ମୋଦି ସରକାରଙ୍କ ସଂକଳ୍ପ କାରଣରୁ ଦେଶରେ କୃଷକଙ୍କ ଆୟ ବୃଦ୍ଧି ପାଇଛି: ସମୀର ମହାନ୍ତି

ଭୁବନେଶ୍ୱର, ତା.୦୫/୦୬ : ଦେଶର ଅର୍ଥବ୍ୟବସ୍ଥାରେ କୃଷି ହେଉଛି ମେରୁଦଣ୍ଡ । କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ ଏବଂ ଏଥି ପାଇଁ କାର୍ଯ୍ୟ କରିଆସୁଛନ୍ତି । ଦେଶରେ କୃଷକଙ୍କ ଆୟ ବୃଦ୍ଧି ପାଇଛି । ଦେଶର ବାର୍ଷିକ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷମତା ୩୧୬.୦୬ ମିଲିୟନ ଟନକୁ ବୃଦ୍ଧି ପାଇଛି । ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ରମାଗତ ଭାବେ ବୃଦ୍ଧି କରିବା, “ଏକ୍ ଦେଶ – ଏକ୍ ବଜାର”, ଆତ୍ମନିର୍ଭର କୃଷକ, ୨.୯୪ କୋଟି କୃଷକଙ୍କୁ ୩.୨୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ୍ ସୀମା, କିସାନ କ୍ରେଡିଟ କାର୍ଡ, ଫସଲ ବୀମା ଯୋଜନା, “କିସାନ ମାନ ଧନ ଯୋଜନା”, “ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ”, “ହର୍ କ୍ଷେତକୋ ପାନୀ”, ୨୩ କୋଟି କୃଷକଙ୍କୁ ସଏଲ ହେଲ୍‌ଥ କାର୍ଡ ପ୍ରଦାନ, ଜାତୀୟ କୃଷି ବିକାଶ ଯୋଜନା, କୃଷି ଭିତିଭୂମି ପାଂଠି, ଜାତୀୟ ବାଉଁଶ ମିଶନ, ଜାତୀୟ ଖାଦ୍ୟ ମିଶନ, ଗୋକୁଳ ଗ୍ରାମ ମିଶନ, ପାରଂପାରିକ କୃଷି ବିକାଶ ଯୋଜନା, କିସାନ ରେଲ୍‌, କିସାନ ଉଡାନ୍‌, କିସାନ ଟିଭି ଚ୍ୟାନେଲ ଭଳି ଅନେକ କୃଷି ଓ କୃଷକ ଉପଯୋଗୀ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ମୋଦି ସରକାର । କୃଷି ଭିତିଭୁମି ବିକାଶ ପାଇଁ ମୋଦି ସରକାର ୧ ଲକ୍ଷ କୋଟି ଟଙ୍କାର ଋଣ ସୁବିଧା କରାଇଛନ୍ତି । ୨୦୦୯ – ୨୦୧୪ (ୟୁପିଏ ସରକାର)ରେ କୃଷି ବଜେଟ ମାତ୍ର ୮.୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୨୦୧୪-୨୦୧୯ (ମୋଦି ସରକାର)ରେ ୩୮.୮ ପ୍ରତିଶତ ବୃଦ୍ଧି ପାଇଛି । ସାରା ଦେଶରେ ମଣ୍ଡିଗୁଡିକର ଡିଜିଟାଲ ଏକତ୍ରୀକରଣ କରାଯିବା ସହିତ ଦଶ ହଜାରରୁ ଅଧିକ କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ଜରିଆରେ କୃଷକମାନଙ୍କ ଆର୍ଥିକ ଅଭିବୃଦ୍ଧି କରାଇବାରେ ସହାୟକ ହୋଇଛନ୍ତି । ଗତ ଆର୍ଥିକ ବର୍ଷରେ “ଇ-ନାମ ପ୍ଲାଟଫର୍ମରେ ୧.୮୭ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି । ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ୧,୨.୯୬୦.୭୫ କୋଟି ଟଙ୍କାର କୃଷି ବଜେଟ ଉପସ୍ଥାପନ କରିଛନ୍ତି । ମୋଦି ସରକାରଙ୍କ ଆନ୍ତରିକତା କାରଣରୁ କୃଷକଙ୍କ ଅର୍ଥନୈତିକ ସ୍ଥିତି ସୁଦୃଢ ହେବାରେ ଲାଗିଛି ବୋଲି କଟକ ଜିଲ୍ଲା ସାଲେପୁରଠାରେ ଅନୁଷ୍ଠିତ ‘ହିତାଧିକାରୀ କୃଷକ ସମାବେଶ’ରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କୁ ଶ୍ରୀ ମହାନ୍ତି ସମ୍ମାନିତ କରିଛନ୍ତି ।

କୃଷି ଏବଂ କୃଷକଙ୍କ ହିତ ପାଇଁ ମୋଦି ସରକାର ୮ ବର୍ଷ ଶାସନ କାଳରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଏହି ସମସ୍ତ ଯୋଜନାର ସୁପ୍ରଚାର ପାଇଁ ଦେଶବ୍ୟାପୀ ‘ହିତାଧିକାରୀ କୃଷକ ସମାବଶ’ ଆୟୋଜନ କରାଯିବା ସହିତ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କୁ ସମ୍ମାନିତ କରାଯାଉଛି । ଏହି ଅବସରରେ କୃୃଷକ ମୋର୍ଚ୍ଚା ତରଫରୁ ରାଜ୍ୟର ବିଭିନ୍ନ ଅଂଚଳରେ ‘ହିତାଧିକାରୀ କୃଷକ ସମାବଶ’ ଆୟୋଜନ କରାଯାଇଛି ।
କିସାନ ସମ୍ମାନ ନିଧି ଯୋଜନାରେ ଦେଶର ୧୨ କୋଟି କୃଷକ ପରିବାରକୁ ଡିବିଟି ଜରିଆରେ ବାର୍ଷିକ ୬ ହଜାର ଟଙ୍କା ହିସାବରେ ୧.୮୨ ଲକ୍ଷ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ଓଡିଶାରେ ୪୦.୫୪ ଲକ୍ଷ କୃଷକ ପରିବାରକୁ ୭୦୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ସରକାର ସଠିକ ତାଲିକା ପ୍ରଦାନ ନକରିବା କାରଣରୁ ଲକ୍ଷାଧିକ ଚାଷୀ ପରିବାର ଏହି ସୁବିଧା ପାଇବାରୁ ବଂଚିତ । ପିଏମ-କିସାନରେ ରାଜ୍ୟର କୃଷକମାନେ ଆର୍ଥିକ ସହାୟତା ପାଇବାରେ ମୁଖ୍ୟ ବାଧକ ସାଜିଛନ୍ତି ରାଜ୍ୟ ସରକାର । ପିଏମ କୃଷି ସିଚାଇ ଯୋଜନାରେ ସମଗ୍ର ଭାରତବର୍ଷରେ ୫୦.୬୪ ଲକ୍ଷ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସମ୍ଭାବନା ସୃଷ୍ଟି କରାଯାଇପାରିଛି । ଆନ୍ଧ୍ର, ଗୁଜୁରାଟ, ରାଜସ୍ଥାନ ଭଳି ରାଜ୍ୟରେ ୭୦-୮୦ ଲକ୍ଷ ହେକ୍ଟର ଜମି ଜଳସେଚିତ କରୁଥିବାବେଳେ ଓଡିଶାରେ ମାତ୍ର ୩୩ ହଜାର ହେକ୍ଟର ଜମି ଜଳସେଚିତ ହେଉଛି । କୃଷକଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରତ୍ୟେକ ଖାଦ୍ୟଶସ୍ୟର ଏମଏସପି ଦେଢ ଗୁଣ ବୃଦ୍ଧି କରାଯାଇଛି । ପିଏମ ଫସଲ ବୀମା ଯୋଜନାରେ ଭାରତବର୍ଷରେ ୩୭.୫୨ କୋଟି ଚାଷୀ ଉପକୃତ ହୋଇଛନ୍ତି । ରାଷ୍ଟ୍ରୀୟ ସ୍ତରରେ ଚାଷୀଙ୍କ ଆୟ ବୃଦ୍ଧି ପାଇ ୧୦୨୪୮ ଟଙ୍କାରେ ପହଂଚିଥିବାବେଳେ ଓଡିଶାରେ ଚାଷୀଙ୍କ ଆୟ ମାତ୍ର ୫୧୧୨ ଟଙ୍କା ହେବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
୨୦୧୯ ମସିହା ନିର୍ବାଚନ ସମୟରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯ୍ଧବଥିବାବେଳେ, ମାତ୍ର ୫୭ ଲକ୍ଷ ଚାଷୀଙ୍କ ତାଲିକା ରାଜ୍ୟ ସରକାରଙ୍କ ନିକଟରେ ଅଛି ବୋଲି ବିଧାନସଭାରେ ସ୍ୱୀକାର କରିଛନ୍ତି । ତାହେଲେ ବଳକା ୧୮ ଲକ୍ଷ ଚାଷୀ କୁଆଡେ ଗଲେ ? କାଳିଆ ଯୋଜନରେ ଥିବା ୫୭ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ କାହିଁକି ବଳକା ୧୬.୪୬ ଲକ୍ଷ ହିତାଧିକାରୀ ପିଏମ-କିସାନ ଯୋଜନାରୁ ବଂଚିତ ହୋଇଛନ୍ତି । ଓଡିଶା ଚାଷୀ ଉପକୃତ ହେଲେ ରାଜ୍ୟ ସରକାରଙ୍କ କେଉଁଠି ଅସୁବିଧା ରହିଯାଉଛି ? ପିଏମ-କିସାନ ଯୋଜନାରେ ଓଡିଶାର ଚାଷୀମାନେ ଲାଭାନ୍ୱିତ ହେଲେ କାଳେ ମୋଦି ସରକାର ନାମ ନେଇଥିବେ ସେହି ଭୟରେ ଓଡିଶା ସରକାର ସଠିକ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରୁନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ଶାସକ ବିଜେଡି ୩୫ ପ୍ରତିଶତ ଜମିକୁ ଜଳସେଚନ ପାଇଁ ଦେଇଥିବା ପ୍ରତିଶୃତି ଆଜି ପାଣିରେ ଗାର ସଦୃଶ ହୋଇପଡିଛି । ରାଜ୍ୟରେ ଉତ୍କଟ ଧାନ ମଣ୍ଡି ସମସ୍ୟା ଏବଂ ଆବଶ୍ୟକ କୃଷି ଭିତିଭୁମିର ଅଭାବ କାରଣରୁ ଚାଷୀର ଆୟ ବୃଦ୍ଧି ପାଇବା ପରିବର୍ତେ ହ୍ରାସ ପାଇଚାଲିଛି । ରାଜ୍ୟ ସରକାର ନିଜ ଚାଷୀମାରଣ ନୀତି ମାନସିକତାକୁ ପରିତ୍ୟାଗ କରି ଚାଷୀକୁଳର ହିତ ପାଇଁ କେନ୍ଦ୍ରୀୟ ଯୋଜନାର ସଫଳ ଭାବେ କାର୍ଯ୍ୟାନ୍ୱୟନ କରିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

Spread the love