ଆଗାମୀ ୪ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ବର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତ ୧୬ ତାରିଖରୁ ପ୍ରବେଶ କରିଥିବାବେଳେ ଦୁର୍ବଳ ଥିବାରୁ ୩ ଦିନ ମଧ୍ୟରେ ସାରା ରାଜ୍ୟକୁ ଅଗ୍ରସର ହୋଇପାରିନାହିଁ। ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ପ୍ରାକ୍‌ ମୌସୁମୀ ବର୍ଷା। ଆଜିଠାରୁ ଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର(ସେମି) ପର୍ଯ୍ୟନ୍ତ ବର୍ଷା ହେବାର ଥିବାବେଳେ କେତେକ ଅଞ୍ଚଳରେ ୧୧ରୁ ୨୦ ସେମି ହୋଇପାରେ। ଏହାଦ୍ବାରା ସମସ୍ତ ଜିଲ୍ଲାକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ ଏବଂ କଟକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ବର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବଜ୍ରପାତକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକସ୍ଥ‌େ‌ଳ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ରହିଛି। ଆଜି ନୟାଗଡ ଏବଂ ହୀରାକୁଦରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇଛି। ନୟାଗଡ ଓ ହୀରାକୁଦରେ ସର୍ବାଧିକ ବର୍ଷା ୩୪ ମିମି ରେକର୍ଡ ହୋଇଛି। ରାଜ୍ୟର ବାଲେଶ୍ବର, କଟକ, ଭୁବନେଶ୍ବର, ଝାରସୁଗୁଡା, ଅନୁଗୋଳ, ବାରିପଦା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, ଭବାନୀପାଟଣା, ଦାରିଙ୍ଗବାଡି, ରାୟଗଡା ଏବଂ ବରଗଡ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି।
ଆଗାମୀ ୨ ରୁ ୩ଦିନ ମଧ୍ୟରେ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଛତିଶଗଡ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଉତ୍ତର-ପୂର୍ବ ଉତ୍ତର ପ୍ରଦେଶ ରାଜ୍ୟର କିଛି ଅଞ୍ଚଳକୁ ମୌସୁମୀ ସ୍ପର୍ଶ କରିବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ସର୍ବାଧିକ ତାପମାତ୍ରା ମାଲକାନଗିରିରେ ୩୯.୫ ଡିଗ୍ରୀ ଥିବାବେଳେ ଭୁବନେଶ୍ବର ୩୭.୨ ଏବଂ କଟକରେ ୩୬ ଡିଗ୍ରୀ ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

Spread the love