ଅଟୋରେ ଲାଗିବ ଦର ତାଲିକା

ପୁରୀ : ଅଟୋ ଚାଳକମାନେ ମନମୁତାବକ ଦର ନେଇପାରିବେ ନାହିଁ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଭିନ୍ନ ଭିନ୍ନ ଅଟୋ ଚାଳକ ଭିନ୍ନ ଭିନ୍ନ ଦର ନେଉଥିବା ବେଳେ ଯାତ୍ରୀମାନେ ଶୋଷଣର ଶିକାର ହେଉଥିଲେ। ଏନେଇ ବାରମ୍ବାର ଅଭିଯୋଗ ସାମ୍ନାକୁ ଆସିବା ପରେ ପୁରୀ ପୋଲିସ ଅଟୋ ଚାଳକଙ୍କ ସହ ସମନ୍ବୟ ବୈଠକ କରି ଦର ତାଲିକା ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି। ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ଲୁଟପାଟ୍‌ରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ରେଟ୍‌ ଚାର୍ଟ ପ୍ରସ୍ତୁତ କରାଯାଇଛି। ରେଟ ଚାର୍ଟ ଅନୁଯାୟୀ, ରେଳଷ୍ଟେସନରୁ ବାଲିଘାଟ ଯିବା ପାଇଁ ୧୫୦ ଟଙ୍କା, ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯିବାକୁ ଶହେ ଟଙ୍କା ଓ ମଙ୍ଗଳାଘାଟକୁ ଯିବା ଲାଗି ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହିଭଳି ୪୧ଟି ରୁଟ୍‌ ନିର୍ଦ୍ଧାରିତ ହୋଇଛି। ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନିଆଯାଇପାରିବ ନାହିଁ ବୋଲି ପୋଲିସ ପ୍ରଶାସନ ସ୍ପଷ୍ଟ କରିଛି।  ସେହିଭଳି ଅଟୋ ଆସୋସିଏଶନ୍‌ ପୁରୀ ଅଟୋଚାଳକଙ୍କୁ ଯାତ୍ରୀଙ୍କ ସହ ଉତ୍ତମ ବ୍ୟବହାର କରିବା ନେଇ ସଚେତନ କରାଇବ। ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ସହଯୋଗ ମନୋଭାବ ନେଇ କାର୍ଯ୍ୟ କରିବ। ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଧାର୍ଯ୍ୟ ଅଟୋ ଭଡ଼ାଠାରୁ ଅଧିକ ଭଡ଼ା ଯାତ୍ରୀଙ୍କଠାରୁ ଆଦାୟ କରାଯିବ ନାହିଁ। ଦର ତାଲିକା ଅଟୋରେ ଲଗାଯିବ। ଫଳରେ ଯାତ୍ରୀମାନେ ତାଲିକା ଦେଖି ଅଟୋ ଭଡ଼ା ଦେଇପାରିବେ। ସବୁ ଅଟୋ ଆଗରେ ଷ୍ଟିକର ସହାୟତାରେ ପୁରୀ ପୋଲିସ ପକ୍ଷରୁ ଜାରି ଟୁରିଷ୍ଟ ହେଲ୍ପ ଲାଇନ୍‌ ନମ୍ବର (୬୩୭୦୯୬୭୧୦୦) ଲଗାଯିବ। କୌଣସି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଲେ, ତୁରନ୍ତ ଏନେଇ ସୂଚନା ଦେଇପାରିବେ। ଅଟୋ ସମ୍ପର୍କିତ ସମସ୍ୟା ଦାୟିତ୍ୱରେ ଟ୍ରାଫିକ୍‌ ଡିଏସ୍‌ପି ମନୋବ୍ରତ ଶତପଥୀ ନୋଡାଲ୍‌ ଅଫିସର ଭାବେ କାର୍ଯ୍ୟ କରିବେ। ଅଟୋ ଚାଳକ ସଂଘ ସହ ହୋଇଥିବା ବୈଠକରେ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା, ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ, ଟ୍ରାଫିକ୍‌ ଡିଏସ୍‌ପି ମନୋବ୍ରତ ଶତପଥୀ ଏବଂ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଦର ସାରଣୀ ସମ୍ପର୍କରେ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ କହିଛନ୍ତି, ଅଟୋ ଚାଳକମାନେ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଅନେକ ସମୟରେ ସାମ୍ନାକୁ ଆସୁଛି। ଅଧିକାଂଶ ବଚସା କେବଳ ଅଟୋ ଭଡ଼ାକୁ ନେଇ ହେଉଛି। ଏଣୁ ଆର୍‌ଟିଓ ଏବଂ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ଏଭଳି ସମସ୍ୟାର ସମାଧାନ କରାଯାଇଛି।

Spread the love