ଡ ଅଥବା କୋଭାକ୍ସିନ ଟିକା ନେଇସାରିଥିବା ବୟସ୍କ ବ୍ୟକ୍ତି ତୃତୀୟ ପାନ ଅଥବା ବୁଷ୍ଟର ପାନ ଭାବରେ କୋର୍ବେଭାକ୍ସ ଟିକା ନେଇପାରିବେ। ଦ୍ୱିତୀୟ ପାନ ଟିକା ନେବାର ଛଅମାସ ପରେ ଏହି ଟିକା ଦିଆଯାଇପାରିବ। ଏହି ଟିକା ନେବା ପାଇଁ କୋୱିନ୍‍ ପୋର୍ଟାଲରେ ନିଜ ନାମ ପଞ୍ଜିକରଣ କରାଯାଇପାରିବ। ଏପର୍ଯ୍ୟନ୍ତ ଭାରତରେ ପିଲାଙ୍କୁ ୫୧.୭ ନିୟୁତ ପାନ କୋର୍ବେଭାକ୍ସ ଟିକା ଦିଆଯାଇସାରିଲାଣି। ଏହାର ପ୍ରସ୍ତୁତକାରୀ କମ୍ପାନୀ ବାୟୋଲୋଜିକାଲ ଇ ଲିମିଟେଡ କେନ୍ଦ୍ର ସରକାରଙ୍କୁ ୧୦୦ ନିୟୁତ ପାନ ଟିକା ଯୋଗାଇ ସାରିଛନ୍ତି।

Spread the love