ଚାଷୀମାନଙ୍କୁ ଲୁଟୁଥିବା ମିଲର୍ସ ଓ ଦଲାଲ୍‌ଙ୍କ ମଧ୍ୟସ୍ଥି ଭୁମିକାରୁ ନିବୃତ ରୁହନ୍ତୁ ରାଜ୍ୟ ସରକାର : ପ୍ରଦୀପ ପୁରୋହିତ

ଭୁବନେଶ୍ୱର, ତା.୦୯/୦୬ : ଦେଶର ଅର୍ଥବ୍ୟବସ୍ଥାରେ କୃଷି ହେଉଛି ମେରୁଦଣ୍ଡ । କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ ଏବଂ ଏଥି ପାଇଁ କାର୍ଯ୍ୟ କରିଆସୁଛନ୍ତି । ମୋଦି ସରକାର ଶାସନକୁ ଆସିବା ପରେ ୨୦୧୪ ମସିହାରୁ କ୍ରମାଗତଃ ଭାବେ ପ୍ରମୁଖ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଉଛି । ଗତକାଲି କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତିକ୍ରମେ ଧାନ ସମେତ ଅନ୍ୟାନ୍ୟ ୧୭ଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି ମୋଦି ସରକାର । ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୧୦୦ଟଙ୍କା ବୃଦ୍ଧି କରାଯାଇ କ୍ୱିଂଟାଲ ପ୍ରତି ୨୦୪୦ଟଙ୍କା ହୋଇଛି । ଓଡ଼ିଶାରେ ଧାନ ଚାଷ ଅଧିକ ପରିମାଣରେ ହେଉଥିବାରୁ ଓଡ଼ିଶାର ଚାଷୀକୁଳ ଅଧିକ ଉପକୃତ ହେବା ସହ ମୁଗ, ହରଡ, ମକା, ମାଣ୍ଡିଆ, ଚିନାବାଦାମ, ବିରି, ସୂର୍ଯ୍ୟମୁଖୀ ମଞ୍ଜି, ରାଶି, କପା ଭଳି ଅନ୍ୟାନ୍ୟ ଚାଷ ପାଇଁ ମଧ୍ୟ ପ୍ରୋତ୍ସାହିତ ହେବେ । ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ମୋଦି ସରକାରଙ୍କ ଗତ କାଲିର ନିଷ୍ପତି ଓଡିଶାର ଚାଷୀକୁଳକୁ ଅତ୍ୟନ୍ତ ପ୍ରସନ୍ନ ଆଣିଦେଇଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୁର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।

ଗୋଟିଏ ପଟେ ଚାଷୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ସଦାସର୍ବଦା ସୁଚିନ୍ତା କରି କିପରି ଚାଷୀଲାଭବାନ ହେବ ସେ ନେଇ ସୁବ୍ୟବସ୍ଥା କରୁଥିବାବେଳେ ଅନ୍ୟ ପଟେ ଚାଷୀମାରଣ ନୀତି ଆପଣାଇଥିବା ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ନିଜ କର୍ତବ୍ୟ ଏବଂ ଦାୟୀତ୍ୱରୁ ନିବୃତ ରହୁଛନ୍ତି । ଦୀର୍ଘ ୨୩ବର୍ଷ ନିରଙ୍କୁଶ ଶାସନରେ ରହି ମଧ୍ୟ ରାଜ୍ୟ ସରକାର ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି ଯାହା ଚାଷୀକୁଳ ପ୍ରତି ବୈମାତୃକ ମନୋଭାବ ଦେଖାଦେଇଛି । ୨୦୧୬ମସିହାରେ ସୋହେଲା ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ୧୦୦ଟଙ୍କା ବୋନସ ଦେବାର ଘୋଷଣା କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡିଶାର ଚାଷୀଙ୍କୁ ବଂଚିତ ରଖାଯାଇଛି । କାଳିଆ ଯୋଜନରେ ଥିବା ୫୭ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ କାହିଁକି ବଳକା ୧୬.୪୬ ଲକ୍ଷ ହିତାଧିକାରୀ ପିଏମ-କିସାନ ଯୋଜନାରୁ ବଂଚିତ ହୋଇଛନ୍ତି । ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ସତ୍ୱେ ରାଜ୍ୟର ୩୫ ପ୍ରତିଶତ ଜମିକୁ ଜଳସେଚନ ପାଇଁ ଦେଇଥିବା ଶାସକ ବିଜେଡିର ପ୍ରତିଶୃତି ଆଜି ପାଣିରେ ଗାର ସଦୃଶ ହୋଇପଡିଛି । ରାଜ୍ୟରେ ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା, ଉତ୍କଟ ଧାନ ମଣ୍ଡି ସମସ୍ୟା ଏବଂ ଆବଶ୍ୟକ କୃଷି ଭିତିଭୁମିର ଅଭାବ କାରଣରୁ ଚାଷୀର ଆୟ ବୃଦ୍ଧି ପାଇବା ପରିବର୍ତେ ହ୍ରାସ ପାଇଚାଲିଛି । ରାଜ୍ୟ ସରକାର-ମିଲର ଭିତରେ ଥିବା ମଧୁଚନ୍ଦ୍ରିକା କାରଣରୁ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୁଲ୍ୟ ପାଇବାରୁ ବଂଚିତ ହେଉଛନ୍ତି ଚାଷୀକୁଳ । “ଅରୁଆ – ଉଷୁନା” ପ୍ରସଙ୍ଗ କରି ଅଯଥାରେ ଦ୍ୱନ୍ଦ ସୃଷ୍ଟି କରାଯାଉଛି । ରାଷ୍ଟ୍ରୀୟ ସ୍ତରରେ ଚାଷୀଙ୍କ ଆୟ ବୃଦ୍ଧି ପାଇ ୧୦୨୪୮ ଟଙ୍କାରେ ପହଂଚିଥିବାବେଳେ ଓଡିଶାରେ ଚାଷୀଙ୍କ ଆୟ ମାତ୍ର ୫୧୧୨ ଟଙ୍କା ହେବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ।
ଚାଷୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା ସହିତ ନିୟମିତ ଭାବେ ଫସଲର ଦର ବୃଦ୍ଧି କରୁଛନ୍ତି । କିନ୍ତୁ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ଚାଷୀଙ୍କ ପାଖରେ ନପହଂଚାଇ କେନ୍ଦ୍ରକୁ ସମସ୍ତ ପ୍ରକାର ଦୋଷ ଲଦି ଦେବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ଶ୍ରୀ ପୁରୋହିତ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଧନ୍ୟବାଦ ଜଣାଇଛନ୍ତି ।

Spread the love