ଏ ବର୍ଷ ୫ ହଜାର ସରକାରୀ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ନିଯୁକ୍ତି ଉପରେ ଗୁରୁତ୍ବ ଦେଇ ଆର୍ଥିକ ବର୍ଷ ୨୦୨୧-୨୨ରେ ଗ୍ରୁପ-‘ଏ’ ଏବଂ ‘ବି’ ପଦବୀରେ ୨୨୭୭ ଜଣଙ୍କୁ ଚାକିରି ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ବାରା ପ୍ରାଥମିକ, ମୁଖ୍ୟ ଓ ସାକ୍ଷାତକାର ପରୀକ୍ଷା କରି ନିଯୁକ୍ତି ଦିଆଯାଇଛି। ଆର୍ଥିକ ବର୍ଷ ୨୦୨୨-୨୩ରେ ସରକାରଙ୍କ ୨୬ ବିଭାଗରେ ୫ ହଜାରରୁ ଊର୍ଦ୍ଧ୍ବ ଗ୍ରୁପ-‘ଏ’ ଓ ଗ୍ରୁପ-‘ବି’ ପଦବୀରେ ସରକାରୀ ଚାକିରି ଦେଉଥିବା ସମ୍ପର୍କରେ ଓପିଏସସି ପକ୍ଷରୁ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରାଯାଇଛି।ଓପିଏସସି ଅଧ୍ୟକ୍ଷ ଡ଼ ସତ୍ୟଜିତ ମହାନ୍ତି ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୨୦୨୧-୨୨ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ (ରିପୋର୍ଟ) ପ୍ରଦାନ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ମହାନ୍ତି ଓପିଏସସିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। କରୋନା ମହାମାରୀ ସମେତ ଅନେକ ବାଧାବିଘ୍ନକୁ ଆୟୋଗ ଅତିକ୍ରମ କରି ନିଯୁକ୍ତି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇଛି। ଏହି ସମୟରେ ଗ୍ରୁପ-‘ଏ’ ଓ ‘ବି’ ପଦବୀରେ ୨୨୭୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି।୨୨ଟି ସରକାରୀ ବିଭାଗରେ ୧୫୩୬ ପଦୋନ୍ନତିକୁ ଆୟୋଗ ସ୍ବୀକୃତି ଦେଇଛି। ୨୨୪ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଫାଇଲ ଫଇସଲା କରାଯାଇଛି। ଆୟୋଗ ୨୦୨୨-୨୩ ଆର୍ଥିକ ବର୍ଷରେ ୨୬ଟି ବିଭାଗରେ ପାଞ୍ଚ ହଜାରରୁ ଊର୍ଦ୍ଧ୍ବ ସରକାରୀ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାର ସୂଚନା ଦେଇଛି।ଚଳିତ ବର୍ଷ ପରୀକ୍ଷା ଫଳାଫଳ ଶୀଘ୍ର ପ୍ରକାଶନ କରିବା ଲକ୍ଷ୍ୟରେ ଅନ୍‌ସ୍କ୍ରିନ (କମ୍ପ୍ୟୁଟରୀକୃତ) ମୂଲ୍ୟାୟନ ପଦ୍ଧତିର ପ୍ରଚଳନ ହୋଇଛି। ଓପିଏସସି ଚଳିତ ବର୍ଷ ସର୍ବାଧିକ ନିଯୁକ୍ତି ସୁପାରିସ କରିବ ବୋଲି ଅଧ୍ୟକ୍ଷ ଡ଼ ମହାନ୍ତି ରାଜ୍ୟପାଳଙ୍କୁ କହିଛନ୍ତି।

Spread the love