ଥାନାରେ ନାହିଁ ସ୍ବତନ୍ତ୍ର ମହିଳା ଓ ଶିଶୁ ଡେସ୍କ

ଭୁବନେଶ୍ବର : ମହିଳା ଓ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧ ରୋକିବା ଲାଗି ଓଡ଼ିଶା ପୁଲିସ ୨୦୦୫ରେ ସ୍ବତନ୍ତ୍ର ପଦକ୍ଷେପ ନେଇଥିଲା। ରାଜ୍ୟର ୪୦ଟି ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲାଯିବ। ଏହି ଡେସ୍କର ମୁଖ୍ୟ ଉଦ୍ଦେଶ୍ୟ ଏଥିରେ ନିୟୋଜିତ ଅଧିକାରୀ ମହିଳା ଓ ଶିଶୁ ଥାନାକୁ ଅଭିଯୋଗ କରିବାକୁ ଆସିଲେ ସହାନୁଭୂତି ସହିତ ସେମାନଙ୍କ ଅଭିଯୋଗ ଶୁଣି‌ବେ। ଏପରିକି ଏହି ଡେସ୍କ ପାଇଁ କେବଳ ମହିଳା ଉପନିରୀକ୍ଷକ/ସହକାରୀ ଉପନିରୀକ୍ଷକ ପଦର ଅଧିକାରୀ କାର୍ଯ୍ୟ କରିବେ। ଏହି ଡେସ୍କ ସହିତ ୨ ମହିଳା କନଷ୍ଟେବଳଙ୍କୁ ମଧ୍ୟ ନିୟୋଜିତ କରାଯିବ। ଓଡ଼ିଶା ପୁଲିସର ଏହି ପଦକ୍ଷେପକୁ ସେତେବେଳେ ଅନେକ ପ୍ରଶଂସା ମିଳିଥିଲା। ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଥାନାରେ ଏଭଳି ସ୍ବତନ୍ତ୍ର ଡେସ୍କ ସହିତ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଗୃହ ବିଭାଗ ପକ୍ଷରୁ ୨୦୧୩ ଅକ୍ଟୋବର ୩ରେ ଏକ ନିର୍ଦେଶନାମା ପ୍ରକାଶ ପାଇଥିଲା। ରାଜ୍ୟର ୫୩୭ ଥାନାରେ ମହିଳା ଓ ଶିଶୁ ଡେସ୍କ ପାଇଁ ୫୩୭ ଉପନିରୀକ୍ଷକ ପଦ ସୃଷ୍ଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦ କେବଳ ମହିଳା ଓ ଶିଶୁ ଡେସ୍କ ପାଇଁ ଉଦ୍ଦିଷ୍ଟ ରହିବ। ହେଲେ ଇତିମଧ୍ୟରେ ୯ ବର୍ଷ ବିତିଗଲାଣି, ରାଜ୍ୟର ସମସ୍ତ ଥାନାରେ ଏଭଳି ସ୍ବତନ୍ତ୍ର ଡେସ୍କ ଦେଖିବାକୁ ମିଳୁନାହିଁ। ସହରାଞ୍ଚଳ ଥାନାଗୁଡ଼ିକରେ ଗୋଟିଏ ଟେବୁଲ ଉପରେ ମହିଳା ଓ ଶିଶୁ ଡେସ୍କ ଲେଖାଥିବା ଫଳକ ରଖାଯାଇଛି। ହେଲେ ସେଠାରେ ମହିଳା ଅଧିକାରୀ ବସି ଜଣେ ପୁରୁଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅଧିକାଂଶ ସମୟ ଉକ୍ତ ଟେବୁଲ୍‌ ଖାଲି ପଡୁଛି।
​‌​‌‌ଦ୍ବୖତନଗରୀ କମିସନରେଟ ପୁଲିସର ମହିଳା ଓ ଶିଶୁ ଡେସ୍କ ମଧ୍ୟ ଠିକ୍‌ ଭାବରେ ଚାଲୁନାହିଁ। ପ୍ରତ୍ୟେକ ଥାନାରେ ମହିଳା ଓ ଶିଶୁ ଡେସ୍କ ଦାୟିତ୍ବରେ ଜଣେ ଲେଖାଏଁ ମହିଳା ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। କିଛି ଥାନାକୁ ଯୋଗାଯୋଗ କରାଯିବାବେଳେ ସେଠାରେ ମହିଳା ଓ ଶିଶୁ ଡେସ୍କ ଦାୟିତ୍ବରେ କିଏ ଅଛନ୍ତି ସେ ଜାଣି ନ ଥିବା କହିଥିଲେ। କିଛି ଥାନାର ମହିଳା ଅଧିକାରୀଙ୍କ ବଦଳି ହୋଇଯାଇଛି, ଅନ୍ୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି କିଛି ଥାନାରେ ଦାୟିତ୍ବରେ ଥିବା ମହିଳା ଅଧିକାରୀ ଛୁଟିରେ ଅଛନ୍ତି। ଏହି ସ୍ବତନ୍ତ୍ର ଡେସ୍କ ଦାୟିତ୍ବରେ ଥିବା ଅଧିକାରୀ କୌଣସି ଶିଶୁ ବା ନାବାଳିକା ଅଭିଯୋଗ କରିବାକୁ ଆସିଲେ ତାଙ୍କୁ ପଚରାଉଚରା କରିବା ଲାଗି ଥାନାରେ ସ୍ବତନ୍ତ୍ର ଭାବେ ପ୍ରକୋଷ୍ଠ ରହିବା ଦରକାର। ସେହିପରି ସେଠାରେ ନିୟୋଜିତ ଥିବା ଅଧିକାରୀଙ୍କୁ ମହିଳା ଓ ଶିଶୁଙ୍କ ସମ୍ବେଦନଶୀଳ ମାମଲା ସମ୍ପର୍କରେ ଅଭିଜ୍ଞତା ରହିବା ଦରକାର; ହେଲେ ଏଠାରେ ସରକାରଙ୍କ ବ୍ୟବସ୍ଥାକୁ ଆଖିଠାର ମାରିବା ଭଳି କାମ ଚଳାରେ ଏସବୁ ଡେସ୍କ ଚାଲୁଛି।
କିଛି ମାସ ତଳେ ରାଜ୍ୟରେ ମହିଳା ଓ ଶିଶୁଙ୍କ ପାଇଁ ଥାନାରେ ସ୍ବତନ୍ତ୍ର ପ୍ରକୋଷ୍ଠ ତିଆରି କରାଯିବା ଲାଗି ରାଜ୍ୟ ସରକାର ୫ଟି ଥାନାକୁ ବାଛିଥିଲେ। ସେଥିରେ କମିସନରେଟ ପୁଲିସ ଭୁବନେଶ୍ବର ସହରାଞ୍ଚଳ ଥାନାର ମହିଳା ଥାନା ଓ କଟକ ସହରାଞ୍ଚଳ ଜିଲାର ବିଡ଼ାନାସୀ ଥାନାକୁ ବଛାଯାଇଥିଲା। ଏହି ଦୁଇ ଥାନାରେ ସ୍ବତନ୍ତ୍ର ଭାବେ ପ୍ରକୋଷ୍ଠ ତିଆରି କରିବାକୁ ବ୍ୟୟ ବରାଦ କରାଯାଇଥିଲା। ନିକଟରେ କ୍ୟାପିଟାଲ ଥାନା ପକ୍ଷରୁ ଥାନାକୁ ଆସୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏକ ପ୍ରକୋଷ୍ଠ ତିଆରି କରାଯାଇଛି। ଯାହାର ନାମ ରଖାଯାଇଛି ‘ସ୍ବାଗତ’। ଏଥିରେ ସ୍ବତନ୍ତ୍ର ଭାବେ ମହିଳା ଓ ଶିଶୁଙ୍କ ପାଇଁ ବନ୍ଦୋବସ୍ତ କରାଯାଇଛି। ଏହି ପ୍ରକୋଷ୍ଠରେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଅଭିଯୋଗକାରୀଙ୍କ ସହିତ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯିବ। ସେମାନେ ଥାନାକୁ ଆସିଥିଲେ ମଧ୍ୟ ଯେପରି ଥାନା ପୁଲିସର ଅନୁଭୂତି ପାଇବେ ନାହିଁ। ଶିଶୁଙ୍କ ପାଇଁ ଖେଳନା ରହିବ। କମିସନରେଟ ପୁଲିସ ଏବେ ସେହିଭଳି ଢଙ୍ଗରେ ଥାନାର ଅନୁଭୂତି ବଦଳାଇବା ଲାଗି ପ୍ରୟାସ ଆରମ୍ଭ କରୁଛି। ଏଥିପାଇଁ କେତେକ ଥାନାକୁ ସ୍ବତନ୍ତ୍ର ଭାବେ ମହିଳା ଓ ଶିଶୁଙ୍କ ପାଇଁ ପ୍ରକୋଷ୍ଠ ତିଆରି କରିବାକୁ ଯୋଜନା କରୁଥିବା ଉପାୟୁକ୍ତ ପ୍ରତୀକ ସିଂହ କହିଛନ୍ତି। ମହିଳା ଓ କ୍ୟାପିଟାଲ ଥାନା ପରେ ସହିଦନଗର ଓ ନୂଆପଲ୍ଲୀ ଥାନାରେ ଏଭଳି ସ୍ବତନ୍ତ୍ର ପ୍ରକୋଷ୍ଠ ତିଆରି କରାଯିବ ବୋଲି ଜଣାପଡ଼ିଛି।

Spread the love