ଅନୁସୂଚିତ ବର୍ଗଙ୍କ ବିକାଶ, ମୋଦି ସରକାରଙ୍କ ପ୍ରାଥମିକତା: ସମୀର ମହାନ୍ତି

ଭୁବନେଶ୍ୱର, ତା.୦୭/୦୬ : ଜାତିବିହୀନ ସମାଜ ଗଠନ ଥିଲା ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନ । ଦେଶରେ ସମାବେଶୀ ବିକାଶକୁ ସୁନିଶ୍ଚିତ କରିବାକୁ ମୋଦି ସରକାର ବଦ୍ଧପରିକର । ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଐତିହାସିକ ରୂପେ ଅସମାନତା ଓ ଅକ୍ଷମତାର ଶିକାର ହୋଇଥିବାରୁ ସେମାନଙ୍କ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ‘ସେବା, ସୁଶାସନ ଓ ଗରିବ କଲ୍ୟାଣ’ର ୮ବର୍ଷର ସ୍ୱର୍ଣ୍ଣର୍ମ ଶାସନ କାଳ ସମ୍ପୂର୍ଣ୍ଣ ହୋଇଛି । ଆତ୍ମନିର୍ଭର ଭାରତ ଏବେ ବିଶ୍ୱଗୁରୁଭାବେ ବିଶ୍ୱ ପ୍ରେକ୍ଷାପଟ୍ଟରେ ଉଭା ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ, ଗରିବମାନଙ୍କ ଭିତରେ ସବୁଠାରୁ ଗରିବଙ୍କର ଉତ୍‌ଥାନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାରୁ ଅନ୍ତ୍ୟୋଦୟ ଯୋଜନାର କାର୍ଯ୍ୟାନ୍ୱୟନ ଓ ଦର୍ଶନ ପାଇଁ ନୂଆ ଅବସର ସୃଷ୍ଟି ହୋଇଛି । ଭାରତୀୟ ସମ୍ବିଧାନର ପ୍ରତିଷ୍ଠାତା ଡକ୍ଟର ଆମ୍ବେଦକରଙ୍କ ଦୁଇ ମନ୍ତ୍ର “ ଭାରତୀୟମାନଙ୍କର ଗାରିମା” ଓ “ ଭାରତୀୟ ଏକତା”କୁ ଆଧାର କରି ମୋଦି ସରକାର ସମସ୍ତ ନୀତି ପ୍ରସ୍ତୁତ କରିଛନ୍ତି । ଗତ ୮ବର୍ଷରେ ବାବା ସାହେବଙ୍କ ସାମାଜିକ ଆର୍ଥିକ ଗଣତାନ୍ତ୍ରିକ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ଅହରହ ପ୍ରୟାସ ଜାରୀ ରଖିଛନ୍ତି ବୋଲି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବସନ୍ତପୁର ପଂଚାୟତଠାରେ ଅନୁଷ୍ଠିତ ‘ଅନୁସୁଚିତ ଜାତି ମୋର୍ଚ୍ଚା ସମାବେଶ’ରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କୁ ଶ୍ରୀ ମହାନ୍ତି ସମ୍ମାନିତ କରିଛନ୍ତି ।
ସାର୍ବଜନୀକ ବିତରଣ ପ୍ରଣାଳୀ ମାଧ୍ୟମରେ ଭୋଜନ, ସ୍ୱଳ୍ପ ଖର୍ଚ୍ଚରେ ବାସଗୃହ, ସ୍ୱାସ୍ଥ୍ୟ ଦେଖାଶୁଣା କରିବା ପାଇଁ ବୀମା ଭଳି ପ୍ରାଥମିକ ଆବଶ୍ୟକତା ପୂରଣ କରି ଗରିବ ଲୋକମାନଙ୍କୁ ସଶକ୍ତ କରାଯାଉଛି । ମୁଦ୍ରା ଋଣ ଯୋଜନା ମାଧ୍ୟମରେ ଅନୁସୂଚିତ ବର୍ଗଙ୍କ ଆତ୍ମନିଯୁକ୍ତି ବା ବ୍ୟବସାୟ ପାଇଁ ୨୦୨୨-୨୩ ବାର୍ଷିକ ବଜେଟ୍‌ରେ ୧.୪୨ ଲକ୍ଷ କୋଟି ଟଙ୍କାର ଅର୍ଥ ବ୍ୟୟ ବରାଦ କରାଯାଇଛି । ଅନୁସୂଚିତ ଜାତିର ବିଦ୍ୟାର୍ଥୀମାନଙ୍କୁ ମାଟ୍ରିକ ପରବର୍ତୀ ଶିକ୍ଷା ପାଇଁ ମିଳୁଥିବା ଛାତ୍ରବୃତି ବ୍ୟବସ୍ଥାକୁ ପୂର୍ଣ୍ଣରୂପରେ ସୁଦୃଢ଼ କରାଯାଇଛି ଏବଂ ଚଳିତ ୨୦୨୨-୨୩ ବଜେଟ୍‌ରେ ଏଥିପାଇଁ ୫୬୬୦କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ନ୍ୟାସନାଲ ଓଭରସିଜ ସ୍କଲାରସିପ୍‌ରେ କେନ୍ଦ୍ରୀୟ କ୍ଷେତ୍ର ଯୋଜନା, ଅନୁସୂଚିତ ଜାତି, ମୁକ୍ତଭାବେ ଘୂରି ବୁଲୁଥିବା ଯାଯାବର ଜନଜାତି, ଅର୍ଦ୍ଧର୍ ଯାଯାବର ଜନଜାତ, ଭୂମିହୀନ କୃଷି ଶ୍ରମିକ ଏବଂ ପାରମ୍ପରିକ କାରିଗର ଶ୍ରେଣୀର ପିଲାମାନଙ୍କ ଉଚ୍ଚଶିକ୍ଷା ଅର୍ଥାତ ମାଷ୍ଟର ଡିଗ୍ରୀ ପିଏଚଡି ଡିଗ୍ରୀ ପାଇଁ ପ୍ରତି ବର୍ଷ ୧୨୫ ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଯାଉଛି । ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର କୋଚିଂଗ ଜରିଆରେ ବିଭିନ୍ନ ସର୍ବ ଭାରତୀୟ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ୨୦୨୨-୨୩ ବଜେଟ୍‌ରେ ୪୭ କୋଟି ଟଙ୍କା ଆବଂଟିତ କରାଯାଇଛି । ଅନୁସୂଚିତ ବର୍ଗର ଉଦ୍ୟୋଗ କ୍ଷେତ୍ରରେ ବିକାଶ ତଥା ଉଦ୍ୟୋଗୀ ପ୍ରତିଷ୍ଠା କରିବା ପାଇଁ ୪୪୪କୋଟି ଟଙ୍କାର ଏକ ଫଣ୍ଡ ସୃଷ୍ଟି କରାଯାଇଛି । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଜରିଆରେ ୫୦ପ୍ରତିଶତରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତି ବସବାସ କରୁଥିବା ଗ୍ରାମର ବିକାଶକୁ ସୁନିଶ୍ଚିତ କରାଯାଉଛି । ବର୍ତମାନ ସୁଦ୍ଧା ୨୪ଟି ରାଜ୍ୟର ୫୨୯ଜିଲ୍ଲାରେ ୧୯,୦୮୪ଟି ଗ୍ରାମରେ ବାସ କରୁଥିବା ୨.୫୪ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ବିନା ବନ୍ଧକରେ ୧୦ଲକ୍ଷରୁ ଆରମ୍ଭ କରି ୧କୋଟି ପର୍ଯ୍ୟନ୍ତ ଋଣ ଦିଆଯାଉଛି । ୨୦୨୧-୨୨ ସୁଦ୍ଧା ୩୪.୯୪କୋଟି ଲାଭାର୍ଥୀଙ୍କ ମଧ୍ୟରେ ଅନୁସୂଚିତ ଜାତିର ୫.୯୨କୋଟି ଲାଭାର୍ଥୀ ଅଛନ୍ତି । ସମୁଦାୟ ୨୩.୦୨କୋଟି ମହିଳା ଲାଭାର୍ଥୀଙ୍କ ଭିତରୁ ୬୮ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତିର ମହିିଳା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଯୋଜନା ଅଧିନରେ ବର୍ତମାନ ସୁଦ୍ଧା ଅନୁସୂଚିତ ଜାତିଙ୍କୁ ୫୬ ଲକ୍ଷ ବାସଗୃହ ଆଂବଟନ ହୋଇଛି । ସ୍ୱଚ୍ଛ ଭାରତ ଯୋଜନାରେ ଅନୁସୂଚିତ ଜାତିଙ୍କ ପାଇଁ ୧.୮କୋଟି ଶୌଚାଳୟ ନିର୍ମିତ ହୋଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମକୁ ଆହୁରି ଅଧିକ କଠୋର କରାଯିବା ସହିତ ବିଶେଷ ଅଦାଲତର ସ୍ଥାପନା ଏହି ବର୍ଗର ଲୋକମାନଙ୍କୁ ବିଭିନ୍ନ ପ୍ରକାର ଅତ୍ୟାଚାରରୁ ସୁରକ୍ଷା ଦେବା ସହ ଅଭିଯୁକ୍ତଙ୍କୁ ତତ୍କାଳ ଗିରଫ ଓ କାରାବାସର ପ୍ରାବଧାନ କରାଯାଇଛି । ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି ସଦସ୍ୟଙ୍କ ଉପରେ ଅତ୍ୟାଚାର ହୋଇଥିଲେ ଅଭିଯୋଗ ଦାଖଲ କରିବା ପାଇଁ ଦୁଇ ଦୁଇଟି ହେଲ୍ପଲାଇନର ବ୍ୟବସ୍ଥା କରାଯାଇଛି । ଏହାଛଡା ପିଏମ କିଷାନ ସମ୍ମାନ ନିଧି, ପିଏମ ସ୍ୱନିଧି, ଆୟୁଷ୍ମାନ ଭାରତ, ଉଜ୍ଜ୍ୱଳା ଯୋଜନାରେ ସବୁଠାରୁ ବେଶୀ ହିତାଧିକାରୀ ଅନୁସୂଚିତ ଜାତି ବର୍ଗର ହିଁ ରହିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେପି ଦେଶର ପ୍ରଥମ ରାଷ୍ଟ୍ରୀୟ ରାଜନୈତିକ ପାର୍ଟି ଯିଏ ପ୍ରଥମ କରି ସ୍ୱର୍ଗତଃ ବାଙ୍ଗୁର ଲକ୍ଷ୍ମଣଙ୍କ ଭଳି ଜଣେ ଦଳିତ ନେତାଙ୍କୁ ନିଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଲୋକସଭାର ପ୍ରଥମ ଦଳିତ ଅଧ୍ୟକ୍ଷ ରୂପେ ସ୍ୱର୍ଗତଃ ଜିଏମ୍‌ସି ବାଳଯୋଗୀଙ୍କୁ ୧୯୯୮ରେ ଏହି ପଦରେ ଆସୀନ କରାଇଥିଲା । ନଭେମ୍ବର ୨୬କୁ ସମ୍ବିଧାନ ଦିବସ ରୂପେ ପାଳିବା ସହିତ ସଂସଦରେ ଦୁଇଦିନ ଧରି ଏବିଷୟରେ ଆଲୋଚନା କରି ସମ୍ବିଧାନ, ସମ୍ବିଧାନ ପ୍ରଣେତା ଓ ବାବା ସାହେବଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିଛନ୍ତି ମୋଦି ସରକାର । ବାବା ସାହେବଙ୍କ ଜୀବନ ସହିତ ଜଡିତ “ମହୁରେ” ଆମ୍ବେଦକରଙ୍କ ଜନ୍ମଭୂମି, ଲଣ୍ଡନରେ ଶିକ୍ଷାଭୂମି, ନାଗପୁରରେ ଦୀକ୍ଷାଭୂମି, ଦିଲ୍ଲୀର ବାସଭବନ ଏବଂ ମୁମ୍ବାଇରେ ତାଙ୍କର ଶେଷ ବିଶ୍ରାମ ସ୍ଥାନକୁ ଚୈତଭୂମିକୁ ପଚଂ ତୀର୍ଥସ୍ଥଳୀର ମାନ୍ୟତା ଦିଆଯାଇଛି । ଆମ୍ବେଦକର ତଥା ଅନୁସୂଚିତ ଜାତି ଉପରେ ଅଧ୍ୟୟନ, ଅନୁସନ୍ଧାନ, ବିଶ୍ଲେଷଣ ଏବଂ ନୀତିନିର୍ମାଣ ପାଇଁ ଦିଲ୍ଲୀରେ ଡକ୍ଟର ଆମ୍ବେଦକର ଅନ୍ତରାଷ୍ଟ୍ରୀୟ କେନ୍ଦ୍ର ସ୍ଥାପନ କରିଛନ୍ତି ମୋଦି ସରକାର ।
ଭାରତୀୟ ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ୧୨ଜଣ ଦଳିତଙ୍କୁ ଉଚ୍ଚ ପଦବୀରେ ନିଯୁକ୍ତି ଦେଇ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରାଯାଇଛି । ଏପରିକି ରାଜ୍ୟପାଳ ଭାବେ ୩ ଜଣଙ୍କୁ ନିଯୁକ୍ତି ମିଳିଛି । ପ୍ରଥମ କରି ଦଳିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବରେ ସାମିଲ କରି ସେମାନଙ୍କୁ ମୁଖ୍ୟସ୍ରୋତକୁ ଅଣାଯାଇ ଦଳିତ ଆକାଂକ୍ଷାକୁ ଇତିହାସ ସହିତ ଯୋଡାଯାଇଛି । ଧାରା ୩୭୦ ଓ ୩୫ଏ ସମାପ୍ତ କରି ଜାମ୍ମୁକାଶ୍ମୀରରେ ଅନୁସୂଚିତ ଜାତିବର୍ଗଙ୍କୁ ସାମାଜିକ ନ୍ୟାୟ ଓ ସମ୍ମାନ ପ୍ରଦାନ କରାଯାଇଛି । ଅତୀତରେ ଦଳିତଙ୍କୁ କେବଳ ଭୋଟ୍ ବ୍ୟାଂକ ଭାବେ ଗ୍ରହଣ କରାଯାଉଥିବାବେଳେ ଗତ ୮ ବର୍ଷ ଶାସନରେ ମୋଦି ସରକାର ସେମାନଙ୍କୁ ସମସ୍ତ କ୍ଷେତ୍ରରେ ସଶକ୍ତିକରଣ କରିବାର କାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟରେ ୨୪ଟି ବିଧାନସଭା କ୍ଷେତ୍ର ଅନୁସୁଚିତ ଜାତି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ତାଙ୍କ ବିକାଶ ଓ କଲ୍ୟାଣ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ଓଡ଼ିଶା ସରକାର ବିଭିନ୍ନ ଉପାୟରେ ବାଟମାରଣା କରି ଅନ୍ୟାୟ କରୁଛନ୍ତି । ସାମାଜିକ, ଆର୍ଥିକ, ନ୍ୟାୟିକ ନ୍ୟାୟ ପାଇବାରୁ ତାଙ୍କୁ ବଂଚିତ ରଖାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବର୍ଷକୁ ଅନୁନ୍ୟ ତିନି ଅନୁଷ୍ଠିତ ହେବାକୁ ଥିବା ଆଡଭାଇଜରୀ କମିଟି ବୈଠକ ଥରଟିଏ ମଧ୍ୟ ଅନୁଷ୍ଠିତ ହେଉନାହିଁ । ରାଜ୍ୟରେ ଅନସୂଚିତ ବର୍ଗ ଲୋକଙ୍କ ପ୍ରତି ଆକ୍ରମଣ ବଢି ଚାଲିଥିବାବେଳେ ତାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ବରଂ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବାରେ ଅଧିକ ତତ୍ପରତା କରୁଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ଦଳିତ ବିରୋଧୀ ମନୋଭାବକୁ ଆଦୈା ଗ୍ରହଣ କରାଯିବ ନାହିଁ ଏବଂ ଆଗାମୀ ଦିନରେ ଶାସକ ବିଜେଡି ଏହାର ଉଚିିତ୍ ଜବାବ୍ ପାଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୋଦି ସରକାରଙ୍କ ୮ ବର୍ଷ ଶାସନ କାଳରେ ଅନୁସୂଚିତ ବର୍ଗଙ୍କ ସାମୁହିକ ବିକାଶ ପାଇଁ ଅନେକ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଏହି ସମସ୍ତ ଯୋଜନାର ସୁପ୍ରଚାର ପାଇଁ ଦେଶବ୍ୟାପୀ ‘ଅନୁସୁଚିତ ଜାତି ମୋର୍ଚ୍ଚା ସମାବେଶ’ରେ ଆୟୋଜନ କରାଯିବା ସହିତ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କୁ ସମ୍ମାନିତ କରାଯାଉଛି । ଆଜି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଅନୁସୁଚିତ ଜାତି ମୋର୍ଚ୍ଚା ସମାବେଶ’ରେ ଆୟୋଜନ କରାଯାଇଛି ।

Spread the love