ନୂପୁରଙ୍କ ବୟାନ ପରେ ଲକ୍ଷ୍ମଣ ରେଖା ଟାଣିଲା ବିଜେପି, ନେତାଙ୍କ ପାଇଁ ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ; ନୂପୁର ଶର୍ମାଙ୍କ ପୈଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀକୁ ନେଇ ଅନେକ ମୁସଲିମ ଦେଶ ଟାର୍ଗେଟ୍‌ରେ ଭାରତ। ଜାରି ହଙ୍ଗାମା ଏବଂ ବାଦ ବିବାଦକୁ ନେଇ ବିଜେପି ସତର୍କ ହୋଇ ଉଠିଛି। ଟେଲିଭିଜନର ବିତର୍କ କାର୍ଯ୍ୟକ୍ରମକୁ ଯାଉଥିବା ନିଜ ନେତା ଏବଂ ମୁଖପାତ୍ରଙ୍କ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରିଛି। ଏହି ମାର୍ଗଦର୍ଶିକାକୁ ପ୍ରତିଟି ନେତା ଏବଂ ମୁଖପାତ୍ର ପାଳନ କରିବେ। ନକଲେ ଏହାକୁ ଅନୁଶାସନର ଉଲ୍ଲଂଘନ ଧରାଯିବ।

ମାର୍ଗଦର୍ଶିକାରେ ନେତାଙ୍କୁ ସ୍ପଷ୍ଟ ଆଦେଶ ଦିଆଯାଇଛି ଯେ, ସେମାନେ ବିତର୍କ ସମୟରେ କୌଣସି ଧର୍ମ, ଏହାର ପ୍ରତୀକ ଏବଂ ପୂଜନୀୟ ହସ୍ତୀଙ୍କ ବିଷୟରେ କୌଣସି ଆପତ୍ତିଜନକ ଟିପ୍ପଣୀ କରିବେ ନାହିଁ। ବିତର୍କ ସମୟରେ ସୀମା ଯେମିତି ଉଲ୍ଲଂଘନ ନହୁଏ ମୁଖପାତ୍ରଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି।

ବିଜେପି ପାର୍ଟି ମୁଖପାତ୍ରଙ୍କୁ ବିତର୍କ ସମୟରେ ଉସୁକାଇବା ପରି ମନୋଭାବରୁ ନିବୃତ୍ତ ରହିବେ। କୌଣସି ପ୍ରକାରର ଉସୁକାଇବାରେ ପଡି ପାର୍ଟିର ବିଚାରଧାରା ଏବଂ ଆଦର୍ଶର ଉଲ୍ଲଂଘନ କରିବେ ନାହିଁ। ମୁଖପାତ୍ରଙ୍କୁ ଉପଦେଶ ଦିଆଯାଇଛି ଯେ, ଟିଭିର ବିତର୍କ କାର୍ଯ୍ୟକ୍ରମକୁ  ଯିବା ପୂର୍ବରୁ ବିଷୟ ବସ୍ତୁ ଦେଖନ୍ତୁ ଏବଂ ପୂର୍ବ ପ୍ରସ୍ତୁତି କରି ଯାଆନ୍ତୁ। ଏହି ସମୟରେ ପାର୍ଟିର ଲକ୍ଷ୍ମଣରେଖାକୁ ଧ୍ୟାନରେ ରଖନ୍ତୁ। ପାର୍ଟି ସ୍ପଷ୍ଟ କରିଛି ଯେ, ବିତର୍କ ସମୟରେ କାହାରି ଜାଲରେ ଯେମିତି ଫଶିବେ ନାହିଁ। ବିତର୍କ ସମୟରେ କେବଳ ସାମାଜିକ କଲ୍ୟାଣ ଏବଂ ବିକାଶ ପ୍ରସଙ୍ଗ ଉପରେ ଧ୍ୟାନ ଦେବେ। ସରକାରଙ୍କ ଉପଲବ୍ଧି ବିଷୟରେ ଲୋକଙ୍କୁ ଅଧିକ ସୂଚନା ଦିଅନ୍ତୁ। ଏହିପରି ଭାବେ ବିଜେପି ୮ ସୂତ୍ରୀ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି।

ଏହା ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ମାସରେ ଜୟପୁରରେ ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦକୁ ସମ୍ବୋଧିତ କରି କହିଥିଲେ, ଆମ ନେତାଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉଚିତ୍। ସେ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ, ଆମକୁ ବିକାଶ ପ୍ରସଙ୍ଗ ଉପରେ ଦୃଢ଼ ରହିବା ଉଚିତ୍।

ବିଜେପିରୁ ନିଲମ୍ଵିତ ନେତ୍ରୀ ନୂପୁର ଶର୍ମାଙ୍କ ବୟାନକୁ ନେଇ ପୂରା ଦୁନିଆର ମୁସଲିମ ଦେଶଗୁଡିକରେ ହଙ୍ଗାମା ଆରମ୍ଭ ହୋଇ ଯାଇଛି। ଏକ ଟେଲିଭିଜନର ବିତର୍କ କାର୍ଯ୍ୟକ୍ରମ ସମୟରେ ସେ ପୈଗମ୍ବର ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ଇସଲାମିକ ଦେଶ କ୍ଷୁବ୍ଧ ହେବା ସହ ଏହାର ଜୋରଦାର ବିରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ସାଉଦି ଆରବ, ଓମାନ, କାତାର, ବାହାରିନ, କୁଏତ, ୟୁଏଇ ଏବଂ ଇରାନ ସମେତ ପ୍ରାୟ ୧୫ ମୁସଲିମ ଦେଶ ଦୃଢ ଆପତ୍ତି ପ୍ରକାଶ କରିଛନ୍ତି।

Spread the love