ଚେସ୍ ଅଲିମ୍ପିଆଡ୍‌ : ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଚେନ୍ନାଇର ମହାବଳିପୁରମରେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ୪୪ତମ ଚେସ୍ ଅଲିମ୍ପିଆଡ ଖେଳାଯିବ।ଚେସ୍ ଅଲିମ୍ପିଆଡରେ ପ୍ରଥମଥର ମଶାଲ ଶୋଭାଯାତ୍ରା ଭାରତରେ ଅନୁଷ୍ଠିତ ହେବ। ପ୍ରଥମଥର ଭାରତରେ ଆୟୋଜିତ ହେବାକୁ ଥିବା ଚେସ୍‌ ଅଲିମ୍ପିଆଡ ମଶାଲ ଶୋଭାଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପିତ କରିଛନ୍ତି। ଗତକାଲି ଅପରାହ୍ଣରେ ଦିଲ୍ଲୀରେ  ଆୟୋଜିତ ମଶାଲ ଶୋଭାଯାତ୍ରା ଲୋକାର୍ପଣ ଉତ୍ସବରେ ଅନ୍ତର୍ଜାତୀୟ ଚେସ୍‌ ମହାସଂଘ(ଫିଡେ) ସଭାପତି ଆର୍କାଡେ ଜୋକୋଭିକ୍‌ ମଶାଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତାନ୍ତର କରିଥିଲେ। ପ୍ରଧାନମନ୍ତ୍ରୀ ଉକ୍ତ ମଶାଲକୁ ଗ୍ରାଣ୍ଡ ମାଷ୍ଟର ବିଶ୍ବନାଥନ ଆନନ୍ଦଙ୍କୁ ହସ୍ତାନ୍ତର କରିଥିଲେ।ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ଚେସ୍‌ କେବଳ ଖେଳ ନୁହେଁ; ଏହା ଶିକ୍ଷା ଓ ଜ୍ଞାନର ବଡ଼ ପ୍ରତୀକ। କବାଡି, କୁସ୍ତି ଓ ମାଲଖମ୍ବ ଭଳି କ୍ରୀଡ଼ା ପାଇଁ ଶାରୀରିକ ସୁସ୍ଥତାର ଆବଶ୍ୟକତା ଥିବାବେଳେ ଚେସରେ ବୃଦ୍ଧିର ଆବଶ୍ୟକତା ରହିଥାଏ। ଚେସ୍‌ କ୍ରୀଡ଼ା ଶିକ୍ଷାର ବିକାଶରେ ମଧ୍ୟ ସହାୟକ ହୋଇଥାଏ। ଚେସ କ୍ରୀଡ଼ାରେ ସଫଳତା ପଛରେ ଯୋଗର ବହୁତ ବଡ ଅବଦାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କ୍ରୀଡ଼ା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଉତ୍ସାହକୁ ପ୍ରଶଂସା କରିଥିଲେ। ଭାରତକୁ ଚେସ୍ ଅଲିମ୍ପିଆଡ ଆୟୋଜନ ନେଇ ସୁଯୋଗ ମିଳିଛି। ଏହା ଆମ ପାଇଁ ବଡ ଉପଲବ୍ଧି । ଭାରତ ଏବେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଚେସ୍‌ ଦେଶରେ ପରିଣତ ହୋଇଛି। ଭାରତ ସରକାରଙ୍କ ସହଯୋଗ ଓ ପ୍ରତିଯୋଗିତା ଆୟୋଜନ ନେଇ ଉତ୍ସାହକୁ ଫିଡେ ପକ୍ଷରୁ ପ୍ରଶଂସା କରାଯାଇଛି। ଏହା ଅଲିମ୍ପିକ୍‌ସ ପରମ୍ପରାର ବଡ ପ୍ରତୀକ ବୋଲି ଫିଡେ ସଭାପତି ଆର୍କାଡେ ଜୋକୋଭିକ୍‌ କହିଛନ୍ତି। ୧୯୨୭ ମସିହାରୁ ଆରମ୍ଭ ହୋଇଥିବା ଚେସ୍ ଅଲିମ୍ପିଆଡ ପ୍ରଥମ ଥର ପାଇଁ ଭାରତରେ ତଥା ୩୦ ବର୍ଷ ପରେ ଏସୀୟ ମହାଦେଶରେ ୩୦ ବର୍ଷ ପରେ ଆୟୋଜିତ ହେବାକୁ ଯାଉଛି। ଏଥିରେ ୧୮୯ ଦେଶର ଖେଳାଳି ଅଂଶଗ୍ରହଣ କରିବେ। ମଶାଲ ଶୋଭାଯାତ୍ରା ମୋଟ ୪୦ ଦିନ ମଧ୍ୟରେ ଶ୍ରୀନଗର, ଜୟପୁର, ସୁରଟ, ମୁମ୍ବଇ, ଭୋପାଳ, ପାଟନା, କଲକାତା, ଗାଙ୍ଗଟକ, ହାଇଦରାବାଦ୍‌, ବାଙ୍ଗାଲୋର, ତ୍ରିସୁର, ପୋର୍ଟ ବ୍ଳେୟାର, କନ୍ୟାକୁମାରୀ ସମେତ ଆଦି ୭୫ଟି ସହର ପରିକ୍ରମା କରିବ। ପ୍ରତି ସ୍ଥାନରେ ଉକ୍ତ ରାଜ୍ୟର ଚେସ୍ ଗ୍ରାଣ୍ଡମାଷ୍ଟର ଏହାକୁ ସ୍ବାଗତ କରିବେ। ଜୁଲାଇ ୧୫ରେ ମଶାଲ ଶୋଭାଯାତ୍ରା ଓଡ଼ିଶାକୁ ଆସିବ। ଉକ୍ତ ମଶାଲ ଶୋଭାଯାତ୍ରା ଓଡ଼ିଶାର ଭୁବନେଶ୍ବର, ପୁରୀ ଓ କୋଣାର୍କ ପରିକ୍ରମା କରିବ।ଗତକାଲି ଏହି ଉତ୍ସବରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଚେସ୍‌ ଅଲିମ୍ପିଆଡ୍‌ ମସ୍କୋରେ ଆୟୋଜିତ ହେବାର ଥିଲା। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପାଇଁ ମସ୍କୋ ବଦଳରେ ଭାରତକୁ ଉକ୍ତ ଚେସ୍‌ ଅଲିମ୍ପିଆଡ ଆୟୋଜନ ନେଇ ସୁଯୋଗ ମିଳିଛି।

Spread the love